ଦସ୍ୟୁ ଐରାବତ

 

 

 

 

 

 

 

 

 

 

ଦସ୍ୟୁ ଐରାବତ

ଶ୍ରୀ ରମେଶ ଚନ୍ଦ୍ର ମିଶ୍ର

 

ହରେନ୍ଦ୍ର ଗୋଟାଏ ଅଦ୍ଭୁତ ମଣିଷ !

 

ତା’ର ଖିଆଲ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ବଡ଼ ବଡ଼ ପୋଲିସ୍‍ ଅଫିସରଙ୍କଠାରୁ ଧରି ସହରର ଚୋର, ଖୁଣୀ, ଦାଗୀ ସମସ୍ତେ ତା’ର ସାଙ୍ଗ । ମଝିରେ ମଝିରେ ମୋର ଭାରି ଭୟ ହୁଏ, କୌଣସି ନା କୌଣସି ଦିନ ସେ ଭୟାନକ ବିପଦରେ ପଡ଼ିବ । ମିଆଁ ବେଶରେ ସେ ଅନେକ ସମୟ ବାହାରେ କଟାଏ । ମଝିରେ ଦିନେ ଦିନେ ମତେ ସାଙ୍ଗ କରି ନେଇଯାଏ । ସେ ଏମିତି ବଦ୍‍ମାସମାନଙ୍କ ସାଙ୍ଗେ ସାଙ୍ଗ ହୋଇଚି, ଯାହାଙ୍କୁ ଅଚାନକ ଭାବରେ ବାଟରେ ଦେଖିଲେ ଭଦ୍ରଲୋକ ଭୟରେ ଥରିଉଠିବେ ।

 

ମୁଁ ଯଦି କହେ, ‘‘ହରେନ୍ଦ୍ର, ଏଇ ଲୋକଗୁଡ଼ାଙ୍କ ସାଙ୍ଗେ ମିଶିବାକୁ ତତେ ଘୃଣା ଲାଗୁନି-?’’

 

ସେ କହେ, ‘‘ନାଇଁରେ ଭାଇ, ମୋଟେ ନୁହେଁ । ଡାକ୍ତର କେବେହେଲେ ଘୃଣା କରେନି-। ତା’ହେଲେ ଯକ୍ଷ୍ମା, କୁଷ୍ଠ ପ୍ରଭୃତି ଉତ୍କଟ ରୋଗଗ୍ରସ୍ତ ଲୋକପାଖକୁ ଯାଇହେବନି । ମୁଁ ହେଲି ଗୋଟାଏ ଅଲଗା ଶ୍ରେଣୀର ଡାକ୍ତର । ଅପରାଧୀମାନଙ୍କୁ ମୁଁ ଭାବେ ରୋଗୀ ।

 

ସାଧାରଣ ରୋଗୀର ଦେହରେ ବ୍ୟାଧି ହୁଏ; ମାତ୍ର ସେଇ ଆକ୍ରମଣ କରେ ଅପରାଧୀମାନଙ୍କର ମନକୁ । ଚୋରୀ, ଜୁଆଚୋରୀ, ଖୁଣ୍‍ ଆଉ ଡକାୟତି ମାନସିକ ବ୍ୟାଧି ବ୍ୟତୀତ ଅନ୍ୟକିଛି ନୁହେଁ । ଏଇସବୁ ବ୍ୟାଧିମାନଙ୍କ ସମ୍ବନ୍ଧରେ ଅଭିଜ୍ଞତା ସଞ୍ଚୟ କରିବାକୁ ହେଲେ ଅପରାଧୀମାନଙ୍କ ସହିତ ନ ମିଶିଲେ ଚଳିବନି ।

 

ତା’ର ଯୁକ୍ତିରେ ମୁଁ ଚୁପ୍ ରହେ ।

 

ହରେନ୍ଦ୍ର ଠିକ୍ ମହାନଦୀ କୂଳରେ ଗୋଟାଏ ଏକମହଲା କୋଠାରେ ରହେ । ଘରପାଖେ ଦୁଇଟି ବଡ଼ ହଲ୍ ଘର । ତା’ ମଧ୍ୟରୁ ଗୋଟିଏ ହେଉଛି ପରୀକ୍ଷାଗାର । ସେ ଘରେ ଅଛି ଗୋଟାଏ ଖୁବ୍ ଚଉଡ଼ା ଟେବୁଲ ଉପରେ ଅନେକ ପ୍ରକାରର ବୈଜ୍ଞାନିକ ଯନ୍ତ୍ରପାତି ଏବଂ କାନ୍ଥର ଥାକମାନଙ୍କରେ ସଜଡ଼ା ହୋଇ ରହିଚି ଅସଂଖ୍ୟ ରକମର ତରଳ ଓ ଚୂର୍ଣ୍ଣ ରାସାୟନିକ ପଦାର୍ଥପୂର୍ଣ୍ଣ କାଚର ଜାର, ଶିଶି ଆଉ ବୋତଲ ।

 

ଅନ୍ୟଟି ତା’ର ବୈଠକଘର । ଘର ଚାରିକଡ଼େ ଆଲମିରା । ସବୁ ଆଲମିରାରେ ବଡ଼, ସାନ, ମୋଟା, ଚିରା, ଫଟା ବହି ଖୁନ୍ଦିହୋଇ ରହିଚି । ମଝିରେ ସଫେଦ ଧଳା ଗଦିଦିଆ ଚୌକି, ସୋଫା, କାଉଚ, ଆଉ ଛୋଟ ଛୋଟ ଟେବୁଲଗୁଡ଼ିଏ ।

 

ସେଦିନ ବୈଠକଘରେ ପଶିଯାଇ ଦେଖିଲି, ଗୋଟାଏ କାଉଚ ଉପରେ ବସି ହରେନ୍ଦ୍ର ଖଣ୍ଡେ ଚଟିବହି ଧରି ସେଆଡ଼କୁ ଏକାଗ୍ର ଦୃଷ୍ଟିରେ ଚାହିଁରହିଚି ।

 

ଗୋଟାଏ ଚେୟାର ଉପରେ ବସିପଡ଼ି ପଚାରିଲି, ‘‘କ’ଣରେ ଭାଇ, ଏତେ ମନଦେଇ କି ବହି ପଢ଼ା ଚାଲିଚି ?’’

 

ହରେନ୍ଦ୍ର ମୁହଁ ଟେକି କହିଲା, ‘‘ବହି ପଢ଼ୁନିରେ ଭାଇ, ଛବି ଦେଖୁଚି । ଏଇଟା ହେଉଚି ‘ପୋଲିସ୍‍ ଜର୍ଣ୍ଣାଲ’ ।’’

 

‘‘ପୋଲିସ୍‍ ଜର୍ଣ୍ଣାଲର ଛବି ? ତାହାହେଲେ ନିଶ୍ଚୟ ତୋର କୌଣସି ସଙ୍ଗାତର ହୋଇଥିବ, ଅର୍ଥାତ୍ ଚୋର କି ଖୁଣୀର ଛବି ?’’

 

‘‘ନାଇଁରେ ଭାଇ, ତୋର ରସିକତା ଫସକି ଗଲା । ଏ ଛବି ଦେଖି ମୁଁ ଜଣେ ପୃଥିବୀବିଖ୍ୟାତ ଅମର ଶିଳ୍ପୀଙ୍କ କଥା ଭାବୁଚି ।’’

 

‘‘ସର୍ବନାଶ ! ପୋଲିସ୍‍ର ଶନିଦୃଷ୍ଟି ଆଜିକାଲି କ’ଣ ଶିଳ୍ପୀମାନଙ୍କ ଉପରେ ଯାଇ ପଡ଼ିଲାଣି ?’’

 

‘‘ପ୍ରତାପ, ପୋଲିସ୍‍ ଉପରେ ଅକାରଣଟାରେ ତୁ ଏତେ ନିର୍ଦ୍ଦୟ ହେବୁନି । ଆଉ ପୋଲିସ୍‍ର ଦୃଷ୍ଟି ଶିଳ୍ପୀମାନଙ୍କ ଉପରେ ପଡ଼ିଲେ କ୍ଷତି ବା କ’ଣ, ଶୁଣେ ? ଶିଳ୍ପୀମାନେ କ’ଣ ସମସ୍ତେ ସାଧୁ ? ଫ୍ରାନ୍ସର ବିଖ୍ୟାତ କବି ଭିଲନ କ’ଣ ଚୋର ଆଉ ଖୁଣୀ ନ ଥିଲେ ? ପୁରାଣରେ ଏକଥା ଶୁଣିଥିବୁ ?’’

 

‘‘ତୁ, କାହା କଥା କହୁଚୁ ?’’

 

‘‘ଆରେ, ଏଇ କେତେଦିନ ତଳେ ପ୍ରଭାତ ସିନେମାରେ ଚାଲିଥିଲା ଓଡ଼ିଆ କଥାଚିତ୍ର-ଦସ୍ୟୁ ରତ୍ନାକର । ସେଇ ରାମାୟଣ ଲେଖକ ଆଦିକବି ପୁଣି ତ ଦିନେ ଡକାୟତି କରୁଥିଲେ ! ଏସବୁ କଥା ଛାଡ଼ । ମୁଁ ବର୍ତ୍ତମାନ କ’ଣ ଦେଖୁଥିଲି, ଜାଣୁ ? ତାଜମହଲର ସ୍ରଷ୍ଟା ସାହାଜାହାନଙ୍କର ପାପୁଲି ଚିତ୍ର ।’’

 

‘‘ଦେଖି ।’’

 

ବହିଖଣ୍ଡକ ହରେନ୍ଦ୍ର ହାତରୁ ନେଇ ଦେଖିଲି । ଗୋଟିଏ ହାତର ପାପୁଲି ଚିତ୍ର । ତଳେ ଲେଖାଯାଇଚି, ‘ସମ୍ରାଟ ସାହାଜାହାନଙ୍କ ଡାହାଣହାତର ଛାପ’ ।

 

ହରେନ୍ଦ୍ର କହିଲା, ‘‘ସେ କାଳରେ ମୋଗଲ ରାଜତ୍ୱର ସମସ୍ତ ମୂଲ୍ୟବାନ କାଗଜପତ୍ର ଉପରେ ସମ୍ରାଟଙ୍କ ହାତପାପୁଲିର ଛାପା ରହୁଥିଲା । କାରଣ, ମୋଗଲମାନେ ଜାଣନ୍ତି, ସିଲ୍ ମୋହର କିମ୍ବା କାଳି କଲମର ଦସ୍ତଖତ ଜାଲ୍ ହୋଇପାରେ । ମାତ୍ର ପାଞ୍ଚ ଆଙ୍ଗୁଠି ବା ପାପୁଲିର ଛାପ ଜାଲ୍ କରିବା ଅସମ୍ଭବ । ପୃଥିବୀରେ କୌଣସି ଦୁଇଜଣ ମଣିଷର ପାପୁଲି ଛାପ ଗୋଟାଏ ପ୍ରକାରର ହୋଇନପାରେ । ସାର୍ ଉଇଲିୟମ ହାର୍ସେଲ ପ୍ରଥମେ ପୋଲିସ୍‍ ପକ୍ଷରୁ ଏଇ ପଦ୍ଧତି ପ୍ରଚଳନ କରିଥିଲେ । ଆଜିକାଲି ଏଇ ପଦ୍ଧତିର ଆଦର ପ୍ରାୟ ପ୍ରତ୍ୟେକ ଦେଶରେ ଅଛି । କିନ୍ତୁ ଭାରତରେ ଏଇ ପଦ୍ଧତିର ଜନ୍ମ ବହୁକାଳ ଆଗରୁ । କେବଳ ମୋଗଲମାନଙ୍କ ପାପୁଲିର ଛାପ ନୁହେଁ, ହିନ୍ଦୁମାନେ ମଧ୍ୟ ପ୍ରାଚୀନ କାଳରୁ ଦଲିଲ ଉପରେ ଦସ୍ତଖତ ନ ଦେଇ ଆଙ୍ଗୁଠି ଛାପ ଦେଇଆସୁଚନ୍ତି । ସୁତରାଂ ଆଧୁନିକ ପୋଲିସ୍‍ର ଆବିଷ୍କାର ଭିତରେ କୌଣସି ବାହାଦୁରି ନାହିଁ.......

 

କିନ୍ତୁ ପ୍ରତାପ, ବାଦଶାହା ସାହାଜାହାନଙ୍କ ପାପୁଲିଚିହ୍ନ ଦେଖି ତୋର କିଛି ମନେହେଉନି-?''

 

‘‘ହବ ଆଉ କ’ଣ ? ଜଣାପଡ଼ୁଚି, ଏ ହାତଚିହ୍ନ ଠିକ୍ ତାଙ୍କର ନୁହେଁ ।’’

 

‘‘ସତ କହିଚୁ । ଦିଲ୍ଲୀ ଓ ଆଗ୍ରାର ଅସଂଖ୍ୟ କୋଠାବାଡ଼ି, ମସଜିଦ୍, ସ୍ମୃତିମନ୍ଦିର ଆଗରେ ଠିଆହେଲେ ଯେଉଁ ଶିଳ୍ପପ୍ରିୟ ସାହାଜାହାନଙ୍କର ସୌନ୍ଦର୍ଯ୍ୟପ୍ରୀତିରେ ନୟନମନ ନାଚିଉଠେ, ସେଭଳି ଲୋକର କ’ଣ ଏମିତି ହାତଛାପ ହୋଇପାରେ ? ଆଧୁନିକ ବିଶେଷଜ୍ଞ କହନ୍ତି–ମଣିଷର ଆଙ୍ଗୁଳି ଗଢ଼ଣ ଦେଖିଲେ ତା’ର ପ୍ରକୃତି ଆଉ ପେଶା ବୁଝାପଡ଼େ । କିନ୍ତୁ ସାହାଜାହାନଙ୍କ ଆଙ୍ଗୁଠିର ଗଢ଼ଣ ଦେଖ । ଶିଳ୍ପୀର ଆଙ୍ଗୁଠି ଗଢ଼ଣ କଦାପି ଏମିତି ହେଇନପାରେ–ଯେକୌଣସି ସାଧାରଣ ଲୋକର ହାତଛାପ ଏମିତି ହେବ । ବସି ବସି ସେଇ କଥା ଭାବୁଥିଲି ।’’

 

ପୋଲିସ୍‍ ଜର୍ଣ୍ଣାଲ ଖଣ୍ଡକ ଟେବୁଲ ଉପରେ ରଖିଦେଇ ମୁଁ ଠିଆହୋଇ କହିଲି, ‘‘ଭାଇ, ତୋ ପଛପାଖର ଝରକା ଦି’ଟା ବନ୍ଦ କରି ଦେ । ଏ ଘମାଘୋଟିଆ ଶୀତ ସାଙ୍ଗକୁ କାଲିର ବର୍ଷା ଏକାବେଳେ ବରଫ ପରି ଥଣ୍ଡା କରିଦେଉଚି । ଟିକେ ଚା’ ମଗେଇଲୁ ।’’

 

କାଉଚ୍ ଉପରେ ଗୋଡ଼ଯୋଡ଼ାକୁ ସିଧାଭାବେ ଲମ୍ବେଇଦେଇ ହରେନ୍ଦ୍ର କହିଲା, ‘‘ଚା’ ତ ଆସିବ । କିନ୍ତୁ ଘମାଘୋଟିଆ ଶୀତକୁ ଯଦି ତୋର ଭୟ, ତାହାହେଲେ ପାଖ କୋଠରୀ ଖୋଲା ବଗିଚାରେ ବୁଲୁଥିଲୁ କେମିତି ?’’

 

ଚମତ୍କୃତ ହୋଇ ପଚାରିଲି, ‘‘ଏକଥା ତୁ ଜାଣିଲୁ କେମିତି ? କିଏ ଆସି ତତେ କହିଲା-?’’

 

‘‘ତୁ ତ ସିଧା ସେଠାରୁ ଆସି ମୋ ବସାରେ ହାବୁଡ଼ିଲୁ । ଇୟାରି ମଧ୍ୟରେ କିଏ ଆସି କହିଲା ? ମୁଁ ଯାହା କହିଲି, ସେକଥା କ’ଣ ମିଛ ?’’

 

‘‘ନାଇଁ ଭାଇ, ମିଛ ନୁହେଁ । କିନ୍ତୁ ମୁଁ ତ ବଗିଚାରେ ବୁଲିନି । ସେ କୋଠିର ଗୋଟାଏ ମାଳି ସାଙ୍ଗେ ଦେଖା କରିବାକୁ ଯାଇଥିଲି । ଅବଶ୍ୟ ସେ ବଗିଚା ପାଖର ଗୋଟାଏ ଘରେ ରୁହେ । କିନ୍ତୁ ଏସବୁ କଥା ତୁ ଜାଣିଲୁ କେମିତି ?’’

 

‘‘ତୁ ତ ଜାଣୁ ଭାଇ, ସଦାବେଳେ ମୋର ଖୋଲା ଆଖି । ସେତିକି ମତେ ସାହାଯ୍ୟ କରେ–କିଛି ନ ଦେଖି ବି ମୁଁ କହିପାରେ ।’’

 

ଆଶ୍ଚର୍ଯ୍ୟ ହୋଇ ଭାବିବାକୁ ଲାଗିଲି, କୋଉ ସୂତ୍ର ଧରି ହରେନ୍ଦ୍ର ମୋ ବିଷୟରେ ଏତେକଥା ଜାଣିପାରିଲା ? ମୋର କୋଟ୍‍ ଉପରେ ଗୋଟିଏ ସଜ ଗୋଲାପ ଫୁଲ ଖୋସା ହୋଇଥିଲା-। ହଠାତ୍ ସେଇଆଡ଼େ ମୋର ନଜର ପଡ଼ିଲା ଏବଂ ସାଙ୍ଗେ ସାଙ୍ଗେ ବୁଝିପାରିଲି, ହରେନ୍ଦ୍ରର ଆବିଷ୍କାର ମୂଳରେ ଏଇ ଫୁଲଟାହିଁ ଅଛି ।

 

ଗୋଟାଏ English ପତ୍ରିକାରେ ତାଙ୍କର ଗୋଟାଏ ସେ ବିଷୟରେ ସୁନ୍ଦର ଲେଖା ପଢ଼ିଥିଲି ।

 

ଜୀବନବାବୁ କହିଲେ, ‘‘ଆପଣ ତାହାହେଲେ ଏତେ ଖବର ରଖିଚନ୍ତି !’’

 

ମି. ସିଂହ ଲଜ୍ଜିତ ଭାବରେ କହିଲେ, ‘‘ହରେନ୍ଦ୍ରବାବୁଙ୍କ ପରି ବିଜ୍ଞ ଲୋକଙ୍କ ମୁହଁରୁ ମୋର ଲେଖାର ପ୍ରଶଂସା ଶୁଣି ମୁଁ ନିଜକୁ ଧନ୍ୟ ମନେକରୁଚି ।’’

 

ହରେନ୍ଦ୍ର ଖୁବ୍ ଜୋରରେ ହସିଉଠି କହିଲା, ‘‘ମୁଁ ପୁଣି ବିଜ୍ଞଲୋକ ? ମୋଟେ ନୁହେଁ, ଆଜ୍ଞା, ମୋଟେ ନୁହେଁ ! ଜ୍ଞାନସମୁଦ୍ର ତୀରରେ ମୁଁ କେବଳ ଗୋଟାଏ କ୍ଷୁଦ୍ର ଶାମୁକା ପରି ପଡ଼ିଚି । ଆମ ଭାଗ୍ୟରେ ଏତେବଡ଼ କଥା ଜୁଟିବା ସହଜ ନୁହେଁ । ଏ କ’ଣ ଆପଣ ଏମିତି ଠିଆହୋଇ ରହିଲେ ଯେ ? ବସନ୍ତୁ, ବସନ୍ତୁ । ଆରେ ବୈରାଗୀ, ଚାରି କପ୍ ଚା’ ନେଇଆସିଲୁ ।’’

 

ଜୀବନବାବୁ ଆଉ ମି. ସିଂହ ଆସନ ଗ୍ରହଣ କଲେ ।

 

ଜୀବନବାବୁ ଏଠିକା ଥାନାର ଜଣେ ନାମଜାଦା ଇନ୍‍ସପେକ୍ଟର ଏବଂ ହରେନ୍ଦ୍ର ସାଙ୍ଗେ ତାଙ୍କର ଆଳାପ ରୀତିମତ ବନ୍ଧୁତ୍ୱରେ ପରିଣତ ହେଇଚି । ସେ ପ୍ରାୟ ଅନେକଥର ଏଠିକି ଆସନ୍ତି ଏବଂ ଅପରାଧ ତତ୍ତ୍ୱ ବିଷୟରେ ଦୁହିଁଙ୍କ ମଧ୍ୟରେ ବହୁସମୟ ପର୍ଯ୍ୟନ୍ତ ଆଲୋଚନା ଚାଲେ । ଅନ୍ୟାନ୍ୟ ପୋଲିସ୍‍ମାନଙ୍କ ପରି ନିଜକୁ ସେ ଜଣେ ସର୍ବଜ୍ଞ ଓ ମସ୍ତବଡ଼ ମନୁଷ୍ୟରତ୍ନ ବୋଲି ଆଡ଼ମ୍ବର କରନ୍ତିନି । କୌଣସି ଜଟିଳ ସମସ୍ୟା ହାତରେ ପଡ଼ିଲେ ବିନାଦ୍ୱିଧାରେ ସେ ହରେନ୍ଦ୍ର ସଙ୍ଗେ ପରାମର୍ଶ କରିବାକୁ ଆସନ୍ତି ।

 

ଟ୍ରେ’ରେ ଚା’ ଧରି ବୈରାଗୀ ଆସି ପହଞ୍ଚିଲା ।

 

ଜୀବନବାବୁ କହିଲେ, ‘‘ହରେନ୍ଦ୍ରବାବୁ, ଲିପ୍‍ଟନର ଗ୍ରୀନଲେବୁଲ ଚା’ ଲୋଭରେ ମୁଁ ଏଠିକି ଆସିନି । ମୁଁ ଗୋଟାଏ ବଡ଼ ସମସ୍ୟାରେ ପଡ଼ିଯାଇଚି । ସେଥିପାଇଁ ଆପଣଙ୍କ ପାଖରୁ ସୁପରାମର୍ଶ ନେବାକୁ ଆସିଚି ।’’

 

ହସି ହସି ହରେନ୍ଦ୍ର କହିଲା, ‘‘ସୁପରାମର୍ଶ ନେବାକୁ ଆସିଚନ୍ତି ବୋଲି ମୁଁ ତ ଆପଣଙ୍କୁ ହତାଶ୍‍ କରିନି ! ଚା’ଟା ଉପରେ ଏତେ ଆକ୍ରୋଶ କାହିଁକି ? ଧରନ୍ତୁ ନା–।’’

 

ଜୀବନବାବୁ ଟ୍ରେ ଉପରୁ ଗୋଟାଏ କପ୍ ଚା’ ଉଠେଇ ନେଉ ନେଉ କହିଲେ, ‘‘ଦେଖନ୍ତୁ ହରେନ୍ଦ୍ରବାବୁ, ବ୍ୟାପାରଟାକୁ ଆପଣ ଏମିତି ହାଲୁକାଭାବେ ବୁଝିବେନି । ମୋ ଥାନା ଇଲାକା ଭିତରେ ଜଣେ ବିଖ୍ୟାତ ଲୋକଙ୍କର ଖୁଣ୍‍ ହେଇଚି, ଆଉ ଚୋରୀ ଯାଇଚି ପଚାଶ ହଜାର ଟଙ୍କା ।’’

 

ହରେନ୍ଦ୍ର ସିଧାଭାବରେ ବସି କହିଲା, ‘‘କିଏ ଖୁଣ୍‍ ହେଇଚି, ଆଉ କାହାର ଟଙ୍କା ଚୋରୀ ହୋଇଯାଇଚି ?’’

 

‘‘ହତ ବ୍ୟକ୍ତିର ନାମ ସୌରସୁନ୍ଦର ପାଣି । ଟଙ୍କା ତାଙ୍କରି ଚୋରୀ ହୋଇଯାଇଚି ।’’

 

‘‘ହଁ, ସେ ନାଆଁ ମୁଁ ଶୁଣିଚି । ସେ ଏଇ ତୁଳସୀପୁରରେ ରହନ୍ତି ?’’

 

‘‘ହଁ । ଖୁଣୀ ଧରାପଡ଼ିନି ।''

 

‘‘କୌଣସି ସୂତ୍ର ମିଳିନି ?’’

 

‘‘ସୂତ୍ର କିଛି କିଛି ପାଇଚି; କିନ୍ତୁ ଏତେ ଗୋଳମାଳିଆ ଯେ, ସେସବୁ କାମରେ ଲଗେଇ ପାରୁନି । ସନ୍ଦେହ କରିବାଭଳି ଲୋକ ମଧ୍ୟ ପାଇଚି, ତେବେ ସମସ୍ୟାର ସମାଧାନ ହେଉନି ।’’

 

ହରେନ୍ଦ୍ର ପୁଣି କାଉଚ୍ ଉପରେ ଦୁଇଗୋଡ଼କୁ ଟେକି ଲମ୍ବେଇ ଦେଲା । ତା’ପରେ ଆଖି ବନ୍ଦକରି କହିଲା, ‘‘ତାହାହେଲେ ଆଗେ ସେସବୁ କଥା ଶୁଣେ । ମି. ସିଂହ, ଆଖି ବନ୍ଦ କରିଚି ବୋଲି ଭାବିବେନି ମୁଁ ଶୋଇବାର ଉପକ୍ରମ କରୁଚି ବୋଲି । ମୋର ଅଭ୍ୟାସଟା ଜୀବନବାବୁ ଜାଣନ୍ତି । ଆଖି ବନ୍ଦ କଲେ ମୋର ଶୁଣିବାର ଆଉ ଚିନ୍ତା କରିବାର ଶକ୍ତି ଟିକିଏ ବଢ଼ିଯାଏ ।’’

 

ଜୀବନବାବୁ କହିବାକୁ ଲାଗିଲେ–

 

‘‘ସୌରସୁନ୍ଦର ପାଣି ଖୁବ୍ ଧନୀଲୋକ । ବ୍ୟାଙ୍କରେ ତାଙ୍କର ପ୍ରଚୁର ଟଙ୍କା ଜମା ଅଛି । ତା’ଛଡ଼ା ଅନ୍ୟ ସହରମାନଙ୍କରେ କେତେଗୁଡ଼ିଏ ବ୍ୟବସାୟ କେନ୍ଦ୍ର ଅଛି ।’’

 

‘‘ତାଙ୍କର ବୟସ ଷାଠିଏ ପାଖାପାଖି । ପିଲାପିଲି କିଛି ନାହିଁ । ଦୁଇବର୍ଷ ପୂର୍ବେ ସ୍ତ୍ରୀଙ୍କର ମୁତ୍ୟୁ ହେଇଚି । ସୌରୀବାବୁଙ୍କର ଗୋଟିଏ ଭଣଜା ଅଛି । ତା’ର ନାଁ ନିତ୍ୟାନନ୍ଦ ପାଣି । ସେ ମାମୁର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ ।

 

‘‘ସ୍ତ୍ରୀଙ୍କର ମୁତ୍ୟୁପରେ ସୌରୀବାବୁଙ୍କର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଲା । ଫଳରେ ସେ ଅଜୀର୍ଣ୍ଣରୋଗାକ୍ରାନ୍ତ ହୋଇପଡ଼ିଲେ । ତାଙ୍କର ପରିବାରର ଚିକିତ୍ସକ ହେଉଚନ୍ତି ଡାକ୍ତର ଆଇ.ବି. ସିଂହ–ଯିଏ ମୋ ସାଙ୍ଗରେ ଆସିଚନ୍ତି । ମି. ସିଂହ ସୌରୀବାବୁଙ୍କର କେବଳ ଡାକ୍ତର ନୁହନ୍ତି । ତାଙ୍କର ଅନ୍ତରଙ୍ଗ ବନ୍ଧୁ ମଧ୍ୟ । ସୌରୀବାବୁ ଲୋକମାନଙ୍କ ସଙ୍ଗେ ମିଳାମିଶା କରିବାକୁ ବେଶି ଭଲପାଆନ୍ତିନି । ଏଡ଼େ ଧନୀ ହୋଇ ମଧ୍ୟ ତାଙ୍କର ମୋଟେ ତିନି ଚାରିଜଣ ବନ୍ଧୁରୁ ବେଶି ନାହାନ୍ତି । ସେମାନଙ୍କ ଭିତରେ ପ୍ରଧାନ ହେଲେ ମି. ସିଂହ । କେତେବେଳେ କେମିତି ଯେବେ କୌଣସି ଦରକାରୀ ବିଷୟରେ ପରାମର୍ଶ କରିବାକୁ ପଡ଼ିଲା, ତେବେ ସେ ଆଗେ ମି. ସିଂହଙ୍କୁ ଡକେଇ ପଠାନ୍ତି ।

 

‘‘ଅଧିକ ବୟସରେ ସ୍ତ୍ରୀବିୟୋଗ ହେତୁ ବା ଦୀର୍ଘସ୍ଥାୟୀ ରୋଗ ଯୋଗୁ, କିଛିଦିନ ହେଲା ସୌରୀବାବୁଙ୍କୁ ନାନାପ୍ରକାର ଅସ୍ଥିରତା ଆକ୍ରମଣ କରିଥିଲା ।

 

‘‘ଅନ୍ୟ ସହରମାନଙ୍କରେ ଥିବା ବ୍ୟବସାୟ କେନ୍ଦ୍ରଗୁଡ଼ିକୁ ସେ ବିକ୍ରିକରି ସେ ଟଙ୍କା ବ୍ୟାଙ୍କରେ ଜମା ରଖିଦେଇଛନ୍ତି । ଗତକାଲି ସେ ପୁରୀର ଗୋଟାଏ ବ୍ୟବସାୟ କେନ୍ଦ୍ର ବିକି ସେଥିରୁ ମିଳିଥିବା ପଚାଶ ହଜାର ଟଙ୍କା ଆଣି ନିଜ ଶୋଇବା ଘର ସିନ୍ଦୁକରେ ବନ୍ଦ କରି ରଖିଥିଲେ-। ପାଞ୍ଚ ଶହ ଖଣ୍ଡ ଶହେଟଙ୍କିଆ ନୋଟ୍ ।’’

 

ସୌରୀବାବୁ ଯେଉଁ କୋଠରୀରେ ରହନ୍ତି ସେ ଘର ଆଗରେ ଗୋଟାଏ ବିରାଟ କୁକୁର ଦିନରାତି ବନ୍ଧା ହୋଇଥାଏ । ତା’ ହାବୁଡ଼ରୁ ଖସି ସୌରୀବାବୁଙ୍କ ଘରଭିତରକୁ ପଶିବା ସହଜ ନୁହେଁ । କୁକୁରଟା ଯେ ଖାଲି କାମୁଡ଼େ, ତା’ ନୁହେଁ; ଅଚିହ୍ନା ଲୋକ ଦେଖିଲେ ଭୟଙ୍କରଭାବେ ଭୁକି ଉଠେ, ଯାହାଫଳରେ କି ସାରା ତୁଳସୀପୁରର ବାସିନ୍ଦାମାନେ ଉଠିପଡ଼ନ୍ତି ।

 

‘‘ଘରର ପ୍ରଥମ ଦୁଇ ବଖରାରେ ରହନ୍ତି ତାଙ୍କର ଭଣଜା ନିତ୍ୟାନନ୍ଦ ଆଉ କେତେଜଣ ନିକଟ ସମ୍ପର୍କୀୟ ଆତ୍ମୀୟ । ସେମାନଙ୍କ ଭିତରେ ଅଧିକାଂଶ ସ୍ତ୍ରୀଲୋକ ।’’

 

‘‘ମାମୁଙ୍କ ସମ୍ପତ୍ତିର ଉଣାଅଧିକ ତତ୍ତ୍ୱାବଧାନ ବ୍ୟତୀତ ନିତ୍ୟାନନ୍ଦବାବୁଙ୍କର ଅନ୍ୟକିଛି କାମ ନାହିଁ । ତେବେ ମୁଁ ଖବର ନେଇ ବୁଝିଚି ଯେ, ନିତ୍ୟାନନ୍ଦବାବୁଙ୍କର ଜୁଆ ଖେଳିବା ନିଶା ଅଛି ଏବଂ ଲୁଚେଇ ଲୁଚେଇ ସେ ଏଥିରେ ଅନେକ ଟଙ୍କା ନଷ୍ଟ କରିଛନ୍ତି । ସେଥିପାଇଁ ସେ ଅନେକ ଧାରକରଜ ମଧ୍ୟ କରିଚନ୍ତି ।’’

 

‘‘ତାଙ୍କର ମାମୁ ଏସବୁ କଥା ଜାଣନ୍ତିନି । କିନ୍ତୁ କଥାଗୁଡ଼ିକ ଜାଣିପାରିଥିଲେ ଆମର ଏଇ ମି. ସିଂହ । ସେ ଏ ପରିବାରର ଶୁଭାନୁଧ୍ୟାୟୀ ବନ୍ଧୁ । ଏକଥା ସେ ଜାଣିଶୁଣି ଚୁପ୍‍ ହୋଇ ରହିପାରିଲେନି; ସୌରୀବାବୁଙ୍କ ଆଗରେ ସବୁକଥା କହିଦେଇଥିଲେ ।’’

 

‘‘ଏ ଖବର ପାଇବାମାତ୍ରେ ସୌରୀବାବୁ ଭୟଙ୍କର ରାଗିଗଲେ । ଏକେତ ସେ ଭାରି କଡ଼ା ମିଜାଜ୍‍ର ଲୋକ । ତା’ପରେ ଜୁଆଡ଼ିମାନଙ୍କୁ ସେ ବିଶେଷଭାବରେ ଘୃଣା କରନ୍ତି । ସାଙ୍ଗେ ସାଙ୍ଗେ ନିତ୍ୟାନନ୍ଦଙ୍କୁ ଡକେଇ ପଠେଇଲେ । ମାମୁଙ୍କଠାରୁ ଗାଳିମନ୍ଦ ଖାଇ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ମଧ୍ୟ ସୌରୀବାବୁଙ୍କୁ ଆଚ୍ଛାକରି ପଦେ ଦି’ପଦ ଶୁଣେଇ ଦେଲେ । ସୌରୀବାବୁ ରାଗରେ ଅଜ୍ଞାନ ହୋଇ କହିଉଠିଲେ, ‘ଜୁଆଡ଼ିକୁ ମୁଁ ମୋର ସମ୍ପତ୍ତିରୁ ପଇସାଟିଏ ବି ଦେବିନି । ବଞ୍ଚି ଥାଉ ଥାଉ ମୁଁ ନୂଆ ଉଇଲ କରିଦେବି ।’

 

‘‘କାଲି ଦି’ପ୍ରହରବେଳେ ଏ ବ୍ୟାପାର ଲାଗିଥିଲା । ତା’ପରେ ପୁରୀର ବ୍ୟବସାୟ ମ୍ୟାନେଜର ପଠାଇଥିବା ସେଇ ପଚାଶ ହଜାର ଟଙ୍କାର ଇନ୍‍ସିଓର ନୋଟିସ୍ ପାଇ, ତାହା ପୋଷ୍ଟ ଅଫିସରୁ ଆଣି ଫେରିଲେ ।’’

 

‘‘ସନ୍ଧ୍ୟାବେଳେ ତାଙ୍କର ଦେହ କ’ଣ ଟିକିଏ ଖରାପ ଥିଲା ସେଥିପାଇଁ ସେ ଟିକିଏ ସବୁଦିନ ଅପେକ୍ଷା ଚଞ୍ଚଳ ବିଛଣାର ଆଶ୍ରୟ ନେଇଥିଲେ ଏବଂ ଶୋଇବା ଆଗରୁ ନିଜେ ଘରର କବାଟ ଭିତରୁ ବନ୍ଦ କରିଦେଇଥିଲେ । ଆପଣ ତ ଜାଣନ୍ତି, କାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଚି–ପ୍ରାୟ ଘଣ୍ଟାଏ କାଳ ଧରି ।’’

 

‘‘ବର୍ଷା ରାତି ନଅଟାରେ ଛାଡ଼ିଲା । ଘରର ନିୟମ ଅନୁସାରେ ଦରୁଆନ ଠିକ୍ ଦଶଟାବେଳେ ଘର ଆଉ ବାହାରର ଦ୍ୱାର ବନ୍ଦ କରିଦେଇଯାଏ ।’’

 

‘‘ଆଜି ସକାଳୁ ଦେଖାଗଲା, ଖଟ ଉପରେ ସୌରୀବାବୁଙ୍କର ମୃତଦେହ ପଡ଼ିରହିଚି ଏବଂ ଶୋଇବା ଘରର ଦ୍ୱାର ଖୋଲା ଥିଲା । କିନ୍ତୁ ଘରଭିତରୁ ବାହାରକୁ ଯିବାପାଇଁ ଯେତେ ଦ୍ୱାର ସେସବୁ ବନ୍ଦ ଅଛି ।’’

 

‘‘ଖବର ପାଇ ମୁଁ ଯାଇ ଦେଖିଲି, ନିତ୍ୟାନନ୍ଦ ନିହାତି ପିଲାଙ୍କପରି ଅସ୍ଥିର ହୋଇ କାନ୍ଦୁଚନ୍ତି ଆଉ ମି. ସିଂହ ତାଙ୍କୁ ସାନ୍ତ୍ୱନା ଦେବାର ଚେଷ୍ଟା କରୁଚନ୍ତି ।’’

 

‘‘ସୌରୀବାବୁଙ୍କର ମୃତଦେହ ପାଖକୁ ଯାଇ ଦେଖିଲି, ତାଙ୍କ ମୁହଁରେ ଦାରୁଣ ଯନ୍ତ୍ରଣା ଆଉ ଭୟର ଚିହ୍ନ । ତା’ ସଙ୍ଗେ ସଙ୍ଗେ ରହିଚି ବିଷମ ବିସ୍ମୟର ଆଭାସ ।’’

 

‘‘ତାଙ୍କର ଗଳା ଉପରେ ଗୋଟାଏ ନୀଳ ଦାଗ । ବିଛଣା ଉପରେ ଧସ୍ତାଧସ୍ତିର ଚିହ୍ନ । ଖଟତଳେ ପଡ଼ିଥିଲା ଗୋଟାଏ ଭଙ୍ଗା ଗ୍ଲାସ୍‍ର ଛୋଟବଡ଼ କାଚଖଣ୍ଡ–ସେଥିରୁ କେତେଖଣ୍ଡ ରକ୍ତାକ୍ତ-।’’

 

‘‘ଆଉ ଗୋଟାଏ ଆଶ୍ଚର୍ଯ୍ୟ ଜିନିଷ ବି ପାଇଚି । ଖୁବ୍ ପତଳା ପଶମର ଗୋଟାଏ glove !’’

 

‘‘ଘରର ମଝିରେ କାଦୁଅଲଗା ଜୋତାର ଦାଗ ଅଛି ଦୁଇପ୍ରକାର ଜୋତାର ସେ ଚିହ୍ନ । କିନ୍ତୁ କୌଣସି ଦାଗ ଏପରି ସ୍ପଷ୍ଟ ବା ସମ୍ପୂର୍ଣ୍ଣ ନୁହେଁ ଯେ, ନିଖୁଣ ମାପ କିମ୍ବା ଛାପ ନିଆଯାଇପାରିବ-। ତେବେ ଦୁଇଜଣ ଲୋକ ଯେ ବର୍ଷା ପରେ ସେ ଘର ଭିତରେ ପଶିଥିଲେ, ସେ ବିଷୟରେ କୌଣସି ସନ୍ଦେହ ନାହିଁ । ଘରର ଝରକା ପାଖେ ବାହାରପଟେ ଯେ ଜଣେ ଲୋକ କିଛି ସମୟ ଅପେକ୍ଷା କରିଥିଲା, ସେ ବିଷୟ ହଳେ ଜୋତାର ସ୍ପଷ୍ଟ ଛାପ ଦେଖି ଅନୁମାନ କରିଚି । ତା’ର ରାମ୍ପୁଡ଼ିଆ ସୋଲ ଦାଗ ଦେଖିଲେ ମନେହୁଏ, ସେ ଲୋକଟା ରବରର ଜୋତାପିନ୍ଧି ଆସିଥିଲା । ଘର ଭିତରେ ସେମିତି ରବର ଜୋତାର ଆଂଶିକ ଛାପ ଅଛି । ସୁତରାଂ ବୁଝିବାକୁ ଡେରି ଲାଗୁନି ଯେ, ପ୍ରଥମ ଜଣକ ଘରେ ପଶିବା ପରେ ସେ ଘର ଭିତରକୁ ଯାଇଚି । ଦୁଆର ବାହାରେ ଥିବା ସେ ରବର ଜୋତାର ଛାପ ମୁଁ ନେଇସାରିଚି ।’’

 

‘‘ସୌରୀବାବୁଙ୍କର ମୃତଦେହ ଦେଖିଲେ ମନେହୁଏ, କେହି ତାଙ୍କର ଗଳା ଚିପିବା ଫଳରେ ମୃତ୍ୟୁ ହେଇଚି ।’’

 

‘‘ତାଙ୍କର ଲୁହା ସିନ୍ଦୁକଟା ଖୋଲା । ସୌରୀବାବୁଙ୍କ ନିଜର ଚାବିରେ ସେଇଟା ଖୋଲା ହୋଇଚି । ଭିତରୁ କେବଳ ପଚାଶ ହଜାର ଟଙ୍କାର ନୋଟ୍‍ ଚୋରୀ ହେଇନି । ସୌରୀବାବୁଙ୍କର ପାସ୍ ବହି ଥିଲା । ହ୍ୟାଣ୍ଡନୋଟରେ ସେ ଟଙ୍କା ଧାରଦିଅନ୍ତି । ସେ ସିନ୍ଦୁକ ଭିତରେ ଅନେକ ହ୍ୟାଣ୍ଡନୋଟ୍ ଥିଲା । ସେଗୁଡ଼ାକ ଆଉ ନାହିଁ । ଆଉ ତାଙ୍କର ଡାଏରୀ ଖଣ୍ଡକ ମଧ୍ୟ ମିଳୁନି ।’’

 

‘‘ବର୍ତ୍ତମାନ ପ୍ରଶ୍ନ ହେଉଚି, ହତ୍ୟାକାରୀ କିଏ ?’’

 

‘‘ଖୁଣୀ ଯେ ବାହାରୁ ଆସିନି, ତା’ର ପ୍ରମାଣ ହେଉଚି, ପ୍ରଥମତଃ ଘରର ପ୍ରତ୍ୟେକ ବାହାର ଦ୍ୱାର ଭିତରୁ ବନ୍ଦ ଥିଲା । ଦ୍ୱିତୀୟତଃ, ବାରଣ୍ଡାରେ ବନ୍ଧାଥିବା ସେ ବିରାଟ କୁକୁର ଆଦୌ ଭୁକାଭୁକି କରିନି । ତା’ର ମାନେ, ଖୁଣୀ ତା’ର ଅଚିହ୍ନା ନୁହେଁ ।’’

 

‘‘ଘରଭିତରର ସ୍ତ୍ରୀଲୋକଙ୍କ କଥା ଛାଡ଼ିଦିଅ । ପୁରୁଷ ଆତ୍ମୀୟ ଅଛନ୍ତି ମୋଟେ ଚାରିଜଣ । ନିତ୍ୟାନନ୍ଦ, ଜଣେ ସତୁରୀ ବର୍ଷର ବୁଢ଼ା, ଆଉ ଜଣେ ବାତରେ ପଙ୍ଗୁଲୋକ, ପନ୍ଦର ବର୍ଷର ଗୋଟିଏ ପିଲା ଅଛି । ଏହା ବ୍ୟତୀତ ଚାକରବାକର, ଦରୁଆନ ଅଛନ୍ତି । ଯଦି ଧରାଯାଏ, ଟଙ୍କା ଲୋଭରେ ସେମାନେ ମୁନିବଙ୍କୁ ମାରିଚନ୍ତି, ତାହାହେଲେ ଗୋଟାଏ ପ୍ରଶ୍ନ ଉଠୁଚି ଖୁଣୀର ପାଦରେ ଜୋତା ଥିଲା । ଚାକର ବା ଦରୁଆନ ଘରେ ଜୋତା ପିନ୍ଧନ୍ତିନି । ପିନ୍ଧିଲେ ବି ଚୁପ୍‍ଚାପ୍ କାମ କରିବାକୁ ସେ ଖାଲିପାଦରେ ଆସିଥାଆନ୍ତେ । ସେ ଡାଏରୀ ଚୋରୀ କରିନଥାନ୍ତେ କି glove ପିନ୍ଧିନଥାନ୍ତେ ।’’

 

‘‘ଘରଭିତରେ ସୌରୀବାବୁଙ୍କ ମୃତ୍ୟୁରେ କେବଳ ଲାଭବାନ ହେବେ ନିତ୍ୟାନନ୍ଦ । ଖୁଣ୍‍ ଦିନ ତାଙ୍କ ସାଙ୍ଗେ ସୌରୀବାବୁଙ୍କର ଝଗଡ଼ା ହୋଇଥିଲା ଏବଂ ତାଙ୍କର ମାମୁ ତାଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିବେବୋଲି ଶାସନ କରିଥିଲେ । ନିତ୍ୟାନନ୍ଦଙ୍କର ଅନେକ ଧାରକରଜ ନଗଦ ଟଙ୍କା ବିଶେଷ ଦରକାର । ତାଙ୍କୁ ଅନାୟାସେ ସନ୍ଦେହ କରାଯାଉଚି । ହୁଏତ ତାଙ୍କର ଡାକ ଶୁଣି ସୌରୀବାବୁ ନିଜେ କବାଟ ଖୋଲିଦେଇଥିବେ । କୁକୁରଟା ତାଙ୍କୁ ଚିହ୍ନିଥିଲା । ସେଥିପାଇଁ ଭୁକାଭୁକି କିଛି କରିନି ।’’

 

‘‘କିନ୍ତୁ ଘଟଣାସ୍ଥଳରେ ଖୁଣୀର ଜଣେ ସାଙ୍ଗ ବି ଥିଲା । ସେ ଲୋକଟା କିଏ ? ଘରଟାଯାକ ଖୋଜି ଦେଖିଚି, ରବର ଜୋତାର ଛାପ ସାଙ୍ଗେ କାହାରି ଜୋତାର ମାପ ମିଶୁନି । ରବର ଜୋତା ମଧ୍ୟ ସେ ଘରେ କାହାରି ନ ଥିଲା ।’’

 

‘‘ହରେନ୍ଦ୍ରବାବୁ, ଏଇ ହେଲା ମୂଳକଥା । ବର୍ତ୍ତମାନ ଆପଣ ଯଦି କିଛି ପଚାରିବେ, ପଚାରନ୍ତୁ । ମି. ସିଂହଙ୍କୁ ସାଙ୍ଗରେ ନେଇଆସିଚି । ସେ ମଧ୍ୟ ଅନେକ ବିଷୟରେ ଆପଣଙ୍କର ସନ୍ଦେହ ମୋଚନ କରିପାରିବେ । କାରଣ ସେ ହେଉଚନ୍ତି ସୌରୀବାବୁଙ୍କର ପୁରୁଣା ବନ୍ଧୁ ।’’

 

ହରେନ୍ଦ୍ର ଆଖିଖୋଲି ପଚାରିଲା, ‘‘ଲାସ୍‍ଟାକୁ କ’ଣ ପୋଷ୍ଟମର୍ଟମ୍‍କୁ ପଠେଇଦେଇଚ-?’’

 

“ନା । ଇଚ୍ଛାକଲେ ବର୍ତ୍ତମାନ ଘଟଣାସ୍ଥଳକୁ ଯାଇ ଲାସ୍‍କୁ ଦେଖିପାରିବେ ।’’

 

ହରେନ୍ଦ୍ର ଉଠୁ ଉଠୁ କହିଲା, ‘‘ହଁ, ସେକଥା ଠିକ୍ । ପ୍ରତାପ, ତୁ ବି ଚାଲ ।’’

 

ମୁଁ ସାହିତ୍ୟିକ ମଣିଷ । ଲାସ୍‍ଫାସ୍ ଦେଖିଲେ ଦେହମୁଣ୍ଡ ମୋର ଝିମ୍ ଝିମ୍ କରିଉଠେ । ନାଡ଼ି ଛାଡ଼ିଗଲାପରି ଲାଗେ । ତେବେ ହରେନ୍ଦ୍ର କଥା ଭାଙ୍ଗିପାରିଲିନି ।

 

ଆମେମାନେ ସମସ୍ତେ ତୁଳସୀପୁରସ୍ଥ ଘଟଣାସ୍ଥଳରେ ପହଞ୍ଚିଲୁ ।

 

ହରେନ୍ଦ୍ର ଆଗେ ଘରଟାକୁ ବୁଲି ବୁଲି ଦେଖିବାକୁ ଲାଗିଲା । ତା’ପରେ ସୌରୀବାବୁଙ୍କର ଶୋଇବା ଘରର ବାରଣ୍ଡାରେ ଠିଆହୋଇ ରବର ଜୋତାର ଛାପଟାକୁ ଲକ୍ଷ୍ୟକଲା । ଦୁଆର ଆଗରେ ବନ୍ଧାଯାଇଥିବା ବିରାଟ କୁକୁରଟା ଆମମାନଙ୍କୁ ଦେଖି ଭୁକିବାକୁ ଲାଗିଲା ।

 

ଘରଭିତରକୁ ପଶି ଦେଖିଲୁଁ ସୌରୀବାବୁଙ୍କର ମୃତଦେହ ।

 

ହରେନ୍ଦ୍ର ଲାସ୍ ପାଖରେ ବସିପଡ଼ି କହିଲା, ‘‘ମି. ସିଂହ, ଆପଣ ତ ଡାକ୍ତର । ଆପଣଙ୍କର କ’ଣ ବିଶ୍ୱାସ ? ସୌରୀବାବୁଙ୍କର କେହି ଗଳାଚିପି ମାରିଚି ?’’

 

‘‘ତା ବ୍ୟତୀତ ଆଉ କ’ଣ କୁହାଯିବ, କୁହନ୍ତୁ ?’’

 

‘‘ତା’ହେଲେ ଗଳା ଉପରେ ଏ ନୀଳ ଦାଗଟା କ’ଣ ? ଏଇଟା ଆଙ୍ଗୁଳିର ଦାଗ ନୁହେଁ । ହଠାତ୍ ଦେଖିଲେ ମନେହୁଏ, ଯେମିତି ଏଇଟା କୌଣସି ସ୍ୱଚ୍ଛ ବ୍ୟାଣ୍ଡେଜ୍ । ଅଙ୍ଗୁଳିର ଦାଗ ଏଭଳି ହୁଏନି ।’’

 

‘‘ମୋର ମନେହୁଏ, ଅଙ୍ଗୁଳି ଦାଗ ଲିଭିଯାଇଛି । ଏଇଟା କଳା ଶିରର ଦାଗ ।’’

 

‘‘ସେଇଆ ହେବ । ଲାସ୍ ପୋଷ୍ଟମର୍ଟମ୍ ହେଲେ ସତ୍ୟତା ଜଣାଯିବ । ଆଚ୍ଛା, ଜୀବନବାବୁ, ଓଡ଼ିଶାରେ ଶୀତଦିନେ କୌଣସି ଓଡ଼ିଆ ଲୋକ ହାତରେ glove ପିନ୍ଧନ୍ତି ନା କ’ଣ-?’’

 

ଜୀବନବାବୁ କହିଲେ, ‘‘କେହି ପିନ୍ଧନ୍ତିନି ବୋଲି ମୁଁ ଜାଣେ । ଅନ୍ତତଃ ଏ ଘରର କେହି କୌଣସି ଦିନ glove ବ୍ୟବହାର କରନ୍ତିନି, ଏକଥା ମଧ୍ୟ ଜାଣେ ।’’

 

ମଝିରୁ gloveଟାକୁ ଉଠାଇ ଆଣି ହରେନ୍ଦ୍ର କହିଲା, ‘‘ଖୁବ୍ ପତଳା ଧଳା ପଶମର glove । ଏହା ଉପରେ ରକ୍ତଦାଗ ଅଛି । ହଁ, ଗ୍ଲାସ୍‍ର ଭଙ୍ଗା କାଚରେ gloveର କିଛି ଅଂଶ କଟିଯାଇଚି । କାଚର ଗ୍ଲାସ୍‍ଟା ବି ଭଙ୍ଗା । କାଚ ଟୁକୁରା ଉପରେ ରକ୍ତର ଦାଗ । ଆଶ୍ଚର୍ଯ୍ୟ !’’

 

ଜୀବନବାବୁ କହିଲେ, ‘‘କାହିଁକି, ଆପଣ ଆଶ୍ଚର୍ଯ୍ୟ ହେବାର କାରଣ କ’ଣ ଅଛି ?’’

 

ହରେନ୍ଦ୍ର ପ୍ରଥମେ ଲାସ୍‍ଟାକୁ ଟେକି ତା’ ତଳଟା ପରୀକ୍ଷା କଲା । ତା’ପରେ ବିଛଣାଆଡ଼କୁ ଚାହିଁ ପଚାରିଲା, ‘‘ଏ କାଚ ଗ୍ଲାସ୍‍ଟା କ’ଣ ସୌରୀବାବୁଙ୍କର ?’’

 

‘‘ହଁ, ଘର ସେ କଣରେ ସେ ଯୋଉ ଛୋଟ ଟେବୁଲ୍‍ଟା ଅଛି, ତା’ ଉପରେ ଏ ଗିଲାସଟା ପ୍ରାୟ ସଦାବେଳେ ରହୁଥିଲା ବୋଲି ଶୁଣିଚି ।’’

 

‘‘ବିଛଣା ଉପରେ ଧସ୍ତାଧସ୍ତି ଚିହ୍ନ ଦେଖି ଜଣାଯାଉଚି, ଖୁଣୀ ସହିତ ସୌରୀବାବୁ ଖଣ୍ଡେ ପଟେ ଭଲ ରକମ ଲଢ଼ିଛନ୍ତି । ଘରର ଅନ୍ୟକୌଣସି ଜାଗାରେ ଧସ୍ତାଧସ୍ତିର ଚିହ୍ନ ନାହିଁ । ଧରନ୍ତୁ, ଖୁଣୀ ସୌରୀବାବୁଙ୍କର ଗଳାଚିପି ଧରିଚି । ସୌରୀବାବୁ ଛାଟିପିଟି ହୋଇ ଶେଷରେ କାବୁ ହୋଇଚନ୍ତି । କିନ୍ତୁ ଗ୍ଲାସ୍‍ଟା ଭାଙ୍ଗିଛି ତା’ର ଆଗରୁ । କାରଣ ଲାସ୍‍ର ପିଠିତଳେ ଭଙ୍ଗା କାଚ ଖଣ୍ଡ ଅଛି ।...କିନ୍ତୁ ଗ୍ଲାସ୍‍ଟା ଭାଙ୍ଗିଲା କାହିଁକି ? ଆଉ ଗ୍ଲାସ୍ କାଚରେ ଖୁଣୀର ହାତ ବା କଟିଲା କାହିଁକି ? ଗ୍ଲାସ୍‍ଟା ତ ଆଉ ହଠାତ୍ ଟେବୁଲ୍‍ ଉପରୁ ଚଢ଼େଇ ଉଡ଼ିଲା ପରି ଉଡ଼ିଆସି ଖୁଣୀକୁ ଆକ୍ରମଣ କରିନି-?’’

 

ଜୀବନବାବୁ ପ୍ରଶଂସାପୂର୍ଣ୍ଣ ଭାଷାରେ କହିଲେ, ‘‘ଠିକ୍, ହରେନ୍ଦ୍ରବାବୁ ! ଆପଣ ଗୋଟାଏ ମସ୍ତବଡ଼ ସୂତ୍ର ଆବିଷ୍କାର କରିଚନ୍ତି । ସେକଥା ତ ମୁଁ ଏତେବେଳ ପର୍ଯ୍ୟନ୍ତ ଭାବିନି !’’

 

ହରେନ୍ଦ୍ର କହିଲା, ‘‘ଗ୍ଲାସ୍‍ର ତଳ ଅଂଶ ଭଲ ଅଛି । କିନ୍ତୁ ଭିତରଟା ଏକାବେଳେ ଶୁଖିଲା-। ତେବେ ଏଇଟାକୁ ଚଞ୍ଚଳ ପୋଲିସ୍‍ର ଗବେଷଣା ପାଇଁ ପଠେଇଦେବା ଦରକାର । ହୁଏତ ଏହା ମଧ୍ୟରେ କୌଣସି ବିଶେଷ ଅସ୍ତିତ୍ୱ ଥାଇପାରେ । ଏହା ଦେହରେ ଖୁଣୀର ଆଙ୍ଗୁଳି ଛାପଥିବା ମଧ୍ୟ ସମ୍ଭବ ।’’

 

ଜୀବନବାବୁ କହିଲେ, ‘‘ହଁ, ସେକଥା ମୁଁ ଆଗରୁ ସ୍ଥିର କରିଚି ।’’

 

‘‘ଆଉ ଏ gloveଟା ମୁଁ ଆଜି ଦିନକ ପାଇଁ ନେଉଚି ।’’

 

‘‘ନିଅନ୍ତୁ ସେଇଟା । କିନ୍ତୁ କାହିଁକି ?’’

 

‘‘ଏହା ଦେହରେ ଲାଗିଥିବା ରକ୍ତ ମୁଁ ପରୀକ୍ଷା କରିବି ।’’

 

ମି. ସିଂହ କୌତୂହଳୀ ସ୍ୱରରେ ପଚାରିଲେ, ‘‘ତା’ଦ୍ୱାରା କୌଣସି ଲାଭ ହେବ ନା କ’ଣ-?’’

 

‘‘ହେବ ନିଶ୍ଚୟ, ମି. ସିଂହ ! ଆପଣ ଡାକ୍ତର । ଏଇଟା ନିଶ୍ଚୟ ଜାଣନ୍ତି ଯେ, ଡାକ୍ତରୀ ମତରେ ମଣିଷ ଦେହର ରକ୍ତକୁ ଚାରି ଗ୍ରୁପରେ ବିଭକ୍ତ କରାଯାଏ । ସେଇ ବିଷୟ ମୁଁ ପରୀକ୍ଷାକରି ଦେଖିବି, gloveର ରକ୍ତ କେଉଁ ଗ୍ରୁପରେ ବା କେଉଁ ଶ୍ରେଣୀରେ ପଡ଼ିବ । ତା’ହେଲେ ଖୁଣୀ ଗିରଫ ହେଲେ ଅନେକଟା ନିଶ୍ଚିତରେ କୁହାଯାଇପାରିବ, ଏ ରକ୍ତ ତା’ରି ଦେହରୁ ବାହାରିଚି କି ନାଇଁ ।’’

 

ମି. ସିଂହ କହିଲେ, ‘‘ହରେନ୍ଦ୍ରବାବୁ, ମୁଁ ଜାଣେନି ଯେ ଓଡ଼ିଶାର ଗୋଏନ୍ଦା କାମରେ କେହି ଏମିତି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବାର । ଆପଣ ଆଶ୍ଚର୍ଯ୍ୟ କରିଦେଲେ । ଆଜି ବଡ଼ ଖରାପ ବେଳରେ ଦେଖାହେଲା । ନ ହେଲେ ଭଲ ଭାବରେ ଟିକିଏ କଥାବାର୍ତ୍ତା ହୋଇଥାଆନ୍ତି ।’’

 

ହରେନ୍ଦ୍ର ବିନୀତଭାବେ କହିଲା, ‘‘ମୁଁ ରଙ୍ଗୀନ୍ ବେଲୁନ୍ ନୁହେଁ, ମି. ସିଂହ, ଦୟାକରି ମୋତେ ଉଚ୍ଚ ଆକାଶକୁ ଟେକିବେନି । ଆଉ ମୋ ସାଙ୍ଗେ ଯଦି ଭଲ ଭାବରେ କଥାବାର୍ତ୍ତା କରିବାକୁ ଚାହାନ୍ତି, ତା’ହେଲେ ଅଧୀନ ସଦାବେଳେ ଆପଣଙ୍କ ଦୁଆରେ ହାଜର ହେବାକୁ ରାଜି ଅଛି ।’’

 

ମି. ସିଂହ ହରେନ୍ଦ୍ରର ହାତଧରି କହିଲେ, ‘‘ଦୁଆରେ ନୁହେଁ ହରେନ୍ଦ୍ରବାବୁ ! ଏକାବେଳକେ ମୋର ଦୋତାଲା ଉପରେ ଥିବା ଡ୍ରଇଁରୁମ୍ ପର୍ଯ୍ୟନ୍ତ ଯିବାକୁ ହେବ । କାଲି ସକାଳୁ ମୋର ନିମନ୍ତ୍ରଣ ରହିଲା । କ’ଣ, ଯିବେ ତ ?’’

 

‘‘ଏ ମୋର ପରମ ସୌଭାଗ୍ୟ । କିନ୍ତୁ ଆପଣଙ୍କର ଠିକଣା ତ ମୁଁ ଜାଣିନି ।’’

 

‘‘ଦୋଳମୁଣ୍ଡେଇରୁ ଆସିଲାବେଳେ କୃଷ୍ଣ ଚିତ୍ରାଳୟଠାରୁ କିଛିଦୂର ଛଡ଼ା ଗୋଟାଏ ରଙ୍ଗୀନ ଦୋତାଲାରେ ମୁଁ ରହୁଚି ।”

 

ଜୀବନବାବୁ କହିଲେ, ମି. ସିଂହ ବେଶ୍ ଲୋକ ତା’ହେଲେ ! ତେଲି ତେଲ ଏକାଠି ମିଶିଗଲେ, ଆଉ ପିଡ଼ିଆପରି ମୁଁ ବାଦ୍ ପଡ଼ିଗଲି !’’

 

ମି. ସିଂହ କହିଲେ, ‘‘ମୋଟେ ନୁହେଁ–ମୋଟେ ନୁହେଁ, ଆପଣ ଯିବେ, ପ୍ରତାପବାବୁ ମଧ୍ୟ ଯିବେ ।’’

 

ମୋର କିନ୍ତୁ ମନ କେମିତି ଲାଗିଲା । ଆଗରେ ପଡ଼ିରହିଚି ଖୁଣ୍‍ ହୋଇ ଗୋଟାଏ ମୃତଦେହ । ଘରଭିତରୁ ଶୁଭୁଚି ଆତ୍ମୀୟମାନଙ୍କ ବୁକୁଫଟା କାନ୍ଦଣା-ଏଇଠାରେ ଠିଆହୋଇ ନିମନ୍ତ୍ରଣ ଦିଆନିଆ ଚାଲିଚି ! ତା’ପରେ ବୁଝିଲି, ମି. ସିଂହ ହେଉଚନ୍ତି ଡାକ୍ତର; ଲାସ୍ କାଟିକାଟି ଆଉ ଲୋକଙ୍କର ମରିବା ଦେଖି ଦେଖି ସେ ମନକୁ ଟାଣ କରିଛନ୍ତି ଏବଂ ଜୀବନବାବୁ ହେଲେ ପୁରୁଣା ପୋଲିସ୍‍ ଲୋକ; ଜୀବନରେ ବହୁତ ନିହିତ ମନୁଷ୍ୟର ଦେହ ସମ୍ପର୍କରେ ଚଳପ୍ରଚଳ ହୋଇ ଏ ଦୃଶ୍ୟଗୁଡ଼ାକ ତାଙ୍କ ନଜରକୁ ବିଚଳିତ କରିପାରୁନି । ସୁତରାଂ ତାଙ୍କ ମନରେ ବିକାର ମନୋବୃତ୍ତି ପ୍ରବେଶ ନ କରିବା ସ୍ୱାଭାବିକ । ଯେମିତି ମଶାଣିର ବାବାଜୀମାନେ ମୁର୍ଦ୍ଦାର ପୋଡ଼ା ଶେଷହେଲେ ସେଇ ନିଆଁରେ ହାଣ୍ଡି ବସେଇ ଭାତ ରାନ୍ଧୁଥିବାର ଦେଖାଯାଏ ।

 

ମି. ସିଂହ ନିଜର ହାତଘଡ଼ି ଦେଖି ବ୍ୟସ୍ତହୋଇ କହିଲେ, ‘‘ସାଢ଼େ ଆଠଟା ବାଜିଲା ! ଜୀବନବାବୁ, ଆଉ ମୁଁ ରହିପାରିବିନି–ନଅଟା ଭିତରେ ମୋତେ ଗୋଟିଏ ରୋଗୀ ଘରକୁ ଯିବାକୁ ହେବ । ହରେନ୍ଦ୍ରବାବୁ, ମୋ ପାଖରେ କ’ଣ ଆପଣଙ୍କର କିଛି ଦରକାର ଅଛି ?’’

 

ହରେନ୍ଦ୍ର କହିଲା, ‘‘ନା, ମି. ସିଂହ, ଆପଣ ଅନାୟାସରେ ଯାଇପାରନ୍ତି ।’’

 

ମି. ସିଂହ ଚାଲିଗଲେ । ହରେନ୍ଦ୍ର କିଛି ସମୟ ଲୁହାର ସିନ୍ଦୁକଟାକୁ ପରୀକ୍ଷା କରି କହିଲା, ‘‘ଜୀବନବାବୁ, ଏହାର ଚାବି କାହା ପାଖରେ ଅଛି ?’’

 

‘‘ଚାବି ମିଳୁନି । ବୋଧହୁଏ ଖୁଣୀ ପାଖରେ ଅଛି । ଗୋଛାଏ ଚାବି । ଘରର ଲୋକେ ଯେ ଏଇ ଖୁଣ୍‍ ସଙ୍ଗେ ଜଡ଼ିତ ଅଛନ୍ତି, ୟେ ତା’ର ଗୋଟାଏ ପ୍ରମାଣ । ବାହାରର ଖୁଣୀ ଚାବି ନେଇଯିବ କାହିଁକି ? ଯିଏ ଚାବି ନେଇଯାଇଚି, ନିଶ୍ଚୟ ତା’ର ଆହୁରି କୌଣସି ଖରାପ ମତଲବ ଅଛି ।’’

 

ହରେନ୍ଦ୍ର କିଛି କହିଲାନି । ଚୁପ୍‍ଚାପ୍ ଘରର ଚାରିଆଡ଼କୁ ଆଖି ବୁଲେଇବାରେ ଲାଗିଲା-। ହଠାତ୍ ଉଠିପଡ଼ି ଘର ମଝିରୁ ଗୋଟାଏ ଶୁଖିଲା କାଦୁଅ ପରି ଜିନିଷ ଉଠାଇଆଣି କିଛି ସମୟ ସେଇଟାକୁ ପରୀକ୍ଷା କରି କହିଲା, ‘‘ଜୀବନବାବୁ, କହିଲେ ଦେଖି, ଏଇଟା କ’ଣ ?’’

 

‘‘ଖଣ୍ଡେ ଶୁଖିଲା କାଦୁଅ ମାଟି ।’’

 

‘‘ହଁ, ଓଦା ବାଟଦେଇ ଆସିବା ସମୟରେ ଖୁଣୀମାନଙ୍କ ମଧ୍ୟରୁ କାହାରି ଜୋତାର ସୋଲଭିତରେ ଏଇ କାଦୁଅ ଖଣ୍ଡକ ଲାଗି ଯାଇଥିଲା । ତା’ପରେ ସୌରୀବାବୁଙ୍କ ସାଙ୍ଗେ ଧସ୍ତାଧସ୍ତି ହେଲାବେଳେ କାଦୁଅ ଟୁକୁରାଟି ଫାଙ୍କଭିତରୁ ଖସିପଡ଼ିଚି।”

 

ମୁଁ ପଚାରିଲି, ‘‘ତୁ କେମିତି ଜାଣିଲୁ ଯେ, ଆମ ଭିତରୁ କାହା ଜୋତାରୁ ଏ ଖଣ୍ଡକ ଖସିପଡ଼ିନି ?’’

 

‘‘ତା’ର ଦୁଇଟା କାରଣ ଅଛି । ପ୍ରଥମତଃ, ଆଜି ସକାଳରୁ ସହରର ରାସ୍ତା ସବୁ ଶୁଖିଲା ଖଡ଼୍ ଖଡ଼୍ । ଏ ଘରେ ଯେଉଁମାନେ ପ୍ରବେଶ କରିଚନ୍ତି ସେମାନେ କେହି କାଦୁଅ ରାସ୍ତାରେ ଆସିନାହାନ୍ତି । ଦ୍ୱିତୀୟତଃ, ମୁଁ ଖାଲି ଆଖିରେ ଯେତେଦୂର ଦେଖିଚି, ଏଇ କାଦୁଅ ମଧ୍ୟରେ ସାମାନ୍ୟ ନୂତନତ୍ୱ ଅଛି ।’’

 

ଜୀବନବାବୁ କହିଲେ, ‘‘ଖୁଣୀମାନଙ୍କ ମଧ୍ୟରେ ଜଣେ ରବରର ଜୋତା ପିନ୍ଧିଥିଲା । ତା’ର ତଳପଟଟା ରାଞ୍ଚୁଡ଼ିଆ ଥିଲା । ତେଣୁ ଏଭଳି ଖଣ୍ଡେ କାଦୁଅ ତା’ର ଜୋତାତଳେ ଲାଗି ନ ଥିବ ।’’

 

‘‘ଠିକ୍ ! ଅତଏବ ଏଇଟି ସଂଲଗ୍ନ ଥିଲା ଅନ୍ୟ ଖୁଣୀର ଜୋତାରେ ଥିବା ସୋଲରେ । ଏକୁ ମୁଁ ଯତ୍ନର ସହିତ ରଖୁଚି; ବସାକୁ ଗଲେ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରିବି-। ....ଜୀବନବାବୁ, ଥରେ ନିତ୍ୟାନନ୍ଦବାବୁଙ୍କ ସାଙ୍ଗେ ଦେଖାହେବାର ସୁବିଧା ହେବ କି ?’’

 

‘‘ନିଶ୍ଚୟ ହେବ” । ଜୀବନବାବୁଙ୍କ ହୁକୁମରେ ସାଙ୍ଗେ ସାଙ୍ଗେ ଜଣେ ଲୋକ ନିତ୍ୟାନନ୍ଦବାବୁଙ୍କୁ ଖବର ଦେବାକୁ ଗଲା ।

 

କିଛି ସମୟ ପରେ ଗୋଟିଏ ଯୁବକ ଶଙ୍କିତଭାବେ ଚାରିଆଡ଼େ ଚାହିଁ ଚାହିଁ ଅତ୍ୟନ୍ତ ଜଡ଼ସଡ଼ ହୋଇ ଘରଭିତରେ ଆସି ପହଞ୍ଚିଲେ । ବେଶ୍ ଗୋରା, ସାଧାରଣ ସ୍ୱାସ୍ଥ୍ୟ, ଖୁବ୍ ସୁନ୍ଦର ଚେହେରା । ଯୁବକଟି ଯେ ଖୁବ୍ ସଉକିଆ, ସେକଥା ଦେଖିଲେ ଜଣାପଡ଼ୁଚି । କିନ୍ତୁ ମୁଣ୍ଡର କୁଞ୍ଚୁକୁଞ୍ଚିଆ ବାଳ ଗାଧୁଆ ଅଭାବରୁ ସେଦିନ ଅଲରା ବଲରା, ଚାକଚକ୍ୟହୀନ । ଖୁବ୍ ଦାମିକା ସିଲ୍‍କ ଚାଇନିଜ୍‍ ଓ ଟ୍ରାଉଜର ପିନ୍ଧିଥିଲେ । କିନ୍ତୁ ସେସବୁ ମଇଳା ଆଉ ଲୋଚାକୋଚା ଦିଶୁଥିଲା । ଆଖି ଦୁଇଟି ଆରକ୍ତ ହୋଇ ସାମାନ୍ୟ ଫୁଲିଥାଏ । ଦୁଇ ଗଣ୍ଡ ଉପରେ ଦି’ଧାର ଶୁଖିଲା ଲୁହ ।

ହରେନ୍ଦ୍ର ତୀକ୍ଷ୍‍ଣ ଦୃଷ୍ଟିରେ ଯୁବକଙ୍କ ଆଡ଼କୁ ନୀରବରେ ଚାହିଁରହିଲା ଅନେକ ସମୟ ପର୍ଯ୍ୟନ୍ତ । ତା’ର ଆଖିଦୁଇଟା ଦେଖିଲେ ମନେହୁଏ, ସେ ଯେମିତି ଯୁବକର ମନଭିତରେ ପଶିବାକୁ ଚେଷ୍ଟା କରୁଚି ।

ତା’ର ସେ ତୀବ୍ର ଦୃଷ୍ଟି ସହିନପାରି ଯୁବକ ମୁଣ୍ଡ ତଳକୁ କରି କମ୍ପିତ କଣ୍ଠରେ ପଚାରିଲେ, ‘‘ଆପଣ କ’ଣ ମତେ ଡକେଇଥିଲେ ?’’

ହରେନ୍ଦ୍ର କହିଲା, ‘‘ଆପଣଙ୍କର ନାଁ କ’ଣ ?’’ ତା’ର କଣ୍ଠର କଠୋରତା ଦେଖି ବିସ୍ମିତ ହୋଇଗଲି ।

‘‘ଶ୍ରୀ ନିତ୍ୟାନନ୍ଦ ପାଣି ।’’

‘‘କାଲି ସନ୍ଧ୍ୟାଠାରୁ ରାତିଦଶଟା ପର୍ଯ୍ୟନ୍ତ ଆପଣ କ’ଣ କରୁଥିଲେ ?’’

‘‘କାଲି ସନ୍ଧ୍ୟା ସାଢ଼େସାତଟାଠାରୁ ରାତି ବାରଟା ପର୍ଯ୍ୟନ୍ତ ମୁଁ ଥିଏଟରରେ ଥିଲି ।’’

‘‘ଘରକୁ ଫେରିଲେ କେତେବେଳେ ।’’

‘‘ରାତି ସାଢ଼େ ଗୋଟାଏବେଳେ ।’’

‘‘କ’ଣ ରିକ୍ସାରେ ଆସିଥିଲେ ?’’

‘‘ଆଜ୍ଞା, ହଁ ।’’

‘‘କୋଉ ଥିଏଟର ଯାଇଥିଲେ ?’’

‘‘ଜନତା ।’’

‘‘ଫେରିଲାବେଳେ ଦ୍ୱାର ବନ୍ଦଥିଲା ?’’

‘‘ଆଜ୍ଞା, ହଁ ।’’

‘‘ଦ୍ୱାର କିଏ ଫିଟେଇଥିଲା ?’’

‘‘ଦରୁଆନକୁ ଡାକିବାରୁ ସେ ଆସି କବାଟ ଫିଟେଇଥିଲା ।’’

‘‘କେଉଁ ସାର୍ଟ ପିନ୍ଧି ଥିଏଟର ଯାଇଥିଲେ ?’’

‘‘ଯେଉଁ ସାର୍ଟ ବର୍ତ୍ତମାନ ପିନ୍ଧିଚି ।’’

‘‘ଥିଏଟରରୁ ସିଧା ଆପଣ ଘରକୁ ଫେରିଥିଲେ ?’’

ଟିକିଏ ଇତସ୍ତତଃ ହୋଇ ଯୁବକ କହିଲେ, ‘‘ଆଜ୍ଞା, ହଁ ।’’

ହରେନ୍ଦ୍ର ଧମକେଇ କହିଲା, ‘‘ମିଛ କଥା !’’

‘‘ଆଜ୍ଞା’’

‘‘ଚୁପ୍ ! ଥିଏଟରରୁ ଆପଣ ଯାଇଥିଲେ ମଦଖଟିକି । ତା’ପରେ ହୋଟେଲରେ ବନ୍ଧୁବାନ୍ଧବଙ୍କ ଗହଣରେ ଲାଗିଥିଲା ମାଂସପର୍ବ । ମୋତେ ଫିଙ୍ଗିଦେବାର ଚେଷ୍ଟା କରନ୍ତୁନି ।’’

ନିତ୍ୟାନନ୍ଦଙ୍କର ମୁହଁ ଝାଉଁଳି ପଡ଼ିଲା । ଦେହମୁଣ୍ଡ ସର୍ବାଙ୍ଗ ଥରିବାକୁ ଲାଗିଲା ।

ହରେନ୍ଦ୍ରର କଣ୍ଠସ୍ୱର ଏଥର ଅତି କୋମଳ ଜଣାପଡ଼ିଲା । ସେ ଧୀରେ ଧୀରେ କହିଲା, ‘‘ନିତ୍ୟାନନ୍ଦବାବୁ, ଭବିଷ୍ୟତରେ ଆଉ କେବେ ମଦ ଖାଇବେନି । ମଦ ହେଉଚି ମଣିଷର ସବୁଠୁ ବଡ଼ ଶତ୍ରୁ, ମନୁଷ୍ୟକୁ ଯେକୌଣସି ମୁହୂର୍ତ୍ତରେ ନରକଆଡ଼କୁ ଟାଣିନିଏ । ଲକ୍ଷ୍ୟ କରିଲେ ଦେଖିବେ, କୌଣସି ପଶୁ କେବେ ମଦ ପିଏ ନାହିଁ । କାରଣ ସେଇଟା ସ୍ୱାଭାବିକ ପାନୀୟ ନୁହେଁ । ଯେଉଁ ଜିନିଷରେ ପଶୁଙ୍କର ବି ରୁଚି ନାହିଁ, ମଣିଷ ଯଦି ସେଗୁଡ଼ା ଖାଏ, ତାହାହେଲେ ତାକୁ ପଶୁଠାରୁ ବି ଅଧମ ମନେକରିବାକୁ ହେବ । ଆଉ ଗୋଟାଏ କଥା ମନେରଖିବେ, କୌଣସି ଭଦ୍ରଲୋକ ମିଛ କହିବା ଉଚିତ ନୁହେଁ । ମଦ ଖାଇବାଦ୍ୱାରା ଯେଉଁ ପାପ ତା’ ଆପଣ ଜାଣନ୍ତି । ତେଣୁ ସେ ପାପ ଲୁଚେଇବାପାଇଁ ଆପଣ ମିଛକଥା କହିଚନ୍ତି । ମଦଜନିତ ପାପ ଭଦ୍ରଲୋକଙ୍କୁ ମିଛ କହିବାକୁ ବାଧ୍ୟ କରେ । ଏହାଠାରୁ ବଳି ଛୋଟ କଥା ଆଉକିଛି ନାହିଁ । ଏଥର ଆପଣ ଯାଆନ୍ତୁ । ମୁଁ ଆଉକିଛି ଜାଣିବାକୁ ଚାହୁଁନି ।’’

ଶଙ୍କିତ ମନରେ ହରେନ୍ଦ୍ର ମୁହଁକୁ ଥରେ ଚାହିଁଦେଇ ନିତ୍ୟାନନ୍ଦ ଯଥାଶୀଘ୍ର ସେ ବଖରା ଛାଡ଼ି ଚାଲିଗଲେ ।

ଜୀବନବାବୁ ବିପୁଳ ବିସ୍ମୟରେ ଅଭିଭୂତ ହୋଇ ପଚାରିଲେ, ‘‘ହରେନ୍ଦ୍ରବାବୁ ! ଆପଣ ଯେ ନିତ୍ୟାନନ୍ଦଙ୍କୁ ଚିହ୍ନନ୍ତି, ଏକଥା ତ ମୋତେ ମୋଟେ କହିନାହାନ୍ତି ?’’

ହରେନ୍ଦ୍ର କହିଲା, ‘‘ଚିହ୍ନିଥିଲି, ମାନେ ? ଆଜି ପ୍ରଥମ କରି ମୁଁ ଏଇ ନିତ୍ୟାନନ୍ଦଙ୍କୁ ଦେଖିଲି । ଆଜି ସକାଳେ ତାଙ୍କର ନାଁ ପର୍ଯ୍ୟନ୍ତ ଶୁଣି ନ ଥିଲି ।’’

କେମିତି ଗୋଟାଏ ଅଲଗା ପ୍ରକାରର ମୁହଁ କରି ଜୀବନବାବୁ ପଚାରିଲେ, ‘‘ତେବେ ଆପଣ ନିତ୍ୟାନନ୍ଦଙ୍କର ଏତେ ଗୁପ୍ତକଥା ଜାଣିଲେ କିପରି ?’’

‘‘ଖୁବ୍ ସହଜରେ, ଯାହା ଚେଷ୍ଟାକଲେ ଆପଣ ମଧ୍ୟ ଜାଣିପାରିବେ । ନିତ୍ୟାନନ୍ଦ ଯେତେବେଳେ କହିଲେ ଯେ, ଜନତା ଥିଏଟରରୁ ରାତି ବାରଟାରେ ରିକ୍ସାରେ ଫେରି ସାଢ଼େ ଗୋଟାଏବେଳେ ଘରେ ପହଞ୍ଚିଲେ, ସେତେବେଳେ ଜାଣିପାରିଲି ଯେ, ସେ ସିଧା ଘରକୁ ଫେରିନଥିବେ । କାରଣ, ଜନତା ରଙ୍ଗମଞ୍ଚରୁ ତୁଳସୀପୁର ଫେରିବାପାଇଁ କୌଣସି ରିକ୍ସାକୁ ଦେଢ଼ଘଣ୍ଟା ଲାଗିବନି । ନିଶ୍ଚୟ ଏ ଦେଢ଼ଘଣ୍ଟା ସେ ଅନ୍ୟକୌଣସି ଜାଗାରେ କଟେଇଛନ୍ତି । ଲକ୍ଷ୍ୟକରି ଦେଖିଲି, ତାଙ୍କର ଚାଇନିଜ୍‍ ଓ ଟ୍ରାଉଜରରେ ତରକାରୀର ଝୋଳଦାଗ ରହିଚି, କେତେକ ଜାଗାରେ ପାନପିକ ପଡ଼ିଚି, ଆଉ ଗୋଟାଏ ଜାଗାରେ ପୋଡ଼ାଚିହ୍ନ । ପଚାରିଲାବେଳେ ସେ କହିଲେ ଯେ, ସେଇ ଚାଇନିଜ୍‍ ପିନ୍ଧି କାଲି ସେ ଥିଏଟର ଯାଇଥିଲେ । ତରକାରୀର ଝୋଳଦାଗ ଆଉ ପାନପିକ, ପୋଡ଼ାଚିହ୍ନ ପ୍ରଭୃତିରୁ ବେଶ୍ ଜଣାପଡ଼ୁଚି ଯେ ମଦନିଶାରେ ଅଜ୍ଞାନ ହୋଇ ଏ ସବୁର ଯତ୍ନ ସେ ନେଇପାରି ନାହାନ୍ତି । ସିଗାରେଟ୍‍ ଟାଣିବା ସମୟରେ ଦୁଇ ଚାରି ଜାଗା ଚିଆଁ ଲାଗିଯାଇଚି । ପୋଷାକପତ୍ରର ସଉକ ବେଶ୍ ଥିଲେ ମଧ୍ୟ ମଦନିଶାର ପରିସ୍ଥିତିରେ ସେ ସେଦିଗକୁ ଆଦୌ ଧ୍ୟାନ ଦେଇପାରିନଥିଲେ । ତେଣୁ ଆନ୍ଦାଜ କରି ପଚାରିବାପାଇଁ ମତେ ଖୁବ୍ ସହଜ ହେଲା-।’’

ଜୀବନବାବୁ କହିଲେ, ‘‘ଅଦ୍ଭୁତ ଆପଣଙ୍କର ତୀକ୍ଷ୍‍ଣ ଦୃଷ୍ଟି ! ନିତ୍ୟାନନ୍ଦଙ୍କୁ ଦେଖି ତାଙ୍କର ଅସଲ ଚରିତ୍ର ଆବିଷ୍କାର କରିପାରିଲେ ! କିନ୍ତୁ କାଲି ରାତିଦଶଟା ପର୍ଯ୍ୟନ୍ତ ସେ କ’ଣ କରୁଥିଲେ, ଏକଥା ଆପଣ ପଚାରିଲେ କାହିଁକି ?’’

 

ହରେନ୍ଦ୍ର ଅଳ୍ପ ହସି କହିଲା, ‘‘ଏ ପ୍ରଶ୍ନର ଉତ୍ତର ଦେବାର ସମୟ ବର୍ତ୍ତମାନ ନୁହେଁ । ମୋତେ ଦୟାକରି କ୍ଷମା ଦେବେ ।’’

 

ଜୀବନବାବୁ ନିଜ ମନେ ମନେ କହୁଥିଲେ, ‘‘ହୁଁ, ନିତ୍ୟାନନ୍ଦ କେବଳ ଜୁଆ ଖେଳେନି–ମଦ ବି ପିଏ ! ହୁଏତ ଆହୁରି କିଛି ଗୁଣ ଥିବ !’’

 

ହରେନ୍ଦ୍ର ପଚାରିଲା, ‘‘ଆଚ୍ଛା, ଜୀବନବାବୁ, ନିତ୍ୟାନନ୍ଦବାବୁ କାଲି କେତେବେଳେ ବସାକୁ ଫେରିଚନ୍ତି, ସେକଥା ଦରୁଆନକୁ ପଚାରିଥିଲେ ?’’

 

‘‘ପଚାରିଚି । ରାତି ସାଢ଼େ ଗୋଟାଏବେଳେ ।’’

 

‘‘ଆଚ୍ଛା, ହେଲା । ଆଉ ମୋର କିଛି ଦେଖିବାର କି ଶୁଣିବାର ନାହିଁ । ମୁଁ ଯାଉଚି–ନମସ୍କାର ।’’

 

ଜୀବନବାବୁ ବ୍ୟସ୍ତହୋଇ ପଚାରିଲେ, ‘‘ବର୍ତ୍ତମାନ ଯିବେ ? କୌଣସି ସୂତ୍ର ପାଇଲେନା କ’ଣ ?’’

 

ହରେନ୍ଦ୍ର କହିଲା, ‘‘ଏତେ ଚଞ୍ଚଳ କିଛି କହିବା ମୋ ପକ୍ଷେ ସମ୍ଭବ ନୁହେଁ । ତେବେ ଏତିକି ଜାଣିରଖନ୍ତୁ, ଘନୀଭୂତ ଅନ୍ଧକାର ଭିତରେ ମୁଁ ଗୋଟାଏ ଦିଇଟା ଆଲୋକର ରେଖା ପାଇଚିମାତ୍ର ଚାଲ ପ୍ରତାପ, କାମ ସରିଚି ।’’

 

ରାସ୍ତା ଉପରକୁ ବାହାରି ଦେଖିଲୁଁ, ଚାରିଆଡ଼େ ମେଘାଚ୍ଛନ୍ନ ।

 

ଏପରି ମେଘାଚ୍ଛନ୍ନ ରାତି କେବେ ଦେଖାନଥିଲା । ଖାଲି ମେଘାଚ୍ଛନ୍ନ ବୋଲି କହିଲେ ଠିକ୍ ହେବନି–କାରଣ, କୁହୁଡ଼ି ପ୍ରବଳ ହୋଇଥିଲା । ଓଡ଼ିଶାରେ ଏମିତି କୁହୁଡ଼ି ରାତିରେ କେବେ ହେବାର ଜଣାନାହିଁ । ମୁହଁକୁ ମୁହଁ ଦିଶୁନି । ଯେଉଁଆଡ଼େ ଚାହିଁବ, ଖାଲି କୁହୁଡ଼ିମୟ । ବତୀଖୁଣ୍ଟଗୁଡ଼ାକ ପାଖରେ ଯେତିକି ପରିଷ୍କାର ଦେଖାଯିବାର କଥା ସେତିକି ଦିଶୁଚି । ମାତ୍ର ଆଲୁଅ ଜଣାପଡ଼ିନି । ମଝିରେ ମଝିରେ ପାଦଶବ୍ଦ ଶୁଣାଯାଉଚି, କିନ୍ତୁ ଲୋକ ଦେଖାଯାଉନାହାନ୍ତି ।

 

ହରେନ୍ଦ୍ର ମୋ ପାଖରୁ ମୋଟେ ହାତେ ତଫାତରେ ଚାଲିଥାଏ, କିନ୍ତୁ ତାକୁ ମୁଁ ଭଲଭାବେ ଦେଖିପାରୁନଥାଏ ।

 

ଏକେ ତ ସୌରୀବାବୁଙ୍କ ଘରପାଖରେ କୌଣସି ବତୀଖୁଣ୍ଟ ନାହିଁ । ତା’ପରେ ନିଛାଟିଆ ଜାଗାଟିଏ । ଶୀତଦିନର ରାତି, ପୁଣି ଏମିତି ଭୟଙ୍କର କୁହୁଡ଼ି–ତା’ ସଙ୍ଗେ ସଙ୍ଗେ ମେଘାଛନ୍ନ । ମନେହେଉଥାଏ, ଗୋଟିଏ ନିସ୍ତବ୍ଧ ଅନ୍ଧାରି ମୁଲକ ଭିତର ଦେଇ ଆମେ ଯେମିତି ଅନ୍ଧପରି ଚାଲିଚୁଁ ।

 

ପଛରୁ ପୁଣି ଏକାଧିକ ଅଦୃଶ୍ୟଲୋକର ଜୋତା ଶବ୍ଦ ଶୁଣାଗଲା ।

 

ମୁଁ ଶୁଣେଇକରି କହିଲି, ‘‘କିଏ ଆସୁଚ, ହୁସିଆର ଆସ; ନ ହେଲେ ଧକ୍କା ଲାଗିପାରେ-!’’

 

ପରମୁହୂର୍ତ୍ତରେ ମୁଣ୍ଡ ଉପରେ ଅନୁଭବ କଲି ଶକ୍ତ ଆଘାତ । ଚାହୁଁ ଚାହୁଁ ଆଖି ଆଗରେ ଭାସିଉଠିଲା ଅସଂଖ୍ୟ ସୋରିଷଫୁଲିଆ । ମୋର ଚେତନା ଲୋପ ହୋଇଗଲା ।

 

କେତେ ସମୟ ଅଜ୍ଞାନ ହୋଇପଡ଼ିଲି, ଜାଣେନି । କିନ୍ତୁ ଜ୍ଞାନ ଫେରିଆସିଲା ପରେ ଦେଖିଲି, ମୁଁ ରିକ୍ସାରେ ପଡ଼ିଚି, ଆଉ ହରେନ୍ଦ୍ର ମୋ ପାଖରେ ବସିଚି । ସେ କହିଲା, ‘‘ମୁଣ୍ଡଟା ତୋର ଫାଟିଯାଇଚି । ବସାକୁ ଗଲେ ବ୍ୟାଣ୍ଡେଜ କରିଦେବି ।’’

 

କିଛି ସମୟ ପରେ ରିକ୍ସା ହରେନ୍ଦ୍ରର ବସା ଆଗରେ ରହିଲା । ମତେ ଧରାଧରି କରି ନେବାକୁ ହରେନ୍ଦ୍ର ଉଦ୍ୟମ କରୁଥିବାର ଦେଖି କହିଲି, ‘‘ମୁଁ ନିଜେ ଯାଇପାରିବି ।’’

 

ତା’ପରେ ହରେନ୍ଦ୍ର କ୍ଷତ ସ୍ଥାନ ସ୍ପିରିଟରେ ଧୋଇ ଔଷଧଦେଇ ବ୍ୟାଣ୍ଡେଜ ବାନ୍ଧିଦେଲା ଏବଂ କହିଲା, ‘‘ବଞ୍ଚିଗଲୁରେ ପ୍ରତାପ, ଆଉ ଟିକିଏ ଆଗକୁ ମାଡ଼ଟା ବସିଥିଲେ ଅବସ୍ଥା ସାଂଘାତିକ ହୋଇପଡ଼ିଥାଆନ୍ତା ।’’

 

‘‘କିନ୍ତୁ ହରେନ୍ଦ୍ର, ହଠାତ୍ ମୋ ଉପରେ ଗୁଣ୍ଡାମାନେ ଏମିତି ଆକ୍ରମଣ କଲେ କାହିଁକି ?’’

 

‘‘ଗୁଣ୍ଡା ନୁହେଁରେ ପ୍ରତାପ, ହତ୍ୟାକାରୀ ।’’

 

‘‘ହତ୍ୟାକାରୀ !’’

 

‘‘ହଁ, ଏ ହେଉଚି ସୌରୀବାବୁଙ୍କ ହତ୍ୟାକାରୀର କୀର୍ତ୍ତି । ଖାଲି ତୋତେ ନୁହେଁ, ମତେ ମଧ୍ୟ ଆକ୍ରମଣ କରିଥିଲେ ।’’

 

‘‘ତୁ ସେମାନଙ୍କୁ ଦେଖିପାରିଚୁ ?’’

 

‘‘ସେ କୁହୁଡ଼ି ଭିତରେ ଭଲଭାବେ ଦେଖିପାରିଲିନି । ଦେଖିଥିଲେ ବି ଚିହ୍ନି ପାରିନଥାନ୍ତି-। ସେମାନେ ମୁଖା ପିନ୍ଧିଥିଲେ।’’

 

‘‘କିନ୍ତୁ, କାହିଁକି ?’’

 

‘‘ସେମାନେ ମୋ ପକେଟଭିତରୁ ସେ gloveଟା ଚୋରେଇ ନେଇ ପଳେଇଚନ୍ତି ।’’

 

ବିସ୍ମିତ ହୋଇ ଭାବିବାକୁ ଲାଗିଲି । ତା’ପରେ କହିଲି, ‘‘ନିତ୍ୟାନନ୍ଦ ଉପରେ ମୋର ସନ୍ଦେହ ହେଉଚି । ସେ ନିଶ୍ଚୟ ପାଖଘରେ ରହି glove ବିଷୟରେ ତୋର ମତାମତ ଶୁଣିପାରିଚି-।’’

 

‘‘ତା’ପରେ ତା’ର କୌଣସି ଅନୁଚରକୁ ଧରି ଆମର ପିଛା ଧରିଚି !’’

 

‘‘ହଁ, ଆଜିର ଯେଉଁ ମେଘୁଆ ରାତି ଆଉ କୁହୁଡ଼ି, ସେ ତା’ ପକ୍ଷରେ ସୁବର୍ଣ୍ଣ ସୁଯୋଗ ।’’

 

‘‘ଦୁର୍ଯୋଗ ବି ହୋଇପାରେ, ପ୍ରତାପ !’’

 

‘‘ଦୁର୍ଯୋଗ ?’’

 

‘‘ହଁ, ଅନେକଟା ସେଇଆ ।’’

 

‘‘ମାନେ ?’’

 

‘‘ଏଇ ଦେଖ !’’ ହରେନ୍ଦ୍ର ହସି ହସି ପକେଟଭିତରୁ ଖଣ୍ଡିଏ ଛୋଟ ଖାତା ବାହାରକରି ସମାନ ଟେବୁଲ ଉପରେ ରଖିଲା ।

 

‘‘କ’ଣ, ଖାତା ଖଣ୍ଡେ ?’’

 

‘‘ହଁ ।’’ ଖାତାର ଦୁଇ ଚାରିପୃଷ୍ଠା ଓଲଟାଇ ସେ ଟିକିଏ ବିସ୍ମିତ ସ୍ୱରରେ କହିଲା, ‘‘ନା, ଯାହା ଭାବିଥିଲି, ତା’ ନୁହେଁ ।’’

 

‘‘କ’ଣ ତୁ ଭାବିଥିଲୁ ?’’

 

‘‘ଭାବିଥିଲି, ଏହା ଭିତରେ glove ଚୋରର ନାଁ, ଠିକଣା କିମ୍ବା କୌଣସି ଗୁପ୍ତ କଥା ପାଇବି । ବର୍ତ୍ତମାନ ଦେଖୁଚି, ଏଇଟି ହେଉଚି ସୌରୀବାବୁଙ୍କର ଡାଏରୀ ।’’

 

‘‘ତେବେ ଏଇଖଣ୍ଡକ ସୌରୀବାବୁଙ୍କ ଘରୁ ଚୋରୀ ହେଇଥିଲା ?’’

 

‘‘ସେଇୟା ମନେହେଉଚି ।’’

 

‘‘ଏ ଖଣ୍ଡକ ତୁ କୋଉଠୁ ପାଇଲୁ ?’’

 

‘‘ପକେଟମାରୁ କରିଦେଇଚି ।’’

 

‘‘ତୋ କଥା ମୁଁ କିଛି ବୁଝିପାରୁନି, ହରେନ୍ଦ୍ର !’’

 

‘‘ଶୁଣ୍ । କୁହୁଡ଼ିଭିତରେ ଛପିରହି ଆଜି ଆମକୁ ଦୁଇଜଣ ଲୋକ ଆକ୍ରମଣ କରିଥିଲେ-। ଖୁବ୍ ସମ୍ଭବ ସେମାନଙ୍କ ହାତରେ ଦୁଇଟା ଖୁବ୍ ଶକ୍ତ ଠେଙ୍ଗା ଥିଲା । ସେମାନେ ଆମକୁ ଖୁଣ୍‍ କରିବାକୁ ଆସିଲାପରି ମନେହେଲାନି । ସେ ଆସିଥିଲେ gloveଟା ହାତେଇ ନେବାକୁ । ବୋଧହୁଏ ସେ glove କେହି କେହି ଚିହ୍ନିଚନ୍ତି । ସେଇଟାକୁ ଦେଖିଲେ ହୁଏତ ମାଲିକର ପରିଚୟ ମିଳିପାରେ । କିମ୍ବା ଅନ୍ୟକୌଣସି କାରଣ ଥାଇପାରେ । ସେକଥା ଥାଉ ଜଣେ ତତେ ଆକ୍ରମଣ କଲା, ଆଉ ଜଣେ ମୋର ମୁଣ୍ଡକୁ ଲକ୍ଷ୍ୟକରି ଠେଙ୍ଗା ବସେଇଲା । କିନ୍ତୁ ଫସ୍‍କି ଗଲା । ସେ ଠେଙ୍ଗା ଆଉଥରେ ଟେକିବା ଆଗରୁ ମୁଁ ତାକୁ ଦୁଇ ହାତରେ କୁଣ୍ଢାଇ ପକାଇଲି-। ଆଉ ତା’ର ଛାତି ପକେଟରେ ଏକ ଖାତାର ଅସ୍ତିତ୍ୱ ଅନୁଭବ କଲି । ତୁ ଜାଣୁ ପ୍ରତାପ, ଖୁବ୍ ବିପଦରେ ବି ମୋର ମୁଣ୍ଡ ଗୋଳମାଳ ହୁଏନି । ପଲକମାତ୍ରେ ଗୋଟାଏ ହାତରେ ତାକୁ ଧରି ଅନ୍ୟ ହାତରେ ଚଟ୍‍କରି ତା’ ପକେଟ ଭିତରୁ ଡାଏରୀ ଖଣ୍ଡିକ ନେଇଆସିଲି । କିନ୍ତୁ ସେଇ ମୁହୂର୍ତ୍ତରେ ଅନ୍ୟ ଲୋକଟା ତତେ ଛାଡ଼ି ମୋ ମୁଣ୍ଡରେ ପାହାର ଦେଲା । ମୁଁ ରାସ୍ତା ଉପରେ ପଡ଼ିଗଲି । ମୋର ମୁଣ୍ଡ ଫାଟି ନ ଥିଲା; କିନ୍ତୁ ଝାମ୍ ମାରିଗଲି । ମୋତେ ସେଇ ଅବସ୍ଥାରେ ପାଇ, glove ନେଇ ସେମାନେ ଚାଲିଗଲେ । ମୁଁ ଯେ ପକେଟ ମାରିଚି, ସେକଥା ଜାଣିପାରି ନାହାନ୍ତି ।’’

 

‘‘ବାଘ ପାଟିରୁ ଆହାର ଛଡ଼େଇବା ଯାହା, ଏଇଟା ପ୍ରାୟ ତତ୍ ସମତୁଲ୍ୟ । ବୁଝିଲୁ ହରେନ୍ଦ୍ର, ଡାଏରୀ ଆଉ ଚାବିପେନ୍ଥା ଚୋରୀ ଦେଖି ପ୍ରକୃତରେ ଘରଭିତରର କେହି ଲୋକ ଏମିତି କରିଚି ବୋଲି ମନେହୁଏ । ବାହାର ଲୋକ ଖୁଣ୍‍ ଆଉ ଚୋରୀ କରି ସନ୍ତୁଷ୍ଟ ହୋଇପାରିଥାଆନ୍ତା–ଏହାପରେ ସୌରୀବାବୁଙ୍କ ଡାଏରୀ ଆଉ ଚାବି ତା’ର କୌଣସି କାମରେ ଲାଗିବନି ।’’

 

ଡାଏରୀର ପୃଷ୍ଠା ଓଲଟାଉ ଓଲଟାଉ ଅନ୍ୟମନସ୍କ ଭାବରେ ହରେନ୍ଦ୍ର କହିଲା, ‘‘ହଁ, ଜୀବନବାବୁଙ୍କର ମତ ବି ଠିକ୍ ଏଇୟା ।’’

 

ପାଞ୍ଚ ଛଅ ମିନିଟ୍‍କାଳ ହରେନ୍ଦ୍ର ଆଉ ଡାଏରୀ ଉପରୁ ମୁହଁ ଉଠାଇଲାନି । ତା’ପରେ ହଠାତ୍ ଉତ୍ସାହିତ ସ୍ୱରରେ କହିଉଠିଲା, ‘‘ପାଇଚି ପ୍ରତାପ, ଡାଏରୀ ଚୋରୀର କାରଣ ଏଇଥର ପାଇଚି ! ଏଇପୃଷ୍ଠା ବ୍ୟତୀତ ଅନ୍ୟକେଉଁଠାରେ ମୋ ପକ୍ଷେ ବିଶେଷ କିଛି ଦରକାରୀ ନାହିଁ । ଶୁଣ୍’’–କହି ପଢ଼ିବାକୁ ଲାଗିଲା ।

 

ମୋର ଶୋଇବା ଘର ଭିତରେ ବଡ଼ ଟେବୁଲର ଡାହାଣ ପଟ ପଛରେ ଗୋଟିଏ ଗୁପ୍ତ ଜାଗା ଅଛି । ବାଁ କଣର ଶେଷ ଭାଗରେ ଗୋଟିଏ ସ୍ପ୍ରିଙ୍ଗ ଅଛି । ସେଇଟିକୁ ଚାପି ଧରିଲେ ଗୁପ୍ତ ଜାଗାଟି ବାହାରି ପଡ଼ିବ । ତା’ ମଧ୍ୟରେ ପ୍ରାୟ ଦୁଇଲକ୍ଷ୍ୟ ଟଙ୍କାର ଦାମିକା ଧାତୁପଦାର୍ଥ ରଖିଚି । ବୁଢ଼ା ହେଲିଣି, ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେଉଚି । ହଠାତ୍ ଯଦି ମରିଯାଏଁ–ସେଇ ଭୟରେ ମୁଁ ମୋର ଉତ୍ତରାଧିକାରୀ ପାଇଁ ଏଠାରେ ଏଇ କଥାତକ ଲେଖି ରଖିଲି ।

 

‘‘ପ୍ରତାପ, ଖୁଣୀ ଜାଣେ ଯେ, ଡାଏରୀ ଭିତରୁ ଏ ଗୁପ୍ତଧନର ସନ୍ଧାନ ମିଳିପାରିବ ।’’

 

ମୁଁ ଦୃଢ଼ କଣ୍ଠରେ କହିଲି, ‘‘ତା'ହେଲେ ଏ ଖୁଣୀ ନିଶ୍ଚୟ ଘରଭିତରର ଲୋକ ! ଏଇଥିପାଇଁ ସେ ଚାବି ଚୋରୀ କରିଚି । କାଲି ଚଞ୍ଚଳ ଡାଏରୀ ପଢ଼ିପାରିନି । ଖୁବ୍ ଶୀଘ୍ର ସେ କାମ ହାସଲ କରିବ ।’’

 

‘‘କରିବ ନା କ’ଣ ? ଦେଖାଯାଉ !’’ ଏହା କହି ହରେନ୍ଦ୍ର ଥାନା ଉଦ୍ଦେଶ୍ୟରେ ଫୋନ୍‍ ଉଠାଇଲା ।

 

‘‘କିଏ ? ଜୀବନବାବୁ ? ଥାନାକୁ ଫେରିଆସିଚନ୍ତି ? ହଁ, ମୁଁ ହରେନ୍ଦ୍ର । ଶୁଣନ୍ତୁ । ସୌରୀବାବୁଙ୍କ ଲାସ୍‍ଟା ପୋଷ୍ଟମର୍ଟମକୁ ପଠେଇ ଦେଇଚନ୍ତି ତ ? ବେଶ୍ । ତାଙ୍କର ଶୋଇବାଘର ବନ୍ଦ ଅଛି ? ଉତ୍ତମ । କିନ୍ତୁ ଗୋଟାଏ ଜରୁରୀ କଥା ମନେରଖିବେ–କେହି ଯେମିତି କୌଣସି କାରଣରୁ ସେ ଘରେ ନ ପଶନ୍ତି । କାହିଁକି ? କାରଣ ନିଶ୍ଚୟ ଅଛି । କିନ୍ତୁ ବର୍ତ୍ତମାନ କହିବାର ସମୟ ହେଇନି-। ରାଗିବେନି, ଯଥାସମୟରେ ସବୁକଥା କହିବି ।

 

.....କ’ଣ କହିଲେ ? ଯେଉଁ କନେଷ୍ଟବଳ ଭଙ୍ଗା କାଚଗ୍ଲାସ୍‍ଟା ନେଇ ଏକା ଯାଉଥିଲା, ହଠାତ୍ ବାଟରେ କିଏ ତାକୁ ଆକ୍ରମଣ କରିଚି ? ତା’ପରେ ? ଗ୍ଲାସ୍‍ଟା ଛଡ଼େଇ ନେଇପାରିନି ? ଶୁଣି ଖୁସିହେଲି । ଉଁ....ନିତ୍ୟାନନ୍ଦଙ୍କୁ ଗିରଫ କରିବେ କି ନାଇଁ ଭାବୁଚନ୍ତି ? ଆପଣଙ୍କର କର୍ତ୍ତବ୍ୟ ଆପଣ ଭଲଭାବେ ବୁଝନ୍ତି । ମୁଁ କ’ଣ କହିବି ?

 

ହଁ, ମୋ ପାଖରେ ଗୋଟାଏ ନୂଆ ଖବର ଅଛି । ମୋତେ ଆଉ ପ୍ରତାପକୁ ଆଜି ଆକ୍ରମଣ କରାଯାଇଥିଲା । ପ୍ରତାପର ମୁଣ୍ଡ ଫାଟିଯାଇଚି । ମୋ’ପ୍ରତି ସେତେ ମାରତ୍ମକ ନୁହେଁ । କିନ୍ତୁ gloveଟା ଲୁଟ୍ ହେଇଯାଇଚି । କନେଷ୍ଟବଳ ପରି ମୋର ଭାଗ୍ୟ ମଧ୍ୟ ଖରାପ । ନା, ଚିହ୍ନିପାରିନି । ଏତେ କୁହୁଡ଼ି, ତା’ ଉପରେ ଉପନ୍ୟାସର ଦୁରାତ୍ମାଙ୍କ ପରି ମୁଖା ପିନ୍ଧି ଆସିଥିଲେ । ନା, ନା, ‘‘ଏତେ ରାତିରେ ଆମକୁ ଆଉ ଦେଖିବାକୁ ଆସିବା ଦରକାର ନାହିଁ । ଆମେ ଭଲ ଅଛୁ । ଆଚ୍ଛା, ନମସ୍କାର ।’’ ମୋ ପାଖକୁ ଫେରିଆସି ସେ କହିଲା, ‘‘ପ୍ରତାପ, ସବୁ ଶୁଣିଲୁ ତ ?’’

 

ଅଭିଭୂତ କଣ୍ଠରେ ମୁଁ କହିଲି, ‘‘ଭାଇ ହରେନ୍ଦ୍ର, ମୁଁ ଯେ ସାଂଘାତିକ ଲୋକ ପାଲରେ ପଡ଼ିଚି ! କାଲି ଖୁଣ୍‍, ଅଶିହଜାର ଟଙ୍କା ଚୋରୀ । ଆଜି ଆମକୁ ଆଉ କେନେଷ୍ଟବଳକୁ ଆକ୍ରମଣ ! ମୁଁ ଭାଇ କାଳିକଲମ ଧରି ଏପଟ ସେପଟ ହେବା ଲୋକ, ଏତେ ଗୋଳମାଳ ମୋ ଧାତୁରେ ଚଳିବନି ।’’

 

ହରେନ୍ଦ୍ର କହିଲା, ‘‘ହଁ, ମୁଁ ଜାଣିଚି । ମାତ୍ର ତୁ ନିଜେ ଜାଣିପାରୁନୁ । ତୋର ସେଇ ମୋଟା ଡିଟେକ୍ଟିଭ ବହିଟା ସେଥି ସକାଶେ ଆଜିଯାଏଁ ପୂରା ହୋଇପାରିନି । କାଗଜ କଲମରେ ଲେଖିବା ଆଗରୁ ଯଦି କୌଣସି ଘଟଣାର ପ୍ରତ୍ୟକ୍ଷରେ ଆସୁ ତାହାହେଲେ ତୋର ଲେଖା ଆହୁରି ସରସ ସୁନ୍ଦର ହୋଇପାରିବ ।’’

 

ମୁଁ କହିଲି, ‘‘ଆଚ୍ଛା, ଜୀବନବାବୁଙ୍କୁ ସବୁକଥା ତ କହିଲୁ; ଆଉ ଗୋଟାଏ କଥା ଲୁଚେଇଲୁ କାହିଁକି ?’’

 

ହସି ହସି ହରେନ୍ଦ୍ର କହିଲା, ‘‘କୋଉ କଥା ?’’

 

‘‘ସୌରୀବାବୁଙ୍କ ଡାଏରୀ କଥା !’’

 

ହରେନ୍ଦ୍ର ହଠାତ୍ ଗମ୍ଭୀର ହୋଇ କହିଲା, ‘‘ପ୍ରତାପ, ଆମର ଏଇ ଲୁଚାଛପା ମାର୍ଜନୀୟ-। ସତକଥା କହିବାକୁ ଗଲେ ଏଇଟା ହେବ ମୋର ଜୀବନର ପ୍ରଥମ ଉଲ୍ଲେଖଯୋଗ୍ୟ କେଶ୍ । ପୋଲିସ୍‍ଠାରୁ ୟାର ସମସ୍ତ ବାହାଦୁରି ମୁଁ ନିଜେ ପାଇବାକୁ ଚେଷ୍ଟା କରୁଚି । ମୋର ଦୃଢ଼ ବିଶ୍ୱାସ, ମୁଁ ଏଇ ଘଟଣାର କିଛି ଗୋଟାଏ କିନାରା କରିପାରିବି । ଅବଶ୍ୟ, ତା’ପରେ ମୁଁ ଲୁଚିରହିବି ଯବନିକାର ଅନ୍ତରାଳରେ–ଜଣସାଧାରଣଙ୍କ ପାଖରୁ ପୋଲିସ୍‍ ଷୋଳଅଣା ସୁଖ୍ୟାତି ଆଦାୟ କରିବାର ଅବସର ଦେଇ..... ।’’

 

‘‘କିନ୍ତୁ ଏ ନିଆଁ ସାଙ୍ଗେ ଖେଳ ଚାଲିଚି । ମୋର ପ୍ରାଣ ଚାଲିଯିବ ।’’

 

‘‘ଦେହ ଭିତରୁ ଯେଉଁଥିରେ ଏତେ ଚଞ୍ଚଳ ପ୍ରାଣ ଚାଲିଯାଏ ସେଭଳି ଉଦ୍ୟମ ମୁଁ ପ୍ରାୟ କରୁନି, ପ୍ରତାପ ! ତୋର ଭୟ କରିବାର କୌଣସି କାରଣ ନାହିଁ । ...ଆରେ, ମୁଁ ତ ଗୋଟାଏ ଖୁବ୍ ବଡ଼ କଥା ଭୁଲିଯାଇଚି !’’ ଏହା କହି ହରେନ୍ଦ୍ର ନିଜର ପକେଟ ଭିତର ଅଣ୍ଡାଳିବାକୁ ଲାଗିଲା ।

 

‘‘ତୁ କ’ଣ ଖୋଜୁଚୁ ?’’

 

‘‘ଏଇ ଗୋଟାକ ।’’ ହରେନ୍ଦ୍ର ଗୋଟାଏ କାଗଜ ପୁଡ଼ିଆ ପକେଟରୁ ବାହାର କଲା–ଯାହା ଭିତରେ ସେ ସେଇ ଜୋତାରୁ ଖସିଥିବା ଶୁଖିଲା ମାଟିଖଣ୍ଡକ ମୋଡ଼ି ରଖିଥିଲା ।

 

ପୁଡ଼ିଆଟି ଖୋଲି ହରେନ୍ଦ୍ର ଆଶ୍ୱସ୍ତ ସ୍ୱରରେ କହିଲା, ‘‘ଓଃ, ରକ୍ଷାପଡ଼ିଲା । ମାଟିଖଣ୍ଡକ ଧସ୍ତାଧସ୍ତିରେ ଖାଲି ଗୁଣ୍ଡ ହୋଇଯାଇଚି, କିନ୍ତୁ ଅପହୃତ ହେଇନି ।’’

 

ମୁଁ କହିଲି, ‘‘ଏ ସାମାନ୍ୟ ମାଟିଖଣ୍ଡକୁ ତୁ ଏତେ ଅମୂଲ୍ୟନିଧି ବୋଲି ଭାବୁଚୁ କାହିଁକି ? ଏହା ଭିତରୁ କ’ଣ ତୁ ଖୁଣୀକୁ ଆବିଷ୍କାର କରିପାରିବୁ ?’’

 

‘‘ଆଶ୍ଚର୍ଯ୍ୟ କ’ଣ ? ମୋ ସାଙ୍ଗେ ପରୀକ୍ଷାଗାରକୁ ଆସ ।’’

 

ହରେନ୍ଦ୍ର ତା’ର ପରୀକ୍ଷାଗାରକୁ ଯାଇ ଟେବୁଲ ଆଗରେ ଚେୟାର ଖଣ୍ଡେ ଟାଣି ବସିପଡ଼ିଲା । ତା’ପରେ ଅଣୁବୀକ୍ଷଣ ଆଉ ସେଇ ଶୁଖିଲାମାଟି ଖଣ୍ଡକରେ ବ୍ୟସ୍ତ ହୋଇ ରହିଲା ବହୁ ସମୟ । ଏମିତି ପରୀକ୍ଷା ଭିତରୁ ମୁଁ କିଛି ଟେରଟାର ପାଇଲିନି । ଘରର ଗୋଟିଏ କଣରେ ଗୋଟାଏ ମାଟିର ମୂର୍ତ୍ତି । ମୂର୍ତ୍ତିଟିର ଉପରେ ଚମଡ଼ା ନ ଥାଏ । ମୁଁ ତା’ରି ପାଖରେ ଯାଇ ଠିଆହେଲି-। ମୂର୍ତ୍ତିକାର କେବଳ ମୂର୍ତ୍ତି ଗଢ଼ିନି, ସ୍ୱାଭାବିକ ସବୁ ରଙ୍ଗଦେଇ ମଣିଷର ଚମଡ଼ାତଳେ ଯେଉଁ ସମସ୍ତ ବିଶେଷତ୍ୱ ଥାଏ ସେସବୁ ତିଆରି କରିଚି । ସେଗୁଡ଼ିକ ଦେଖିଲେ ବେଶ୍ ବୁଝାପଡ଼େ, ପଞ୍ଚଭୂତ ଦେଇ ଆମ ଦେହ ତିଆରି କରିବାକୁ ବସି ପ୍ରକୃତି କେତେ ମୁଣ୍ଡଖର୍ଚ୍ଚ କରିଚି–କେତେ ଶିଳ୍ପଚାତୁରୀ ଦେଖାଇଚି । ଆଶ୍ଚର୍ଯ୍ୟ ଆଉ ରହସ୍ୟମୟ ଏଇ ମଣିଷର ଦେହ ଭିତରଟା ।

 

ଏତିକିବେଳେ ହରେନ୍ଦ୍ର ମତେ ଡାକି କହିଲା, ‘‘ଏଇ ଶୁଖିଲା ମାଟିରେ କ’ଣ କ’ଣ ଅଛି, ଶୁଣ୍ ।’’

 

ଜାଣିବାପାଇଁ ମୋର ବିଶେଷ ଆଗ୍ରହ ନ ଥିଲା । ତେବେ ପଚାରିଲି, ‘‘କ’ଣ କ’ଣ ଅଛି-?’’

 

‘‘ଏଥିରେ ଅଛି ଚୂନ, ବାଲି, ସିମେଣ୍ଟ, ଇଟାଗୁଣ୍ଡ; ତା’ ସାଙ୍ଗରେ ସାଧାରଣ ମାଟି ମଧ୍ୟ ମିଶିଚି ।’’

 

ମୁଁ କହିଲି, ‘‘ଚୂନ, ବାଲି, ସିମେଣ୍ଟ ଆଉ ଇଟାଗୁଣ୍ଡ କଟକର ଅନେକ ଜାଗାରେ ମିଶିଥାଏ-। ଏଥିରୁ କୌଣସିଟିକୁ ତ ମୁଁ ଅସାଧାରଣ ବୋଲି ମନେକରୁନି !’’

 

‘‘କରୁନୁ ତାହାହେଲେ ? ଓ !’’ ଏତିକି କହି ହରେନ୍ଦ୍ର ଚୁପ୍ ହୋଇଗଲା । ତା’ ମୁହଁ ଦେଖିଲେ ଜଣାପଡ଼ୁଥିଲା, ଅତ୍ୟନ୍ତ ଏକାଗ୍ର ଭାବରେ ସେ ଯେମିତି କୌଣସି ମହା ଦରକାରୀ କଥା ଚିନ୍ତା କରୁଚି ।

 

କିଛି ସମୟ ପରେ ମୁଁ କହିଲି, ‘‘ଦେଖ୍ ଭାଇ, ଏଥିରେ ବହୁତ ଆଗେଇ ଚାଲିଛୁ । ଶୁଖିଲା ମାଟି ବାଲି ନେଇ ଏତେ ମୁଣ୍ଡ ଖେଳେଇବା ହେଉଚି ମଣିଷ ମସ୍ତିସ୍କର ଅପବ୍ୟବହାର !’’

 

ମୁଁ ବିରକ୍ତ ହୋଇ କହିଲି, ‘‘ଯା–ଯା, ବାଜେ କଥାଗୁଡ଼ା କହନି । ବାଟରେ ଘାଟରେ ଲୋକର ଦାନ୍ତ ଦେଖିବାକୁ ମୁଁ ବୁଲିଆସିନି, ଚାଲ ।’’ ଏହା କହି ତା’ର ହାତଧରି ଟାଣିଲି ।

 

କିନ୍ତୁ ହରେନ୍ଦ୍ରକୁ ପାହୁଣ୍ଡେ ବାଟ ବି ଘୁଞ୍ଚେଇ ପାରିଲିନି । ସେ କହିଲା, ‘‘ଏହାର ଶ୍ୱଦନ୍ତଗୁଡ଼ା କେମିତି ଅସମ୍ଭବ ବଡ଼ ଆଉ ଲମ୍ବ, ଦେଖୁଚୁ ?’’

 

‘‘ଶ୍ୱଦନ୍ତ ? ଶ୍ୱଦନ୍ତ ପୁଣି କ’ଣରେ ?’’

 

‘‘ଗଧଡ଼ କୋଉଠିକାର ! ତୁ ସାହିତ୍ୟ ଚର୍ଚ୍ଚା ଛାଡ଼ିଦେ । ତୋ ଦେହାତି ଭଲ ଗୋଏନ୍ଦା କିମ୍ବା ସାହିତ୍ୟିକ କିଛି ହେଇପାରିବନି ! ମାତୃଭାଷା ଜଣାନାହିଁ ? ଶ୍ୱଦନ୍ତ, ଅର୍ଥାତ୍ canine tooth !’’

 

‘‘ଶ୍ୱଦନ୍ତ ଘେନି ତଦନ୍ତ କରିବା ସାହିତ୍ୟିକର କାମ ନୁହେଁ । ତୁ ଆସିଲୁ ।’’

 

‘‘ଅସାଧାରଣ ଶ୍ୱଦନ୍ତ । ଯେଉଁସବୁ ବଡ଼ ବଡ଼ ପଣ୍ଡିତ ଅପରାଧ ବିଜ୍ଞାନ ଆଲୋଚନା କରୁଚନ୍ତି, ସେମାନେ କହନ୍ତି ଯେ–’’

 

‘‘ସେମାନେ କ’ଣ କହନ୍ତି, ସେକଥା ମୁଁ ଶୁଣିବାକୁ ଚାହୁଁନି । ବର୍ତ୍ତମାନ ତୁ ଆଗକୁ ଯିବୁ କି ନାଇଁ, କହିଲୁ ?’’

 

‘‘ଉହୁଁ, ବର୍ତ୍ତମାନ ମୁଁ ଆଉ କୁଆଡ଼େ ଯିବି ? ମୁଁ ପ୍ରଥମେ ଏ ଲୋକଟାଇ ପରିଚୟ ଜାଣିବାକୁ ଇଚ୍ଛା କରୁଚି । ଏଇ ଦେଖ୍ ଲୋକଟା ଆଗେଇଲା । ଆ ପ୍ରତାପ, ମୁଁ ତା’ ପଛେ ପଛେ ଚାଲିଲି ।’’ ହରେନ୍ଦ୍ର ଏମିତି ବଜ୍ରମୁଷ୍ଟି ମଧ୍ୟରେ ମୋର ହାତଟାକୁ ଧରିଥିଲା ଯେ, ତା’ ହାତ ଛଡ଼େଇବା ଅସମ୍ଭବ ହୋଇପଡ଼ିଲା ।

 

ବକ୍ସିବଜାର ଗଳିରେ ପଶି ସେ ଲୋକଟା ତିନିକୋଣିଆ ବଗିଚାଆଡ଼େ ଯାଇଥିବା ରାସ୍ତା ଉପରେ ଉଠିଲା । ଆମେ ମଧ୍ୟ କିଛିଦୂରରେ ତା’ର ପିଛା ଧରିଥାଉଁ ।

 

ମୁଁ ଧୀରେ ଧୀରେ କହିଲି, ‘‘ଗୋଟାଏ ବଣୁଆ ହଂସ ପଛରେ ଦଉଡ଼ ଲାଗିଚି ! ଏହାର ପରିଚୟରେ ଆମର ଲାଭ କ’ଣ ?’’

 

‘‘ହୁଏତ ଲାଭ କିଛି ହେବନି । ହତାଶ୍‍ ହୋଇ ଫେରିବାର ପ୍ରବଳ ସମ୍ଭାବନା ଅଛି । କିନ୍ତୁ ମୁଁ ହେଲି ଅପରାଧ ବିଜ୍ଞାନର ଛାତ୍ର । ବିଜ୍ଞାନର ମତାମତଗୁଡ଼ିକ ପ୍ରକୃତ କି ନୁହେଁ, ସେସବୁ ଦେଖିବା କ’ଣ ମୋର କାମ ନୁହେଁ ?’’

 

ମନେ ମନେ ହରେନ୍ଦ୍ରର ଅପରାଧ ବିଜ୍ଞାନକୁ କାଙ୍କେ ହସ୍ପିଟାଲକୁ ପଠେଇବାକୁ ଭାବିଲି-। ବୈଶାଖମାସର ତାତିଲା ଦି’ପହରଟା । ବାଟରେ ବୁଲାକୁକୁରଗୁଡ଼ାକ ଧକେଇ ଧକେଇ ଛାଇ ଟିକିଏ ଖୋଜିବାରେ ବ୍ୟସ୍ତ । ଏଇଲେ ଘରର ଝରକା କବାଟ ବନ୍ଦକରି, ଫ୍ୟାନ୍ ତଳେ ବସି ବରଫଦିଆ ସର୍ବତ କିମ୍ବା ରେକ୍‍ସ ପର୍ବ ଚାଲିଥାଆନ୍ତା । ଏସବୁ କୁଆଡ଼େ ଗଲା–ଗୋଟାଏ ମସ୍ତ ପାଗଳ ସଙ୍ଗେ ଦୌଡ଼ି ଲାଗିଚି ଗୋଟାଏ ଶ୍ୱଦନ୍ତ ପଛରେ ! ଦୁର୍ଭାଗ୍ୟ ଆଉ କାହାକୁ କୁହାଯାଇପାରେ ?

 

ସେଇ ପାଇଜାମା ପିନ୍ଧା ଶ୍ୱଦନ୍ତ ଗୋଟାଏ ମୋଡ଼ ପାଖର ଛୋଟ ମଦ ଦୋକାନ ଭିତରେ ପଶିଲା ।

 

ହରେନ୍ଦ୍ର ରାସ୍ତାର ଗୋଟାଏ କରରେ ଠିଆହୋଇ କହିଲା, ‘‘ଲୋକଟାର ପରିଚୟ ତ ଏପର୍ଯ୍ୟନ୍ତ ଜାଣି ହେଲାନି ! ମତେ କ’ଣ ସେଇ ଦୋକାନର ଗରାଖ ହେବାକୁ ପଡ଼ିବ ନା କ’ଣ ?’’

 

‘‘ଭାଇ ହରେନ୍ଦ୍ର, ଏଥର ଦୟାକରି ମୋତେ ଛାଡ଼ିଦେ । ତୋର ଶ୍ୱଦନ୍ତର ନାଁ-ଗାଆଁ, ବଂଶପରିଚୟ ମତେ ଜଣାନାହିଁ । ତା’ପରେ ମୁଁ ଅପରାଧ ବିଜ୍ଞାନର ଛାତ୍ର ନୁହେଁ । ମତେଧରି କାହିଁକି ଟଣାଓଟରା କରୁଚୁ ?’’

 

ହରେନ୍ଦ୍ରର ମୁଣ୍ଡ ସେଥିରେ ପଶିଲାନି । ଏହାପରେ କ’ଣ କରିବା ଦରକାର ସେ ସେକଥା ଭାବୁଥାଏ । ଏତିକିବେଳେ ଜଣେ ସବ୍ଇନ୍‍ସପେକ୍ଟର ସାଇକେଲ ଧରି ପହଞ୍ଚିଲେ ।

 

‘‘ଆରେ, ହରେନ୍ଦ୍ରବାବୁ ଯେ ! ଏମିତି ଅସମୟରେ ଏଠିଟାରେ ଠିଆହୋଇ ଖରା ପୁହାଁଉଚନ୍ତି ନାଁ କ’ଣ ?’’

 

ହରେନ୍ଦ୍ର ମଦ ଦୋକାନଆଡ଼େ ଦେଖାଇ କହିଲା, ‘‘ସେଇ ଲୋକଟାକୁ ଦେଖୁଚି । ଏଇ ଯିଏ ଟ୍ରାଉଜର ଆଉ ଡୋରିଆ ରଙ୍ଗର ଫତେଇ ଖଣ୍ଡେ ପିନ୍ଧି ଗୋରୁଙ୍କ ପରି ମାଂସ ଗଳିବାରେ ଲାଗିଚି !’’

 

ସବ୍ଇନ୍‍ସପେକ୍ଟର ମିନିଟିଏ କାଳ ସେଆଡ଼କୁ ଚାହିଁରହିଲେ । ତା’ପରେ ବିସ୍ମିତ ହୋଇ କହିଲେ, ‘‘ପୁଅର ସାହସ ତ କମ୍ ନୁହେଁ ! ଦିନବେଳେ ଏଠି ନିଧୋକାରେ ଫୂର୍ତ୍ତିକରି ଖାଇ ଚାଲିଚି-! ଧନ୍ୟବାଦ ହରେନ୍ଦ୍ରବାବୁ, ଏହାକୁ ଦେଖାଇ ଦେଇ ଭାରି ଉପକାର କଲେ ।’’

 

‘‘ସେ କିଏ ?”

 

‘‘ଗଜଲ ମିଆଁ, ସୂତାହାଟର ଗୁଣ୍ଡା, ଦାଗୀ ଆସାମୀ । ଆଠଥର ଜେଲ୍ ଯାଇଚି ! ଆଜିକି ଚାରିଦିନ ହେଲା ଗୋଟାଏ ମର୍ଡ଼ର କେସରେ ତାକୁ ମୁଁ ସାରା ଟାଉନଟାଯାକ ଖୋଜି ବୁଲୁଚି-। ଯାହାହେଉ, ବର୍ତ୍ତମାନ ସେ ଅକ୍ଳେଶରେ ମୋ ହାତମୁଠାକୁ ଆସିଯାଇଚି ।’’

 

ଗଜଲ ମିଆଁ ଧରାପଡ଼ିଲା ।

 

ହରେନ୍ଦ୍ର ଆନନ୍ଦରେ ଉତ୍‍ଫୁଲ୍ଲ ପରି ଜଣାଯାଉଥାଏ । ଘରକୁ ଫେରିବାପାଇଁ ଖଣ୍ଡେ ରିକ୍ସା ଡାକିଲା । ବାଟରେ କହିଲା, ‘‘ଦେଖିଲୁରେ ଭାଇ, ଅପରାଧ ବିଜ୍ଞାନର ମାହାତ୍ମ୍ୟଟା ?’’

 

ପାଠକେ ଜାଣନ୍ତି–ଆମେ ମି. ସିଂହଙ୍କ ଚା’ ନିମନ୍ତ୍ରଣ ରଖିବାକୁ ଆସି ଗୋଟାଏ ନୂଆ କୋଠାପାଖେ ପହଞ୍ଚିଯାଇଥିଲୁଁ ।

 

ସେଇ କୋଠାଟି ହରେନ୍ଦ୍ରର ଦୃଷ୍ଟି ଆକର୍ଷଣ କଲା । ଦୁଇ ମିନିଟ୍‍ କାଳ କୋଠାଟିଆଡ଼େ ଚାହିଁ ସେ କହିଲା, ‘‘ଦେଖ ପ୍ରତାପ, ଏଇ କେତେଦିନ ହେଲା ଓଡ଼ିଶା ଅନୁକରଣପ୍ରାୟ ହେଇଉଠିଚି-। ଏ କୋଠାର ମଡ଼େଲ ମୁଁ ଆମେରିକାରେ ଦେଖିଥିଲି । ଆମେରିକା ଲୋକେ ଆମ ଦେଶର କୋଣାର୍କ ଆଉ ତାଜମହଲ ଦେଖି ସେମାନଙ୍କ ଦେଶରେ ସେଭଳି ଡିଜାଇନ୍‍ର କୋଠାବାଡ଼ି ତୋଳିବାକୁ ଲାଗିଲେଣି । ଯେଉଁ ଦେଶର ଲୋକେ ପର ଦେଶର ଠାକୁର ଅପେକ୍ଷା ନିଜ ଦେଶର କୁକୁରକୁ ବେଶି ଆଦର କରନ୍ତି ସେମାନେ ମଧ୍ୟ ଆମ ଦେଶର ଭାସ୍କର୍ଯ୍ୟରେ ମୁଗ୍ଧ ହୋଇପଡ଼ିଚନ୍ତି । ଅଥଚ ଆମ ଦେଶ ଲୋକେ ନିଜର ରୁଚି ବଢ଼େଇବା ଲାଗି ଅନ୍ୟ ଦେଶର ମଡ଼େଲଆଡ଼େ ନଜର ଦେଇ ନିଜ ଦେଶର ଗୌରବକୁ ଭୁଲି ବସିଲେଣି ।’’

 

କେମିତି ବିରକ୍ତଭାବେ ହରେନ୍ଦ୍ର ସେ କୋଠାଆଡ଼େ କିଛି ସମୟ ଚାହିଁରହିଲା ।

 

ମୁଁ କହିଲି, ‘‘ତୋର ସ୍ଥାପତ୍ୟର ସମାଲୋଚନା ରଖି ବର୍ତ୍ତମାନ ମି. ସିଂହଙ୍କର ଘରେ ପହଞ୍ଚିବା ଦରକାର । ସକାଳ ଚା’ପାଇଁ ସେ ନିମନ୍ତ୍ରଣ କରିଥିଲେ । ବର୍ତ୍ତମାନ ଆସି ନଅଟା ବାଜିବା ଉପରେ । ନଅଟାବେଳେ କିଏ ସକାଳ ଚା’ ଖାଏ ?’’

 

‘‘ଅସମ୍ଭବ ଲାଗିଲା ? ‘ବେଡ୍‍ ଟି’ ପାଇଁ ନିମନ୍ତ୍ରଣ ଥିଲେ ଅବଶ୍ୟ ଚଞ୍ଚଳ ହୋଇପଡ଼ନ୍ତି । କିନ୍ତୁ ତା’ ହେଇନି । ତା’ ବ୍ୟତୀତ ଯଥାସମୟରେ ପହଞ୍ଚିଯିବା ଗୋରାଙ୍କ କାମ । ଆମ ପରି ଓଡ଼ିଆଙ୍କ ପକ୍ଷେ ତା’ ସମ୍ଭବ ନୁହେଁ ।’’

 

‘‘ତୁ ଆସିଲୁ । ଏସବୁ ବିଷୟରେ ପରେ ଆଲୋଚନା କଲେ ଚଳିବ । ବର୍ତ୍ତମାନ ତେଣେ ମି. ସିଂହ ଆମକୁ ଅପେକ୍ଷା କରି ବସିଥିବେ ।’’

 

କିଛି ବାଟ ଆଗେଇଗଲା ପରେ ମି. ସିଂହଙ୍କ ବସାଟା ମିଳିଗଲା । ଦରୁଆନ୍‍କୁ ବୋଧହୁଏ ମି. ସିଂହ ଆଗରୁ କହିଥିଲେ । ଆମର ନାଆଁ ଶୁଣି ସେ ଦୋତାଲା ଉପରକୁ ଯିବାପାଇଁ ଅନୁରୋଧ କଲା ।

 

ମି. ସିଂହ ତାଙ୍କର ଦୋତାଲା ବୈଠକଖାନାରେ ବସି ସତକୁ ସତ ଆମ ଦୁହିଁଙ୍କୁ ଅପେକ୍ଷା କରିଥିଲେ । ଦେଖିଲୁଁ, ଆମର ପହଞ୍ଚିବା ଆଗରୁ ଜୀବନବାବୁ ସେଠାରେ ପହଞ୍ଚିଯାଇଥିଲେ ।

 

ମି. ସିଂହ ଚଞ୍ଚଳ ପଦକ୍ଷେପରେ ଆଗେଇ ଆସି କହିଲେ, ‘‘ହରେନ୍ଦ୍ରବାବୁ ! ପ୍ରତାପବାବୁ-! କାଲି ଆପଣମାନେ ସାଂଘାତିକ ବିପଦରେ ପଡ଼ିଥିଲେ । ଜୀବନବାବୁଙ୍କ ମୁହଁରୁ ସେକଥା ଶୁଣି ବ୍ୟସ୍ତ ହୋଇପଡ଼ିଥିଲି । ପ୍ରତାପବାବୁଙ୍କ ମୁଣ୍ଡରେ ଏପର୍ଯ୍ୟନ୍ତ ବ୍ୟାଣ୍ଡେଜ ବନ୍ଧା ହେଇଚି ! ନିଶ୍ଚୟ ତାଙ୍କର ଆଘାତ ଟାଣ ଥିଲା ।’’

 

ମୁଁ କହିଲି, ‘‘ନ ଥିଲା ବୋଲି କହିଲେ ବିଶ୍ୱାସ ହେବନି । ମହୁ ଖାଇଲେ ମିଠା ଲାଗେ; ଠେଙ୍ଗା ଖାଇଲେ କଷ୍ଟ ନିଶ୍ଚୟ ପାଇବାକୁ ହେବ । ପ୍ରକୃତିର ଏହାହିଁ ନିୟମ ।’’

 

ମି. ସିଂହ କହିଲେ, ‘‘କିନ୍ତୁ କିଏ ସେ ଦୁରାତ୍ମା, ଅନାୟାସରେ ଯିଏ ଖୁଣ୍‍ କରିଚି, ଭଦ୍ରଲୋକଙ୍କୁ ଆକ୍ରମଣ କରିଚି; ଅଥଚ ଏପର୍ଯ୍ୟନ୍ତ ସମସ୍ତଙ୍କର ଆଖିରେ ଧୂଳିଦେଇ ଆତ୍ମଗୋପନ କରିଚି ? ଘରୁ ବାହାରିବା ପାଇଁ ତ ମୋତେ ଭାରି ଭୟ ହେଲାଣି !’’

 

ଜୀବନବାବୁ କହିଲେ, ‘‘ଆପଣଙ୍କର ଭୟ କରିବା ଦରକାର କ’ଣ ? ଆପଣତ ଆଉ ପୋଲିସ୍‍ର ଲୋକ ନୁହଁନ୍ତି !’’

 

‘‘ମୁଁ ପୋଲିସ୍‍ର ଲୋକ ନୁହେଁ ସିନା, କିନ୍ତୁ ବନ୍ଧୁ-ହତ୍ୟାର ପ୍ରତିଶୋଧ ନେବାପାଇଁ ପୋଲିସ୍‍କୁ ତ ସାହାଯ୍ୟ କରୁଚି ! ଖୁଣୀର ମୋ ଉପରେ ରାଗ ନ ଥିବ, ୟାର କ’ଣ ନିଶ୍ଚିତତା ଅଛି-?’’

 

ଜୀବନବାବୁ କହିଲେ, ‘‘ଭୟ ନାହିଁ, ମି. ସିଂହ । ଆମେ ବୋଧହୁଏ ଖୁବ୍ ଚଞ୍ଚଳ ଖୁଣୀକୁ ଧରିପାରିବୁଁ । ଆଚ୍ଛା, ଗୋଟାଏ କଥା କହିପାରିବେ ?’’

 

‘‘କ’ଣ, ପଚାରନ୍ତୁ ।’’

 

‘‘ଆପଣ ତ ସୌରୀବାବୁଙ୍କର ଘନିଷ୍ଠ ବନ୍ଧୁ । ତାଙ୍କ ପରିବାରର ଅନେକ ବିଷୟ ଆପଣଙ୍କୁ ଜଣାଥିବ । ନିତ୍ୟାନନ୍ଦବାବୁ କେଉଁ କେଉଁ ଲୋକମାନଙ୍କ ସଙ୍ଗେ ମିଳାମିଶା କରନ୍ତି, ସେ ବିଷୟରେ ମୋତେ କୌଣସି ଖବର ଦେଇପାରିବେ ?’’

 

ମି. ସିଂହ ବିରକ୍ତଭାବେ ମୁଣ୍ଡହଲାଇ କହିଲେ, ‘‘ନିତ୍ୟାନନ୍ଦର ବନ୍ଧୁମାନଙ୍କ କଥା ମୋତେ ଆଉ ପଚାରନ୍ତୁନି ।’’

 

‘‘କାହିଁକି, କ’ଣ ହେଲା ?’’

 

‘‘ସେଗୁଡ଼ାକ ଭଲ ଲୋକ ନୁହନ୍ତି । ସେମାନଙ୍କର ବିଶେଷ ପରିଚୟ ମୁଁ ଜାଣିନି ସିନା; ତେବେ କାନରେ ଶୁଣିଚି, ବନ୍ଧୁମାନଙ୍କ ଉଦ୍ୟମରେ ନିତ୍ୟାନନ୍ଦର ପରଜନ୍ମ କଣ୍ଟକିତ ହୋଇଯାଇଚି । ବନ୍ଧୁମାନେ ଚେଷ୍ଟା କରିବେନି କାହିଁକି ? ସେମାନେ ଭଲଭାବେ ଜାଣନ୍ତି, ମାମୁଙ୍କ ପରେ ନିତ୍ୟାନନ୍ଦ ଅଗାଧ ସମ୍ପତ୍ତିର ମାଲିକ ହେବ । ତା’ପରେ ତ କଚେ ପୁଅ ବାର ! ସେଗୁଡ଼ାକ ଛାଡ଼ନ୍ତୁ, ବାବୁ !’’

 

ହରେନ୍ଦ୍ର ପଚାରିଲା, ‘‘ଜୀବନବାବୁ, ପୋଷ୍ଟମର୍ଟମରୁ କିଛି ଖବର ମିଳିଲା ?’’

 

‘‘ସୌରୀବାବୁଙ୍କ ପାକସ୍ଥଳୀରେ କୌଣସିପ୍ରକାର ବିଷର ଅସ୍ତିତ୍ଵ ମିଳିନି, ଯଦିଓ ଡାକ୍ତରମାନଙ୍କର ପ୍ରଥମେ ସେଇ ସନ୍ଦେହ ହୋଇଥିଲା । ସୌରୀବାବୁଙ୍କୁ ଗଳାଚିପି କେହି ମାରିଚି, ଏକଥା ଡାକ୍ତରମାନେ ଜୋର୍‍ ଦେଇ କହିପାରୁ ନାହାନ୍ତି । ତେବେ ସେମାନେ ସ୍ୱୀକାର କରୁଚନ୍ତି ଯେ, ଗଳାରେ ଚାପା ପଡ଼ିବା ଫଳରେ ମୃତ୍ୟୁ ହୋଇପାରିଥାଏ । ସୌରୀବାବୁଙ୍କ ଗଳାର ପ୍ରତ୍ୟେକ ନାଡ଼ରେ ରକ୍ତାଧିକ୍ୟର ଲକ୍ଷଣ ଦେଖାଯାଇଚି । ନିଶ୍ଚୟ ତାଙ୍କର ଗଳା ପ୍ରବଳଭାବେ ଚାପି ଧରାଯାଇଥିଲା । ଡାକ୍ତରମାନଙ୍କର ରିପୋର୍ଟ ଏତିକି । ଆପଣଙ୍କର ରିପୋର୍ଟ କ’ଣ ହରେନ୍ଦ୍ରବାବୁ-?’’

 

‘‘ମୋର ରିପୋର୍ଟ ? ରିପୋର୍ଟ ଦେବାଭଳି କୌଣସି ତଥ୍ୟ ମୋ ପାଖରେ ନ ଥିଲା ।’’

 

ମୁଁ ରହସ୍ୟ କରି କହିଲି, ‘‘କାହିଁକି ହରେନ୍ଦ୍ର, ତୁ ତୋର ସେଇ ଶୁଖିଲା ମହାମୂଲ୍ୟବାନ ମାଟିଗୁଣ୍ଡର କାହାଣୀ କହିପାରୁ !’’

 

ଜୀବନବାବୁ ଆଗ୍ରହରେ କହିଉଠିଲେ, ‘‘ରାଣ ଅଛି, ହରେନ୍ଦ୍ରବାବୁ, ଆପଣ ସେଇ ଶୁଖିଲା ମାଟିଗୁଣ୍ଡ କାହାଣୀରୁ ମୋତେ ବଞ୍ଚିତ କରନ୍ତୁନି ।’’

 

ମୋ’ଆଡ଼କୁ ଥରେ କଟମଟ ଆଖିରେ ଚାହିଁ ହରେନ୍ଦ୍ର କହିଲା, ‘‘ନାଇଁ ଜୀବନନବାବୁ, ବଞ୍ଚିତ ହେବେ କ’ଣ ? ଏସବୁ ବିଷୟରେ ପ୍ରତାପ ହେଉଛି ଏକନମ୍ବର ଅପଦାର୍ଥ । ଯୋଉ ଧୂଳି ଆମର ପାଦତଳେ ଅଛି, ଅପରାଧ ବିଜ୍ଞାନରେ ତା’ର ସ୍ଥାନ କେତେ ଉଚ୍ଚରେ, ଏ ଅପଦାର୍ଥ ସେକଥା ଆଦୌ ଜାଣେନି ।’’

 

ମି. ସିଂହ କୌତୂହଳପୂର୍ଣ୍ଣ କଣ୍ଠରେ କହିଲେ, ‘‘ହରେନ୍ଦ୍ରବାବୁ, ଏସବୁ ବିଷୟରେ ମୁଁ ନିହାତି କଞ୍ଚାବୁଦ୍ଧି । ଆପଣଙ୍କ ମୁହଁରୁ ଟିକିଏ ଧୂଳିର ଇତିହାସ ଶୁଣିବାକୁ ଆଗ୍ରହ ହେଉଚି ।’’

 

ହରେନ୍ଦ୍ର କହିଲା, ‘‘ଦେଖ କିଛି କାଳ ଆଗେ ଅପରାଧ ସଙ୍ଗେ ବିଜ୍ଞାନର କୌଣସି ବିଶେଷ ସମ୍ପର୍କ ନ ଥିଲା । ବୈଜ୍ଞାନିକ ପଦ୍ଧତିରେ ଚୋରୀ ଆଉ ଖୁଣ୍‍ କେସ୍‍ର ତଦନ୍ତ ଆରମ୍ଭ ହେଇଚି ଏଇ ଅଳ୍ପଦିନ ହେଲା । ଆଗେ କୌଣସି ଲୋକ ଉପରେ ସନ୍ଦେହ ହେଲେ ତା’ଠାରୁ ସ୍ୱୀକାରୋକ୍ତି ଆଦାୟ କରିବାପାଇଁ ପୋଲିସ୍‍ ପକ୍ଷରୁ ତାକୁ ନାନା ଯାତନା ଦିଆଯାଏ, ଯାହାକି ମଣିଷ ପ୍ରତି ଆଦୌ ପ୍ରଯୁଜ୍ୟ ନୁହେଁ । ଏଥିପାଇଁ ଅନେକ ଲୋକ ମରନ୍ତି ଏବଂ କେତେକ ମାଡ଼ ଭୟରେ ମିଛରେ ରାଜି ହୋଇଯାଆନ୍ତି । ମୁଁ ଶୁଣିଚି, ୟୁରୋପରେ ଥରେ ଗୋଟାଏ କେସରେ ପୋଲିସ୍‍ ସନ୍ଦେହ କରୁଥିବା ବ୍ୟକ୍ତିକୁ ମାରି ମାରି ମାରିପକେଇଲେ । ତା’ପରେ ଜଣାପଡ଼ିଲା, ପ୍ରକୃତ ଅପରାଧ କରିଛି ଅନ୍ୟଜଣେ ଲୋକେ । ଅସଲ କଥାହେଲା, ଆଗେ ପୋଲିସ୍‍ ବୁଦ୍ଧିବଳରେ ନୁହେଁ, ଦେହର ବଳରେ ଅପରାଧୀଠାରୁ କଥା ଆଦାୟ କରିବାକୁ ଚେଷ୍ଟା କରୁଥିଲେ ।’’

 

‘‘ଆଜିକାଲିର ଧାରା ଅନ୍ୟପ୍ରକାର । ଏକାଳରେ ପୋଲିସ୍‍ ଯଦି ଯନ୍ତ୍ରଣା ଦେଇ କଥା ଆଦାୟ କରେ ତା’ହେଲେ ତାହା ବିଚାର କ୍ଷେତ୍ରରେ କୋର୍ଟରେ ଗ୍ରାହ୍ୟ ହୁଏନି । ଆଜିକାଲି ୟୁରୋପର ପୋଲିସ୍‍ ଆଉ ଯନ୍ତ୍ରଣା ଦେଇ ଅପରାଧ ସ୍ୱୀକାର ଆଦାୟ କରୁନାହାନ୍ତି । ତା’ର କାରଣ, ପୋଲିସ୍‍ ବିଜ୍ଞାନର ସାହାଯ୍ୟ ନେଉଚନ୍ତି । ଅପରାଧୀର ସ୍ୱୀକାର-ଅସ୍ୱୀକାର ଉପରେ ସେମାନେ ମୁଣ୍ଡ ନ ଖେଳେଇ, ଘଟଣା ସ୍ଥଳରୁ ମିଳିଥିବା ଅସାମୀର ବ୍ୟବହାରରେ ଆସିଥିବା ଲୁଗାପଟା, ଜୋତା, ଟୋପି, ଠେଙ୍ଗା, ଛୁରୀ ପ୍ରଭୃତି ଯାହାକିଛି ମିଳେ ସେଥିରୁ ପୋଲିସ୍‍ ବିଜ୍ଞାନ ସାହାଯ୍ୟରେ ଆଶ୍ଚର୍ଯ୍ୟ ଭାବରେ ସବୁ ତଥ୍ୟ ବାହାର କରିପାରେ ।

 

‘‘ଆପଣମାନେ ଜାଣନ୍ତି ଯେ, ଧୂଳିର ଅଗମ୍ୟ ସ୍ଥାନ ନାହିଁ । ଝରକା କବାଟ ବନ୍ଦ କରି ଘରଭିତରେ ଗୋଟାଏ ବାକ୍ସରେ କିଛି ଜିନିଷ ରଖିଦିଅନ୍ତୁ । ଦେଖିବେ, ଉପର ଢାଙ୍କୁଣି ପ୍ରଭୃତି ସମସ୍ତ ବନ୍ଦ ଥାଇ ମଧ୍ୟ ତା’ ଭିତରକୁ ଧୂଳି ପଶିଚି । ସାଧାରଣ ଆଖିରେ ଯଦି ସେ ଧୂଳି ଦେଖାନଯାଏ, ତେବେ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର କରନ୍ତୁ, ଦେଖିବେ, ଜିନିଷ ଦେହରେ ଅନେକ ପ୍ରକାର ଧୂଳି ଲାଗିଥିବ । ବିଭିନ୍ନ ଶ୍ରେଣୀର ମଣିଷ ଯେକୌଣସି ଜିନିଷ ନେଇ ନିୟମିତ ବ୍ୟବହାର କରିବେ-। ତା’ ମଧ୍ୟରୁ ବିଶେଷ ଭାବରେ ଅନେକ ପ୍ରକାରର ଧୂଳି ମିଳିପାରିବ । ପାଶ୍ଚାତ୍ୟ ଅନେକ ପୋଲିସ୍‍ଗୋଷ୍ଠୀ ଏ ବିଷୟରେ ଗଭୀର ଆଲୋଚନା କରୁଚନ୍ତି । ଅପରାଧୀର ଜିନିଷଗୁଡ଼ିକ ସେମାନଙ୍କ ପକ୍ଷେ ସ୍ଵାକ୍ଷରିତ ସ୍ୱୀକାରୋକ୍ତିଠାରୁ ମୂଲ୍ୟବାନ ।

 

‘‘ଯେଉଁମାନେ ପାଉଁରୋଟି ତିଆରି କରନ୍ତି, ସେମାନଙ୍କର ନିତ୍ୟ ବ୍ୟବହୃତ ଜିନିଷ ମଧ୍ୟରୁ ଶ୍ୱେତସାର ମିଳିଥାଏ । ଯେଉଁମାନେ ଧାତୁ ଜିନିଷର କାମ କରନ୍ତି, ସେମାନଙ୍କ ଜିନିଷରୁ ମିଳେ ସୂକ୍ଷ୍ମ ଧାତବ ଧୂଳି । ଖଣିରେ ଯେଉଁମାନେ କାମ କରନ୍ତି, ସେମାନଙ୍କ ଜିନିଷରୁ ଖଣିଜ ଧୂଳି ମିଳିଥାଏ । ପ୍ରତ୍ୟେକଟା ଭିନ୍ନଭିନ୍ନ ପ୍ରକାରର । ଏଭଳି ନାନାରକମ ଜିନିଷ ଅଣୁବୀକ୍ଷଣ ଦେଇ ପରୀକ୍ଷା କରି ଅନାୟାସରେ କୁହାଯାଇପାରିବ ଯେ, ତା’ର ମାଲିକ ମିସ୍ତ୍ରୀ, ମୋଚି, ତେଲି, କମାର ବା ଅନ୍ୟ କୋଉ ଶ୍ରେଣୀର ଲୋକ ।’’

 

‘‘ଜଣେ ପାଶ୍ଚାତ୍ୟ ପ୍ରଫେସର ନାନା ପରୀକ୍ଷାଦ୍ୱାରା ପ୍ରମାଣ କରିଛନ୍ତି, ନିୟମିତ ଭାବରେ ବ୍ୟବହାର କରୁଥବା ପକେଟ ୱାଚ୍‍ ବା ରିଷ୍ଟୱାଚ୍‍ ଭିତରେ ଯେଉଁ ଧୂଳି ଜମିଥାଏ, ତା’ ସାହାଯ୍ୟରେ ଖୁବ୍ ସହଜରେ କୁହାଯାଇପାରେ ଯେ କେଉଁ ଶ୍ରେଣୀର ଲୋକ ହେଉଚି ସେ ଘଡ଼ିର ମାଲିକ ।’’

 

‘‘ମୁଁ ସେଇ ପଦ୍ଧତିରେ କାମ କରିବାକୁ ଚେଷ୍ଟା କରୁଚି । ସୌରୀବାବୁଙ୍କ ଲାସ୍ ପାଖରୁ ମୁଁ ଯେଉଁ glove ପାଇଥିଲି । ସେଇଟା ଅପହୃତ ନ ହୋଇଥିଲେ ମୁଁ ହୁଏତ ତା’ର ଭିତରର ଧୂଳି ପରୀକ୍ଷା କରି ଖୁବ୍ ସହଜରେ କହିଦେଇ ପାରିଥାନ୍ତି, ସେ glove ମାଲିକର ପେଶା କ’ଣ ଏବଂ ତା’ ଭିତରେ କେଉଁ ଶ୍ରେଣୀର ଧୂଳି ଥିଲା । ଆଶାକରେ, ମୋ କଥା ଆପଣମାନେ ବୁଝୁଥିବେ ।’’

 

ଜୀବନବାବୁ ପଚାରିଲେ, ‘‘ହରେନ୍ଦ୍ରବାବୁ, ସେ ଶୁଖିଲା ମାଟିଗୁଣ୍ଡ ଆପଣ ପରୀକ୍ଷା କରିଚନ୍ତି ବୋଲି ଶୁଣିଚି । ତା’ ମଧ୍ୟରୁ ନିଶ୍ଚୟ କିଛି ବିଶେଷତ୍ୱ ଆବିଷ୍କାର କରିପାରିଥିବେ ?’’

 

ହରେନ୍ଦ୍ର ଅବହେଳା ଭଙ୍ଗୀରେ କହିଲା, ‘‘ଧୂଳି ପାଇଚି ସିନା, ହେଲେ ସେଗୁଡ଼ାକ ନିହାତି ବାଜେ ଧୂଳି; କୌଣସି କାର୍ଯ୍ୟରେ ଲାଗିବ ବୋଲି ମନେହେଉନି । କାଇଁ ମି. ସିଂହ, ଆପଣଙ୍କର ଚା’ ? ଏତେବେଳ ଯାଏ ତ ପାଗଳଙ୍କ ପରି ଗପିଲି । ଏଥର ଚା’ ନ ହେଲେ ନ ଚଳେ-।’’

 

‘‘ନିଶ୍ଚୟ, ନିଶ୍ଚୟ । ମାଧବ, ଆରେ ମାଧବ ! ଜଲଦି ଚା’ ନେଇ ଆ ।’’

 

ଚା’ ଆସିଲା, ଜଳଖିଆ ଆସିଲା ।

 

ମି. ସିଂହ କହିଲେ, ‘‘ହରେନ୍ଦ୍ରବାବୁ, ଆପଣଙ୍କ କଥାରୁ ମୋର ଅନେକ ଜ୍ଞାନଲାଭ ହେଲା । ଧନ୍ୟବାଦ !’’

 

ଚା’ ପିଉ ପିଉ ହରେନ୍ଦ୍ର କହିଲା, ‘‘ଏଇ ଦୁଆର ପର୍ଦ୍ଦା ଫାଙ୍କରେ ଦେଖାଯାଉଚି, ସେଠାରେ ସେଲ୍‍ଫ ଉପରେ କେତେଗୁଡ଼ିଏ ଶିଶି ବୋତଲ ଥୁଆହେଇଚି । ସେଇଟା କ’ଣ ଆପଣଙ୍କର ଡିସପେନ୍‍ସାରି ?’’

 

‘‘ନା, ହରେନ୍ଦ୍ରବାବୁ ! ମୋର ଡିସପେନ୍‍ସାରି ନାହିଁ । ସେଇଟି ହେଉଚି ମୋର ରସାୟନାଗାର ।’’

 

‘‘ରସାୟନାଗାର ?’’

 

‘‘ଆଜ୍ଞା, ହଁ । ଆପଣ ତ ଜାଣନ୍ତି, ରସାୟନ ଶାସ୍ତ୍ର ମୁଁ ଊଣା ଅଧିକେ ପରୀକ୍ଷା କାର୍ଯ୍ୟ କରେଁ, ଯଦିଓ ମୋର ଜ୍ଞାନ ଖୁବ୍ କମ । ତେବେ ଏ ରସାୟନାଗାର ପଛରେ ବହୁତ ଟଙ୍କା ଖର୍ଚ୍ଚ କରିଚି । ଆପଣ ସେ ଘର ଦେଖିବେ ?’’

 

ଚା’ର ଶେଷ ଢୋକ ନେଇ ହରେନ୍ଦ୍ର ହସି ହସି କହିଲା, ‘‘ପ୍ରତାପ ଜାଣେ, ସବୁ ବ୍ୟାପାରରେ ମୋର କୌତୂହଳର ସୀମା ନ ଥାଏ । ବିଶେଷତଃ ବୈଜ୍ଞାନିକ ବ୍ୟାପାରରେ । ମୋ କଥା ତ ଶୁଣିଲେ । ଏଥର ରସାୟନଶାସ୍ତ୍ର ସମ୍ବନ୍ଧରେ ଆପଣ କିଛି କହନ୍ତୁ ।’’

 

‘‘ଆପଣଙ୍କୁ ନୂଆ କଥା କିଛି ଶୁଣେଇବା ଶକ୍ତି ମୋର ନାହିଁ । ଅତି ବଡ଼ ମୋର ରସାୟନାଗାରଟି ଆପଣଙ୍କ ଭଳି ଗୁଣୀଙ୍କୁ ଦେଖାଇ ଧନ୍ୟ ହୋଇପାରିବି । ଚା’ ଖିଆ ତ ସରିଛି; ଆସନ୍ତୁ ।’’

 

ମି. ସିଂହଙ୍କ ସଙ୍ଗେ ଆମେ ତିନିଜଣଯାକ ପାଖ ବଖରାରେ ପଶିଲୁ । ମୁଁ ଏ ରସାୟନାଗାର ଭିତରେ ବିଶେଷ କୌଣସି ନୂତନତ୍ୱ ପାଇଲିନି । କାରଣ, ହରେନ୍ଦ୍ରର ପରୀକ୍ଷାଗାରର ସାଜସଜ୍ଜା ସଙ୍ଗେ ଏହାର ଅନେକଟା ସାମଞ୍ଜସ୍ୟ ଥିଲା । ସେଇ ଶିଶି, ବୋତଲ, ଜାର ଆଉ ଅଣୁବୀକ୍ଷଣ, କାଚର ମାପ ଗ୍ଲାସ୍ ଓ ବକଯନ୍ତ୍ରାଦି ଥିଲା । ତେବେ ଏଇ ରସାୟନାଗର ପାଇଁ ମି. ସିଂହ ହରେନ୍ଦ୍ର ଅପେକ୍ଷା ବେଶି ଟଙ୍କା ଖରଚ କରିଚନ୍ତି । ସେଇ ନ ବୁଝିବାକୁ ଡେରି ହେଲାନି ।

 

ମୁଁ ରସାୟନ ବିଷୟରେ ଅନ୍ଧ । ସେଥିପାଇଁ ଏ ବଖରାଟିର ଯଥାର୍ଥ ମର୍ଯ୍ୟାଦା ହୁଏତ ବୁଝିପାରିଲିନି । ଜୀବନବାବୁଙ୍କ ଅବସ୍ଥା ମଧ୍ୟ ମୋରି ପରି । କାରଣ, ବୋକା ହୋଇଯିବା ଭୟରେ ସେ ବୋକା ହୋଇଗଲେଣି । ହରେନ୍ଦ୍ର କିନ୍ତୁ ଠିକ୍ ଥିଲା । ସେ କୌତୂହଳୀ ବାଳକପରି ଚଞ୍ଚଳ ହୋଇଉଠିଲା । ବିପୁଳ ଆଗ୍ରହରେ ଗୋଟିଏ ପରେ ଗୋଟିଏ ଜିନିଷ ପରୀକ୍ଷା କରି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥାଏ ମି. ସିଂହଙ୍କୁ ।

 

‘‘ଏଇଟାରେ କ’ଣ ଅଛି, ମି. ସିଂହ ?’’

 

ମି. ସିଂହ ମୋ ପକ୍ଷେ ଦୁର୍ବୋଧ୍ୟ ଓ ଅଦ୍ଭୁତ ଗୋଟିଏ ରସାୟନିକ ପଦାର୍ଥର ନା କହି ତା’ର ଗୁଣାବଳି ବୁଝେଇଦେଲେ ।

 

‘‘ଆଉ, ଏଇଟାରେ କ’ଣ ଅଛି ।’’

 

ପୁଣି ଗୋଟିଏ ଅଚିହ୍ନା ନାଁ ଆଉ ତା’ର ଗୁଣାବଳିର ବ୍ୟାଖ୍ୟା ।

 

‘‘ଥାକ ଉପରେ ଶିଶି ବୋତଲ ସଙ୍ଗେ ଏଇ ଥାର୍ମୋଫ୍ଲାସ୍କଟାରେ କ’ଣ ଅଛି, ମି. ସିଂହ-?’’

 

‘‘ଦ୍ରବୀଭୂତ ବାୟୁ ।’’

 

‘‘ଦ୍ରବୀଭୂତ ବାୟୁ, ଅର୍ଥାତ୍‍ ତରଳ ପବନ ! ପବନକୁ ଆପଣ ପାଣିରେ ପରିଣତ କରିଚନ୍ତି-? ଆଶ୍ଚର୍ଯ୍ୟ !’’

 

‘‘ଆଶ୍ଚର୍ଯ୍ୟ କ’ଣ, ହରେନ୍ଦ୍ରବାବୁ ! ପାଣି ଦେଖାଯାଏ.ପବନ ଦେଖାଯାଏନି । କିନ୍ତୁ ଦୁହେଁ ପ୍ରବାହିତ ହୁଅନ୍ତି । ସେଥିପାଇଁ ବିଜ୍ଞାନରେ ପବନକୁ କୁହାଯାଏ ତରଳ ଜିନିଷ ବା fluid !’’

 

ଜୀବନବାବୁ ଏତେବେଳ ପରେ କହିଲେ, ‘‘କିନ୍ତୁ fluid ହେଲେତ ପାଣିପରି ଏଇ ଦ୍ରବୀଭୂତ ବାୟୁକୁ ଦେଖାଯାଇପାରିବ ?’’

 

‘‘ଦେଖା ଯିବନି କାହିଁକି ? ନିଶ୍ଚୟ ଦେଖାଯାଇପାରିବ । ପବନ ଏକପ୍ରକାର ଗ୍ୟାସ ବ୍ୟତୀତ ଅନ୍ୟକିଛି ନୁହେଁ । ପବନର ତାପ ଯେତେବେଳେ ଶୂନର ଦୁଇଶହ ସତର ଡିଗ୍ରୀ ତଳକୁ ଓହ୍ଲାଇଯାଏ, ପବନ ସେତେବେଳେ ହୁଏ ଦ୍ରବୀଭୂତ । ସେତେବେଳ ତାହା ଠିକ୍ ପାଣିପରି ଦେଖାଯାଏ । ଆଉ ପାଣିପରି ତାକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରକୁ ମଧ୍ୟ ଢାଳି ହୁଏ । ଦ୍ରବୀଭୂତ ବାୟୁ ବିଷମ ଥଣ୍ଡା; କିନ୍ତୁ ତା’ର ଅବଶିଷ୍ଟ ତାପ ଆହୁରି ତଳକୁ ଖସିଲେ ତାହା ଘନୀଭୂତ ହୋଇ ବରଫରେ ପରିଣତ ହୋଇପଡ଼ିବ ।’’

 

ମୁଁ ବିସ୍ମିତ ହୋଇ କହିଲି, ‘‘ଜଳୀୟବାୟୁ କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲି । ତା’ପରେ ପବନ ହେବ ନିରାଟ ବରଫ ! ଏ ତ ରୀତିମତ ମ୍ୟାଜିକ୍ ! ସେତେବେଳ ତାହା କେମିତି ଦେଖାଯିବ ?’’

 

‘‘ଅବିକଳ ବରଫ ପରି; ଯଦିଓ ତାହା ଏତେ ଥଣ୍ଡା ହେବ ଯେ, ଏଇ ସାଧାରଣ ବରଫକୁ ସେତେବେଳେ ଗରମ କୁହାଯାଇପାରିବ । ଏଇ ବାୟୁ-ବରଫ ସାହାଯ୍ୟରେ ରସାୟନିକ ପୃଥିବୀର ସବୁଠାରୁ ହାଲୁକା ଗ୍ୟାସକୁ ଅର୍ଥାତ୍ ହାଇଡ୍ରୋଜେନକୁ ଦ୍ରବୀଭୂତ କରିପାରିବ; ଆଉ ତା’ ପରେ ପରେ ହାଇଡ୍ରୋଜେନ ବରଫ ।’’

 

ଜୀବନବାବୁ କହିଲେ, ‘‘ଫ୍ଲାସ୍କ ମୁହଁରେ ଠିପିଦେଇ ଏମିତି ତୁଳା ବିଣ୍ଡାଦେଇ ରଖିଚନ୍ତି କାହିଁକି ? ଦ୍ରବୀଭୂତ ହେଲେ ବି ପବନ କ’ଣ ଚାଲିଯାଇପାରେ ?’’

 

‘‘ଦ୍ରବୀଭୂତ ବାୟୁ ଉଡ଼ିଯାଏ; କିନ୍ତୁ ପ୍ଲାସ୍କ ମୁହଁରେ ତୁଳା ନ ଦେଇ ଠିପି ଦେଇଦେଲେ ଦ୍ରବୀଭୂତ ବାୟୁ ଗୁଡ଼ୁମ୍ କରି ପାତ୍ର ଫଟେଇ ବାହାରି ଆସେ ।’’

 

ହରେନ୍ଦ୍ର ହସି ହସି କହିଲା, ‘‘ଯାଃ, ମୋର କଥାର ସୁଧମୂଳ ଧରି ପରିଶୋଧ ହୋଇଗଲା । ମୁଁ ଗୋଟାଏ ନିହାତି ବାଜେ କଥା କହିଲି; ମାତ୍ର ଗୁଣାନୁସାରେ ଆପଣଙ୍କର କୃତିତ୍ୱ ଯଥେଷ୍ଟ ବେଶି । ଏଇ ଦ୍ରବୀଭୂତ ପବନ ଆପଣଙ୍କର କି କାମରେ ଲାଗେ ?’’

 

‘‘ମୋର ଅର୍ଥାତ୍‍ ରାସାୟନିକର ଅନ୍ୟ ଜିନିଷ ଅତିରିକ୍ତ ଥଣ୍ଡା କରିବାପାଇଁ ଦ୍ରବୀଭୂତ ବାୟୁ ଦରକାର ହୁଏ । ଏହାକୁ ଅନ୍ୟଜିନିଷ ସହିତ ମିଶାଇ ବିସ୍ଫୋରକ ଭାବରେ କାମରେ ଲଗେଇହୁଏ । କିନ୍ତୁ ପବନକୁ ଦ୍ରବୀଭୂତ କରିବା ବହୁ ବ୍ୟୟସାଧ୍ୟ । ଧନୀ ଛଡ଼ା ଅନ୍ୟକେହି ତା’ ପାରନ୍ତିନି । ରସାୟନର ସଉକି କରି ମୁଁ ପ୍ରାୟ କାଙ୍ଗାଳ ହୋଇପଡ଼ିଚି ।’’

 

ହରେନ୍ଦ୍ର କହିଲା, ‘‘ଆଜି ସମୟ ବହୁତ ହେଲାଣି । ଆପଣଙ୍କର ମୂଲ୍ୟବାନ ସମୟ ଆଉ ନଷ୍ଟ କରିବା ଉଚିତ ନୁହେଁ । କିନ୍ତୁ ପୂର୍ବରୁ ଏକଥା କହିଯାଉଚି, ଯେତେବେଳେ ଆପଣଙ୍କ ପରି ପଣ୍ଡିତଙ୍କ ସାଙ୍ଗେ ସାକ୍ଷାତ୍‍ ହେବାର ସୁଯୋଗ ମିଳିଚି, ସେତେବେଳେ ସହଜରେ ଆଉ ଆପଣଙ୍କୁ ଛାଡ଼ିପାରୁନି । ପୁଣି ସୁବିଧା ପାଇଲେ ନୂଆ କଥା ଶୁଣିବାପାଇଁ ଆପଣଙ୍କୁ ଆସି ବିରକ୍ତ କରିବି ।’’

 

ମି. ସିଂହ ସହାସ୍ୟ ବଦନରେ କହିଲେ, ‘‘ସେଥିପାଇଁ ମୁଁ ଚାହିଁ ବସିଥିବି । ଆପଣଙ୍କ ପରି ବିଜ୍ଞାନପ୍ରିୟ ବନ୍ଧୁଙ୍କ ପାଇଁ ମୋର ଦ୍ୱାର ସଦାବେଳେ ଅବାରିତ ରହିବ ।’’

 

ଘରଭିତରୁ ବାହାରୁ ବାହାରୁ ହରେନ୍ଦ୍ର ମୁଣ୍ଡ ଟୁଙ୍ଗାରି ଟୁଙ୍ଗାରି କହିଲା, ‘‘ବାୟୁର ବରଫ, ପବନର ବରଫ ! ଧନ୍ୟ ବିଜ୍ଞାନ, ଧନ୍ୟ ! ଏଥର ଆସିଲେ ହୁଏତ ଗନ୍ଧର ବରଫି ଖାଇପାରିବି ।’’

 

ମି. ସିଂହ ଉଚ୍ଚ କଣ୍ଠରେ ହସିଉଠି କହିଲେ, ‘‘ନା, ହରେନ୍ଦ୍ରବାବୁ, ଆପଣଙ୍କୁ ଏତେବଡ଼ ସୌଭାଗ୍ୟର ଅଧିକାରୀ କରିପାରିବାର ଶକ୍ତି ମୋର ନାହିଁ ।’’

 

ବାଟରେ ଆସୁ ଆସୁ ହରେନ୍ଦ୍ର ପୁଣି ସେଇ ନୂଆ କୋଠାଟିର ଆଗରେ ଠିଆ ହୋଇପଡ଼ିଲା ।

 

ମୁଁ ଭୟରେ ପଚାରିଲି, ‘‘କିରେ, ପୁଣି ଏଠି ଠିଆହୋଇ ସେ ସ୍ୱଦେଶୀ ଆଉ ବିଦେଶୀ ସ୍ଥାପତ୍ୟ ବିଷୟରେ ବକ୍ତୃତା ଦେବୁ ନା କ’ଣ ?’’

 

‘‘ନା, ନା, ଭୟ କରନା । ଏ ଘରଟା ହେଉଚି ମୋର ଚକ୍ଷୁଃଶୂଳ ।’’ ଏହା କହି ସେ ଦୁମ୍ ଦୁମ୍‍ ହୋଇ ଆଗେଇଲା ।

 

ମହତାବ ରୋଡ଼ ଉପରକୁ ଉଠି ଜୀବନବାବୁ କହିଲେ, ‘‘ଏଥର ମୋତେ ଥାନାକୁ ଯିବାକୁ ପଡ଼ିବ । ମି. ସିଂହଙ୍କ ବ୍ୟବହାର କେମିତି ଲାଗିଲା ?’’

 

ହରେନ୍ଦ୍ର ଆନନ୍ଦମିଶା ସ୍ୱରରେ କହିଲା, ‘‘ଚମତ୍କାର, ଖୁବ୍ ଭଲ ! ଅତି ଚିତ୍ତାକର୍ଷକ ଲୋକ । ତିଳେହେଲେ ପାଣ୍ଡିତ୍ୟର ଗର୍ବ ନାହିଁ ।’’ ଟିକିଏ ରହି ସ୍ୱର ବଦଳାଇ କହିଲା, ‘‘ଜୀବନବାବୁ-! ଆପଣଙ୍କୁ ଗୋଟାଏ ଫର୍ଦ୍ଦ ଉପହାର ଦେଉଚି । କାମରେ ଲାଗିବ କି ନାଇଁ ଦେଖିବେ ।’’

 

‘‘ଉପହାର ? କି ଉପହାର ଦେବେ ?’’

 

‘‘ଗୋଟାଏ କାଗଜ । ସୌରୀବାବୁଙ୍କର ଯେଉଁ ନୋଟ୍‍ଗୁଡ଼ିକ ଚୋରୀ ହୋଇଚି ସେଥିରେ ତା’ର ନମ୍ବରଗୁଡ଼ିକ ଟିପା ଅଛି । ଏଇ ନିଅନ୍ତୁ ।’’

 

ଅତିଶୟ ବିସ୍ମିତହୋଇ ଜୀବନବାବୁ କହିଲେ, ‘‘ଏଁ ! ଏ କାଗଜ ଆପଣ କେଉଁଠୁ ପାଇଲେ ?’’

 

‘‘କୌଣସି କଥା ନ ପଚାରିଲେ ବାଧିତ ହେବି । ଦୁଇ ତିନିଦିନ ପରେ ସବୁକଥା ଜାଣିପାରିବେ । ଆ, ପ୍ରତାପ !’’

 

ହତବାକ୍ ଜୀବନବାବୁଙ୍କୁ ସେଠାରେ ବିଦାୟ ଦେଇ ଆମେ ଚାଲି ଚାଲି ଆଗେଇଲୁଁ ।

 

କିଛିବାଟ ଆସିବା ପରେ ମୁଁ ପଚାରିଲି, ‘‘ଏ କାଗଜ କଥା ତୁ ମତେ କହିନଥିଲୁ କାହିଁକି-?’’

 

ହରେନ୍ଦ୍ର ବିରକ୍ତ ହୋଇ କହିଲା, ‘‘ତତେ କହି ଲାଭ କ’ଣ ? ତୁ ଗୋଟାଏ ମସ୍ତ ନିର୍ବୋଧ-!’’

 

‘‘ନିର୍ବୋଧ ?’’

 

‘‘ହଁ, ପ୍ରଥମ ଶ୍ରେଣୀ ଗଧ । ମୋର ଶୁଖିଲା ମାଟି ନେଇ ଗବେଷଣା କରିବା କଥା ତତେ ସେଠି କହିବାକୁ କିଏ କହୁଥିଲା ?’’

 

‘‘ଏଥିରେ କୋଉ ମହାଭାରତଟା ଅଶୁଦ୍ଧ ହେଇଗଲା ଯେ ?’’

 

‘‘ହେଲା ନାହିଁ ତ ଆଉ କ’ଣ ? ତୋତେ ପରା ଆଗରୁ କହିଥିଲି, ଏ ଘଟଣାର କୌଣସି ଜିନିଷ ଆବଶ୍ୟକ ନ ହେଲେ ମୁଁ ପୋଲିସ୍‍କୁ କହିବିନି ବୋଲି ?’’

 

‘‘ସତରେ ଭାଇ, ମୋର ସେକଥା ମନେ ନ ଥିଲା ।’’

 

‘‘ଭାଗ୍ୟ ଯେ, ମୁଁ କଥାର ମୋଡ଼ ଅନ୍ୟଆଡ଼େ ଧରିଲି । ଦେଖ୍‍, ଏଣିକି ଆଉ ଯେମିତି ଏ ଭୁଲ୍ ନ କରୁ ।’’

 

‘‘କିନ୍ତୁ ସେ କାଗଜଖଣ୍ଡକ ।’’

 

‘‘ଦେଖୁଚି ଏ ଦିଗରେ ମୋ’ ଅପେକ୍ଷା ତୋର କୌତୂହଳ ବେଶି ବଢ଼ିଲାଣି । ସେ କାଗଜ ବିଷୟରେ କୌଣସି ରହସ୍ୟ ନାହିଁ । ଆଜି ସକାଳୁ ସୌରୀବାବୁଙ୍କ ଡାଏରୀ ବହିରୁ ମୁଁ ସେ ନମ୍ବରଗୁଡ଼ିକ ପାଇଥିଲି । ତାକୁ ଖଣ୍ଡେ କାଗଜରେ ଟିପି ଆଣିଥିଲି । ଯେଉଁଦିନ ଖୁଣ୍‍ ହେଲା ସେଇଦିନ ସେ ବିଷୟ ଲେଖାଥିଲା । ସୌରୀବାବୁ ପୋଷ୍ଟ ଅଫିସରୁ ଫେରି ବୋଧହୁଏ ନୋଟ୍‍ର ନମ୍ବରଗୁଡ଼ିକ ଡାଏରୀରେ ଚଢ଼େଇ ଥିଲେ । ....ଜଣାପଡ଼ୁଚି, ସୌରୀବାବୁ ଖୁବ୍ ସାବଧାନ । ....ଆମ ପଛରେ କିଏ ଆସୁଚି, ଦେଖିଲୁ ପ୍ରତାପ !’’

 

ତା’କଥା ଶୁଣି ମୁଁ ପଛକୁ ଫେରି ଚାହିଁଲି, ସୌରୀବାବୁଙ୍କର ଭଣଜା ନିତ୍ୟାନନ୍ଦ ଆସୁଥିଲେ । ତାଙ୍କର ଚେହେରା ଶୁଖିଲା ଦିଶୁଥିଲା । ବହୁ ଦିନର ରୋଗାକ୍ରାନ୍ତ ପରି ଦେଖାଯାଉଥିଲେ ।

 

ହରେନ୍ଦ୍ର ପଚାରିଲା, ‘‘ଆରେ, ନିତ୍ୟାନନ୍ଦବାବୁ ତ ! ଏଆଡ଼େ କୁଆଡ଼େ ଆସିଥିଲେ ?’’

 

‘‘କିଏ, ହରେନ୍ଦ୍ରବାବୁ ? କିଛି କାଠର ଛେଲା ବରାଦ କରିବାପାଇଁ ବଢ଼େଇଶାଳକୁ ଯାଇଥିଲି । ଆପଣ କୁଆଡ଼େ ଯାଇଥିଲେ ?’’

 

‘‘ମି. ସିଂହ ଆମକୁ ଚା’ର ନିମନ୍ତ୍ରଣ କରିଥିଲେ ।’’

 

ଏକଥା ଶୁଣି ସେ ଆଗେଇଗଲେ ଏବଂ କିଛିବାଟ ଯାଇ ପୁଣି ଫେରିଆସି କହିଲେ, ‘‘ହରେନ୍ଦ୍ରବାବୁ, ମି. ସିଂହ ମୋ ବିଷୟରେ ଆପଣଙ୍କୁ କ’ଣ କିଛି କହିଚନ୍ତି ?’’

 

‘‘ନା; କିନ୍ତୁ ଆପଣଙ୍କ ମନରେ ଏ ସନ୍ଦେହର କାରଣ କ’ଣ ?’’

 

ନିତ୍ୟାନନ୍ଦବାବୁ କିଛି ସମୟ ଇତସ୍ତତଃ ହୋଇ କହିଲେ, ‘‘ଦେଖନ୍ତୁ ହରେନ୍ଦ୍ରବାବୁ, ମି. ସିଂହ ମୋ ମାମୁଙ୍କର ଅନ୍ତରଙ୍ଗ ବନ୍ଧୁ ସତ; ମାତ୍ର ମୋ’ପ୍ରତି ତାଙ୍କର ସଦାବେଳେ ଖରାପ ଧାରଣା । ମାମୁଙ୍କ ମରିବା ଦିନ ତାଙ୍କ ସହିତ ମୋର ମନୋମାଳିନ୍ୟ ହୋଇଥିଲା, ଏକଥା ଆପଣ ଜାଣନ୍ତି । କିନ୍ତୁ ତା’ର ଅସଲ କାରଣଟା କ’ଣ, ଆପଣ ଜାଣନ୍ତି ?’’

 

‘‘ଆପଣ ଜୁଆ ଖେଳନ୍ତି ବୋଲି ସୌରୀବାବୁ ଆପଣଙ୍କ ଉପରେ ବିରକ୍ତ ହୋଇଥିଲେ ତ ?’’

 

‘‘ହଁ । ଆଉ ମାମୁଙ୍କ ପାଖେ ସେ ଖବର ନେଇ ଦେଇଥିଲେ ଏଇ ମି. ସିଂହ । ଏଇଟା କ’ଣ ତାଙ୍କର ଠିକ୍ ହେଲା ?’’

 

‘‘କାହିଁକି ଠିକ୍ ହେବନି ? ଆପଣ ଅସତ୍ ସଂସର୍ଗରେ ଅଧଃପତନଆଡ଼କୁ ଯାଉଥିଲେ । ସେଥିପାଇଁ ସେ ସୌରୀବାବୁଙ୍କୁ ଆପଣଙ୍କର ମଙ୍ଗଳ ପାଇଁ ସାବଧାନ କରିଦେଇଥିଲେ ।’’

 

ନିତ୍ୟାନନ୍ଦ କେବଳ କହିଲେ, ‘‘ଓ !’’

 

ହରେନ୍ଦ୍ର କହିଲା, ‘‘ମୁଁ ଆପଣଙ୍କୁ ଗୋଟିଏ କଥା ପଚାରିବାକୁ ଭାବିଚି ।’’

 

‘‘ପଚାରନ୍ତୁ ।’’

 

‘‘ଆପଣଙ୍କ ମାମୁଙ୍କ ହତ୍ୟାରେ କାହା ଉପରେ ଆପଣଙ୍କର ସନ୍ଦେହ ହେଉଚି ?’’

 

‘‘ସନ୍ଦେହ ? କାହାରି ଉପରେ ସନ୍ଦେହ କରିବାର ଅଧିକାର ମୋର ନାହିଁ ।’’ ଏତିକି କହି ନିତ୍ୟାନନ୍ଦବାବୁ ଗୋଟାଏ ରିକ୍ସା ଡାକି ଚାଲିଗଲେ ।

 

‘‘ଆମେ ପୁଣି ଆଗେଇଲୁଁ । ଯିବା ସମୟରେ ମୁଁ ବାରମ୍ବାର ପଛକୁ ଚାହୁଁଥାଏଁ ।’’

 

ଏକଥା ଦେଖି ହରେନ୍ଦ୍ର ହସି ହସି କହିଲା, ‘‘ପ୍ରତାପ, ତୁ ଥରକୁ ଥର କାହିଁକି ପଛକୁ ଚାହୁଁଚୁ ସେ କଥା ମୁଁ ବେଶ୍‍ କହିପାରିବି ।’’

 

‘‘କହିଲୁ ଦେଖି !’’

 

‘‘କାଲି ରାତିରେ ଯେଉଁ ଆକ୍ରମଣ ହେଇଚି, ତା’ରି ଭୟ ତୋର ଯାଇନି । ତା’ପରେ ଅପରାଧର ସନ୍ଦେହଟା ତୋର ନିତ୍ୟାନନ୍ଦ ଉପରେ ଘନୀଭୂତ । ତେଣୁ ସେଇ ଚିନ୍ତାରେ ତୁ ପଛକୁ ଫେରିଚାହୁଁଚୁ । ଭୟର କାରଣ ନାହିଁ । ବର୍ତ୍ତମାନ ଦିନବେଳ । ତା’ପରେ ହେଇ ଆଗରେ ନିତ୍ୟାନନ୍ଦବାବୁ ରିକ୍ସାରେ ଯାଉଚନ୍ତି । ଚାଲିବାଦ୍ୱାରା ଯେଉଁ ଭୟ, ସେଥିପାଇଁ ରିକ୍ସା ନିହାତି ଦରକାର ।’’

 

ଏହା କହି ହରେନ୍ଦ୍ର ଗୋଟାଏ ରିକ୍ସା ଡାକିଲା । ଦୁହେଁ ରିକ୍ସାରେ ବସି ବସାକୁ ଫେରିଲୁଁ ।

 

ପରଦିନ ସନ୍ଧ୍ୟାବେଳେ ବସି ହରେନ୍ଦ୍ର ଆଉ ମୁଁ ଖୁସିଗପ କରୁଚୁଁ, ଏତିକିବେଳେ ଇନ୍‍ସପେକ୍ଟର ଜୀବନବାବୁ ଘର ଭିତରକୁ ଆସିଲେ ।

 

ହରେନ୍ଦ୍ର ପଚାରିଲା, ‘‘ଏମିତି ସମୟରେ କୁଆଡ଼େ ? କ’ଣ ଖବର ଅନ୍ତର କିଛି ଅଛି ନା କ’ଣ ?’’

 

ଜୀବନବାବୁ ଗୋଟାଏ ଚଉକି ଉପରେ ବସିପଡ଼ି କହିଲେ, ‘‘ଭଲମନ୍ଦ ଦୁଇଟା ଖବର ଅଛି ।’’

 

‘‘ଯଥା ?’’

 

‘‘ସେଇ ଭଙ୍ଗା କାଚ ଗ୍ଲାସ୍‍ ଉପରେ ଆଙ୍ଗୁଠି ଛାପ ପାଇଛି ।’’

 

‘‘ହଁ, ଶୁଭ ସମ୍ବାଦ ।’’

 

‘‘ଆମର ପୁରୁଣା ଅଫିସ କାଗଜପତ୍ରରୁ ଗୋଟାଏ ଆସାମୀର ଅଙ୍ଗୁଳି ଛାପ ବାହାରିଚି-। ଦୁଇଟିଯାକ ଏକ୍ ।’’

 

ଆଗ୍ରହରେ ଆଗକୁ ଝୁଙ୍କିପଡ଼ି ହରେନ୍ଦ୍ର କହିଲା, ‘‘କିଏ ସେ ଆସାମୀ ?’’

 

‘‘କୋଡ଼ିଏ ବର୍ଷ ଆଗେ ଜାଲ୍ ନୋଟ୍‍ ଛାପି ଚଳେଇବା ଅଭିଯୋଗରେ ସତ୍ୟବାଦୀ ବୋଲି ଗୋଟିଏ ଲୋକ ଧରାପଡ଼ିଥିଲା । କିନ୍ତୁ କେସ୍ ଯେତେବେଳେ ବିଚାରାଧୀନ, ସେଇ ସମୟରେ ସେ ଦିନେ ହାଜତ୍ ଭିତରୁ ପୋଲିସ୍‍କୁ ଫାଙ୍କି ଫେରାର ହେଲା । ତା’ରି ଆଙ୍ଗୁଠିଛାପ ସାଙ୍ଗରେ ଗ୍ଲାସ୍‍ର ଆଙ୍ଗୁଠିଛାପ ଏକବାରେ ମିଶିଯାଉଚି ।’’

 

‘‘ସେଇ ସତ୍ୟବାଦୀ ବର୍ତ୍ତମାନ କେଉଁଠି ?’’

 

‘‘କେହି ସେକଥା ଜାଣନ୍ତିନି । ହୁଏତ ତା’ର ଅସଲ ନାଁ ସତ୍ୟବାଦୀ ନୁହେଁ । ଯେତେବେଳେ ସେ ହାଜତରେ ଥିଲା, ସେତେବେଳେ ପୋଲିସ୍‍ ଅନେକ ଚେଷ୍ଟାକରି ମଧ୍ୟ ତା’ର ଯଥାର୍ଥ ପରିଚୟ ଆଦାୟ କରିପାରିଲାନି । ଚେଷ୍ଟାକରି ମଧ୍ୟ ତା’ର କଥାବାର୍ତ୍ତା, ହାବଭାବ ଆଉ ବ୍ୟବହାରରୁ ଏତିକି ଜଣାପଡ଼ିଥିଲା ଯେ, ସେ ସୁଶିକ୍ଷିତ ଆଉ ଭଲଘରର ପିଲା । ସେଇ ଦିନଠାରୁ ଆଉ ସତ୍ୟବାଦୀର ଚିହ୍ନ ପୋଲିସ୍‍ ପାଇନି । କୋଡ଼ିଏ ବର୍ଷ ପରେ ଆଜି ପୁଣି ସେ ଭଙ୍ଗା କାଚଗ୍ଲାସ୍‍ ଉପରେ ନିଜ ଅସ୍ତିତ୍ୱର ପ୍ରମାଣ ଦେଇଚି । ସଇତାନ ଅଜ୍ଞାତବାସରୁ ଫେରିଆସି ହେଇଚି ଖୁଣୀ । କିନ୍ତୁ ସେମିତି ଆତ୍ମଗୋପନ କରି ରହିଚି ।’’

 

‘‘ସତ୍ୟବାଦୀର କୌଣସି ଫଟୋ ଆପଣଙ୍କ ପାଖରେ ନାହିଁ ? ସେ ନାଁ ବଦଳେଇପାରେ; ଚେହେରା ବଦଳେଇ ପାରିବନି ତ ?’’

 

‘‘ଫଟୋ ନିଶ୍ଚୟ ଅଛି, ନିଅନ୍ତୁ । କାଳେ ଦରକାର ହେବ ବୋଲି ସାଙ୍ଗରେ ନେଇଆସିଚି-।’’

 

ଜୀବନବାବୁ ପକେଟ ଭିତରୁ ଖଣ୍ଡେ ଫଟୋ ବାହାର କରି ଟେବୁଲ ଉପରେ ରଖିଲେ । ମୁଁ ଝୁଙ୍କିପଡ଼ି ଦେଖିଲି, ଗୋଟିଏ ବେଶ୍ ଶାନ୍ତଶିଷ୍ଟ ଯୁବକର ଚେହେରା ।

 

ଛବିଟିକୁ କିଛି ସମୟ ମନଯୋଗଦେଇ ଦେଖିବାପରେ ହରେନ୍ଦ୍ର କହିଲା, ‘‘କୋଡ଼ିଏ ବର୍ଷ ତଳେ ସତ୍ୟବାଦୀର ବୟସ କେତେ ଥିଲା ?’’

‘‘କୋଡ଼ିଏ କିମ୍ବା ବାଇଶରୁ ବେଶି ହେବନି ।’’

‘‘ତା’ହେଲେ ବର୍ତ୍ତମାନ ତା’ର ବୟସ ଚାଳିଶ କିମ୍ବା ବୟାଳିଶ ହେବଣି । ଏହା ମଧ୍ୟରେ ତା’ର ଚେହେରା ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ଅଛି । ଆଚ୍ଛା, ଛବିଖଣ୍ଡିକ ଆଜି ମୋ ପାଖରେ ଥାଉ ।’’

ମୁଁ କହିଲି, ‘‘ସୌରୀବାବୁଙ୍କୁ ଖୁଣ୍‍ କରିବାକୁ ଆସିଥିଲେ ଦୁଇଜଣ । ଜଣାପଡ଼ୁଚି, ଏମାନଙ୍କ ମଧ୍ୟରୁ ଜଣେ ହେଉଚି ସତ୍ୟବାଦୀ । ମାତ୍ର ଆର ଜଣକ କିଏ ?’’

ଜୀବନବାବୁ ମ୍ଳାନ ହସ ହସି କହିଲେ, ‘‘ତା’ର ମଧ୍ୟ ସନ୍ଧାନ ପାଇଥିଲି; କିନ୍ତୁ ଦୁର୍ଭାଗ୍ୟକ୍ରମେ ସେ ପୋଲିସ୍‍ ହାତରୁ ଖସିଯାଇଚି ?’’

ହରେନ୍ଦ୍ର ବିସ୍ମିତ ହୋଇ କହିଲା, ‘‘ଖସିଯାଇଚି ! କିଏ ଖସିଯାଇଚି ?’’

‘‘ଶୁଣନ୍ତୁ, ସୌରୀବାବୁଙ୍କ ଚୋରୀ ଯାଇଥିବା ନୋଟ୍‍ର ନମ୍ବରଗୁଡ଼ିକ ଆପଣ କି ଉପାୟରେ ପାଇଥିଲେ, ସେକଥା ଜାଣେନି; ମାତ୍ର ଖୋଜାଖୋଜି କରିବାରୁ ଦେଖାଗଲା, ଷ୍ଟେଟ୍‍ବ୍ୟାଙ୍କରେ ଆଜି କେହି ସେଇ ନମ୍ବରର ଦଶଖଣ୍ଡି ନୋଟ୍‍ ଭଙ୍ଗେଇ ନେଇଯାଇଚି ।’’

‘‘କ’ଣ କହୁଚନ୍ତି ଆପଣ ?’’

‘‘ହଁ, ତା’ପରେ ଖବର ପାଇଲି, ଆଜି ସକାଳେ ଷ୍ଟେଟ୍‍ବ୍ୟାଙ୍କରୁ ନିତ୍ୟାନନ୍ଦବାବୁ ବାହାରି ଆସୁଥିବାର ଦେଖାଯାଇଚି ।’’

‘‘ନିତ୍ୟାନନ୍ଦବାବୁ କ’ଣ କହୁଚନ୍ତି ?’’

‘‘ବର୍ତ୍ତମାନ ନିତ୍ୟାନନ୍ଦବାବୁଙ୍କ ଠାରୁ ମତାମତ ଜାଣିବାର ଆଉ କୌଣସି ଉପାୟ ନାହିଁ-।’’

‘‘ମାନେ ?’’

‘‘ସେ ପଳେଇଚନ୍ତି !’’

‘‘ପଳେଇ ଯାଇଚନ୍ତି ? ନିତ୍ୟାନନ୍ଦବାବୁ ପଳେଇ ଯାଇଚନ୍ତି ?”

ଉତ୍ତେଜିତଭାବେ ହରେନ୍ଦ୍ର ଚେୟାର ଉପରେ ସିଧା ହୋଇ ବସିଲା ।

‘‘ଏକାବେଳେ ନିରୁଦ୍ଦେଶ ! ବ୍ୟାଙ୍କରୁ ଫେରିଆସି ଘରୁ କେତେବେଳେ କେଉଁ ବାଟେ ଅଦୃଶ୍ୟ ହେଇଚନ୍ତି, କେହି ସେକଥା ଜାଣିପାରିନାହାନ୍ତି । ତାଙ୍କ ନାଁରେ ୱାରେଣ୍ଟ୍‍ କରି ଗିରଫ କରିବାକୁ ଯାଇ ଦେଖେଁ ତ, ପଞ୍ଜୁରୀ ଭିତରେ ପକ୍ଷୀ ଆଉ ନାହିଁ ।’’

ହରେନ୍ଦ୍ର ଅସ୍ପଷ୍ଟ ସ୍ୱରରେ କହିଲା, ‘‘ନିତ୍ୟାନନ୍ଦ ପଳାତକ ! ତାକୁ ଦେଖାଯାଇଚି, ଷ୍ଟେଟ୍‍ ବ୍ୟାଙ୍କରେ ?’’

ଅନୁତାପଭରା ଗଳାରେ ଜୀବନବାବୁ କହିଲେ, ‘‘ବଡ଼ ଭୁଲଟାଏ ହୋଇଗଲା । ପ୍ରଥମରୁ ମୋର ତାଙ୍କ ଉପରେ ସନ୍ଦେହ ହେଉଥିଲା । ସେତେବେଳେ ଗିରଫ କରିଥିଲେ ଭଲ ହୋଇଥାନ୍ତା-।’’

ମୁଁ ମନେ ମନେ ଭାବିବାକୁ ଲାଗିଲି, ପଳାଇଯାଇ ନିତ୍ୟାନନ୍ଦ ନିଜେ ନିଜର ଅପରାଧଟା ଭଲଭାବରେ ପ୍ରମାଣିତ କରିଦେଲେ ଏ ବିଭତ୍ସ କାଣ୍ଡରେ ତାଙ୍କର କେତେ ହାତ ଥିଲା । ସେ କ’ଣ ସତ୍ୟବାଦୀର ହୁକୁମ ତାମିଲ କରିଥିଲେ ? ସତ୍ୟବାଦୀ କ’ଣ ତାଙ୍କ ସଙ୍ଗେ ମଧ୍ୟ ପଳାଇଚି-?

 

ହରେନ୍ଦ୍ର ହଠାତ୍ ଦୃଢ଼ ସ୍ୱରରେ କହିଉଠିଲା, ‘‘ନିଶ୍ଚିନ୍ତ ଥାଆନ୍ତୁ ଜୀବନବାବୁ ! ମତେ ଆଉ ତିନିଦିନ ସମୟ ଦିଅନ୍ତୁ । ତା’ରି ଭିତରେ ହୁଏତ ମୁଁ ଏ କେସ୍‍ର ଗୋଟାଏ କିନାରା କରିଦେଇ ପାରିବି ।’’

 

ଜୀବନବାବୁ କହିଲେ, ‘‘କେସ୍‍ଟାର ତ ଏକପ୍ରକାର କିନାରା କରିଦେଇଥିଲି । ସଇତାନ୍ ନିତ୍ୟାନନ୍ଦ ଆତ୍ମଗୋପନ କରି ବଡ଼ ମୁସ୍କିଲରେ ପକେଇ ଦେଲା ।’’

 

ହରେନ୍ଦ୍ର କହିଲା, ‘‘କିଛି ଭାବିବେନି ଜୀବନବାବୁ ନିତ୍ୟାନନ୍ଦବାବୁଙ୍କୁ ଖୁବ୍‍ଶୀଘ୍ର ପୁଣି ଆପଣ ହାତ ପାଖରେ ପାଇବେ । ସେ କୁଆଡ଼େ ପଳେଇଯିବେ ? ତାଙ୍କୁ ମୁଁ ଆପଣଙ୍କ ହାତରେ ଧରେଇ ଦେବାକୁ ଶପଥ କରୁଚି ।’’

 

ଆଉ କିଛି ସମୟ କଥାବାର୍ତ୍ତା କରି ଜୀବନବାବୁ ଚାଲିଗଲେ । ହରେନ୍ଦ୍ର ଚିନ୍ତିତ ମନରେ ଚୁପ୍ ରହିଲା ।

 

ମୁଁ ଘରକୁ ଯିବାପାଇଁ ଉଠିଲି । ହରେନ୍ଦ୍ର କହିଲା, ‘‘କିଛି ମନେକରିବୁନି । ଗୁଡ଼ାଏ କାମ ଥିବାରୁ ଆଜି ସାନ୍ଧ୍ୟଭ୍ରମଣରେ ଯାଇପାରୁନି ।’’

 

ସେଦିନ ସକାଳୁ ଚା’ ପିଉ ପିଉ ବସି ହରେନ୍ଦ୍ର ସାଙ୍ଗେ ଖୁସିଗପ କରୁଥିଲି, ଏତିକିବେଳେ ଇତସ୍ତତଃ ହୋଇ ଜୀବନବାବୁ ଦୁମ୍‍କରି ଆସି ପହଞ୍ଚିଗଲେ ।

 

ହରେନ୍ଦ୍ର ପଚାରିଲା, ‘‘କ’ଣ ହେଇଚି ? ଆପଣଙ୍କର ଅବସ୍ଥା ଆଉ ଚେହେରା ତ ଭଲ ନାହିଁ !’’

 

‘‘ପୁଣି ଖୁଣ୍‍ !’’ କହି ଜୀବନବାବୁ ଭୁସ୍‍କରି ଗୋଟାଏ ଚେୟାର ଉପରେ ବସିପଡ଼ିଲେ ।

 

ହରେନ୍ଦ୍ର ଠିଆ ହୋଇପଡ଼ି କହିଲା, ‘‘ଖୁଣ୍‍ ?’’

 

‘‘ହଁ, ହରେନ୍ଦ୍ରବାବୁ, ପୁଣି ଗୋଟାଏ ଖୁଣ୍‍ ହେଇଚି । ତା’ର ଖୁଣୀ ନିଶ୍ଚୟ ସେଇ ନିତ୍ୟାନନ୍ଦ !’’

 

‘‘ଆପଣ କ’ଣ କହୁଚନ୍ତି ଜୀବନବାବୁ ? ନିତ୍ୟାନନ୍ଦ ଖୁଣ୍‍ କରିଚି ? କାହାକୁ ? ମି. ସିଂହଙ୍କୁ ନୁହେଁ ତ ?’’

 

‘‘ମି. ସିଂହଙ୍କୁ ସେ କାହିଁକି ଖୁଣ୍‍ କରିବ ?’’

‘‘ତାଙ୍କ ପ୍ରତି ନିତ୍ୟାନନ୍ଦର ଖରାପ ଧାରଣା ଥିଲା ।’’

‘‘ନା ହରେନ୍ଦ୍ରବାବୁ, ଖୁଣ୍‍ ହେଇଚି ଗୋଟାଏ ନୂଆ ଲୋକ; କିନ୍ତୁ ସୌରୀବାବୁଙ୍କ ହତ୍ୟାକାଣ୍ଡରେ ସେ ଲିପ୍ତ ଅଛି ବୋଲି ତାକୁ ମୁଁ ଖୋଜୁଥିଲି ।’’

ହରେନ୍ଦ୍ର ପୁଣି ବସିପଡ଼ି କହିଲା, ‘‘ଭଲକରି ଘଟଣାଟା ସଜେଇ କହନ୍ତୁ ।’’

‘‘ରାତି ଡିଉଟିରେ ଥିବା କନେଷ୍ଟବଳ ସକାଳୁ ଖବର ଦେଲା, କାଠଯୋଡ଼ି ବାଲିରେ ଗୋଟାଏ ମୁର୍ଦ୍ଦାର ପଡ଼ିଚି । ଦେଖିବାକୁ ଗଲି । ଏମିତି ପ୍ରାୟ ଯିବାକୁ ହୁଏ, କାରଣ, କାଠଯୋଡ଼ି ବାଲିରେ ଲାସ୍ ପାଇବା ନୂଆ କଥା ନୁହେଁ । କିନ୍ତୁ ଘଟଣାସ୍ଥଳକୁ ଯାଇ ଯାହା ଦେଖିଲି ସେଥିରେ ମୋର ଚକ୍ଷୁ ସ୍ଥିର ହେଇଗଲା । ଗୋଟାଏ ଯୁଆନ ଲୋକର ଲାସ୍ । ସେ ଠିକ୍ ସୌରୀବାବୁଙ୍କ ପରି ମରିପଡ଼ିଚି । ମୁହଁରେ ସେଇ ଆତଙ୍କ, ବିସ୍ମୟ ଓ ଯନ୍ତ୍ରଣାର ଚିହ୍ନ । ଆଉ ଗଳାରେ ସେଇ ସାଂଘାତିକ ନୀଳ ଦାଗ ।’’

‘‘ନୀଳ ଦାଗ ?’’

‘‘ହଁ, ତାକୁ ତଣ୍ଟି ଚିପି ମରାଯାଇଚି । ପରୀକ୍ଷା କରି ଦେଖାଗଲା, ଲୋକଟାକୁ ଅନ୍ୟ ସ୍ଥାନରେ ଖୁଣ୍‍ କରି ଏଠାରେ ପକାଇ ଦିଆଯାଇଚି । ଲୋକଟାକୁ ଏପର୍ଯ୍ୟନ୍ତ କେହି ଚିହ୍ନଟ କରିପାରିନାହାନ୍ତି । ଦେହରେ ଚାଇନିଜ୍ ସାର୍ଟ ଆଉ ବଙ୍କିମ୍‍ହାମ କନାର ସୁଟ୍ । ତା’ ପକେଟରୁ ଗୋଟାଏ ଛୁରା ମିଳିଚି ଏବଂ ପାଦରେ ହଳେ ରବର ଜୋତା ଅଛି ।’’

‘‘ଯାହା ସନ୍ଦେହ କରିଥିଲେ, ସେକଥା ମିଛ ନୁହେଁ । ଗଳାରେ ନୀଳ ଦାଗ ସଙ୍ଗେ ପାଦର ରବର ଜୋତା ଦେଖି ମୋର ସନ୍ଦେହ ବଢ଼ିଗଲା । ସୌରୀବାବୁଙ୍କର ହତ୍ୟାକାରୀ ମଧ୍ୟରୁ ଜଣେ ଯେ ରବର ଜୋତାର ମାପ ଛାଡ଼ିଯାଇଥିଲା, ସେଇଟା ଏ ଜୋତା ସଙ୍ଗେ ଏକବାରେ ମିଶିଗଲା ।’’

‘‘ଏ ଲୋକଟା ସେଇ ଭୂତପୂର୍ବ ଜାଲିଆତ୍ ସତ୍ୟବାଦୀ ନୁହେଁ ତ ?’’

‘‘ନା, ଏହାର ଆଙ୍ଗୁଳିଛାପ ଅନ୍ୟପ୍ରକାରର ।’’

‘‘ତା’ହେଲେ ସୌରୀବାବୁଙ୍କୁ ଖୁଣ୍‍ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣକର ସନ୍ଧାନ ମିଳିଲା ?’’

‘‘ସେଇଆ ତ ମନେହେଉଚି । ଅନ୍ୟ ଖୁଣୀଟା ନିଶ୍ଚୟ ନିତ୍ୟାନନ୍ଦ । କିନ୍ତୁ ସେ ପଳାତକ-!’’

‘‘ତା’ହେଲେ ଏଇ ନୂଆ ଖୁଣରେ କାହା ଉପରେ ଆପଣଙ୍କର ସନ୍ଦେହ ହେଉଚି ?’’

‘‘ସେଇ ନିତ୍ୟାନନ୍ଦକୁ । ହରେନ୍ଦ୍ରବାବୁ, ମୋର ଦୃଢ଼ ବିଶ୍ୱାସ ଯେ, ନିତ୍ୟାନନ୍ଦ ଏଇ ସହର ଭିତରେ କେଉଁଠି ଆତ୍ମଗୋପନ କରିଚି । ଯେତେଦୂର ସମ୍ଭବ ଏ ଲୋକଟା ତା’ ସଙ୍ଗେ ଚୋରାଇଥିବା ନୋଟ୍‍ର ଭାଗ ପାଇଁ କୌଣସି ଗଣ୍ଡଗୋଳ କରିଚି, କିମ୍ବା କୌଣସିପ୍ରକାର ଭୟ ଦେଖେଇଚି । ସେଥିପାଇଁ ନିତ୍ୟାନନ୍ଦ ତଣ୍ଟିଚିପି ତାକୁ ମାରିପକେଇଚି–ନିଜକୁ ନିଷ୍କଣ୍ଟକ କରିବାପାଇଁ-।’’

ଅଳ୍ପ ସମୟ ଭାବି ହରେନ୍ଦ୍ର କହିଲା, ‘‘କେସ୍‍ଟା ଧରିଚନ୍ତି ମନ୍ଦ ନୁହେଁ, କେବଳ ବାଟକୁ ଆସିଲେ ହେଲା ।’’

‘‘କ’ଣ ଆଉ ବାଟକୁ ଆସିବ ?’’

‘‘ଜଣେ ମୃତ, ଅଥଚ ସତ୍ୟବାଦୀ ନୁହେଁ–ଅନ୍ୟଟି ନିତ୍ୟାନନ୍ଦ, ମାତ୍ର ସତ୍ୟବାଦୀର ହାତଛାପ ମିଳିଚି । ସେ ଗଲା କୁଆଡ଼େ ?’’

‘‘ସେଇଆ ତ ଭାବିବାର କଥା । ହୁଏତ ପରେ ଜଣା ପଡ଼ିପାରେ । ଆପଣ କ’ଣ ଲାସ୍‍ଟାକୁ ଦେଖିବେ ?’’

‘‘କିଛି ଦରକାର ନାହିଁ । ମୁଁ ଯେଉଁ ଘଟଣାର ସବୁ ବିଚାର କରିଚି, ଏ ହେଉଚି ତା’ ମଧ୍ୟରୁ ଗୋଟିଏ । ଏହାପରେ ଯଦି ଆଉ ଦଶକୋଡ଼ିଏଟା ଏମିତି ହେବ ତା’ହେଲେ ବି ମୋର ବିଚାରର ଅଦଳବଦଳ ହେବନି ।’’ ଟିକିଏ ରହି ପୁଣି ହରେନ୍ଦ୍ର କହିଲା, ‘‘ଜୀବନବାବୁ, ଆପଣ କ’ଣ ଆଜି ଖୁଣୀକୁ ଗିରଫ କରିବାକୁ ଭାବୁଚନ୍ତି ?’’

ଜୀବନବାବୁଙ୍କର ଦୁଇ ଆଖି ବିଷ୍ଫାରିତ ହୋଇଗଲା । ସେ କହିଲେ, ‘‘କ’ଣ କହୁଛନ୍ତି ? ନିତ୍ୟାନନ୍ଦ କୋଉଠି ଅଛି, ଆପଣ କ’ଣ ଜାଣନ୍ତି ?’’

‘‘ତା’ ବିଷୟ ନେଇ ଆପଣଙ୍କୁ ଆଉ ମୁଣ୍ଡ ଘୂରେଇବାକୁ ପଡ଼ିବନି । କାରଣ, ମୁଁ ଆଗରୁ ଶପଥ କରିଚି, ନିତ୍ୟାନନ୍ଦକୁ ପୁଣି ଆବିଷ୍କାର କରିବି । ଏଣିକି ନିତ୍ୟାନନ୍ଦ ବିଷୟରେ ସବୁ ଚିନ୍ତାଭାବନା ଛାଡ଼ିଦେଇ ବର୍ତ୍ତମାନ ଯାହା କହୁଚି, ଶୁଣନ୍ତୁ । ଆଜି ସନ୍ଧ୍ୟାରେ ମୁଁ ପ୍ରତାପକୁ ନେଇ ସୌରୀବାବୁଙ୍କ ଶୋଇବା ଘରକୁ ଯିବାକୁ ଭାବିଚି । ମି.ସଂହ ମଧ୍ୟ ଆମକୁ ସାହାଯ୍ୟ କରିବେ । ଆପଣଙ୍କୁ ଆଉ ଯାହା ଯାହା କରିବାକୁ ହେବ, ସେକଥା ଏ ପାଖ ଘରକୁ ଆସନ୍ତୁ, କହିବି । ତା’ ସଙ୍ଗେ ସଙ୍ଗେ ଆପଣଙ୍କୁ ଗୋଟାଏ ନୂଆ ଜିନିଷ ମଧ୍ୟ ଦେଖେଇଦେବି ।’’

ଜୀବନବାବୁଙ୍କ ସାଙ୍ଗେ ମୁଁ ମଧ୍ୟ ପାଖ ଘରକୁ ଯିବାପାଇଁ ଉଠିଲି; ମାତ୍ର ହରେନ୍ଦ୍ର କହିଲା, ‘‘ନା ପ୍ରତାପ, କୌତୂହଳ ଦମନ କର–ତୁ ଏଇ ଘରେ ବସିଥା । ଯେତେବେଳେ ଆଜି ଏ ଘଟଣାର ଅନ୍ତିମ ଅଭିନୟ ଚାଲିବ ସେତେବେଳେ ତା’ର ବିସ୍ମୟଟା ତୁ ନିଶ୍ଚୟ ଉପଭୋଗ କରିବୁ ।’’

ଜୀବନବାବୁଙ୍କୁ ନେଇ ହରେନ୍ଦ୍ର ତା’ର ପରୀକ୍ଷାଗାର ଭିତରକୁ ଗଲା । ମୁଁ ଏକୁଟିଆ ଚୁପ୍‍ଚାପ୍ ହୋଇ ବସିରହିଲି ।

ପ୍ରାୟ ଅଧଘଣ୍ଟା କାଳ ସେ ଦୁହେଁ କ’ଣ ଫୁସ୍‍ଫାସ୍ ହେଇ କଥାବାର୍ତ୍ତା ହେଲେ । ଶୁଣିବାପାଇଁ ମୋର ପ୍ରବଳ ଆଗ୍ରହ ହେଉଥିଲେ ବି କିଛି ଶୁଣିପାରିଲିନି ।

ଶେଷକୁ କେବଳ ଶୁଣିଲି, ଜୀବନବାବୁ ଗଭୀର ବିସ୍ମୟବାଚକ ଗଳାରେ କହିଲେ, ‘‘କି ଆଶ୍ଚର୍ଯ୍ୟ !’’

ତାଙ୍କର ସେ ବିସ୍ମୟର ପ୍ରକୃତ ଅର୍ଥ ବୁଝିନପାରି ମୋର ମନଟା ଖରାପ ହୋଇଗଲା । ଏମିତି ଲୁଚାଛପା ଯୋଗୁ ହରେନ୍ଦ୍ର ପ୍ରତି ମୋର ଟିକିଏ ଅଲଗା ଧାରଣା ଆସିଲା ।

 

ସନ୍ଧ୍ୟାବେଳେ ହରେନ୍ଦ୍ର ସାଙ୍ଗେ ଯାଇ ସୌରୀବାବୁଙ୍କର ସେଇ ଭୟାବହ ଘର ବା ଶୟନ କକ୍ଷରେ ବସିଲୁଁ, ସାରାଘରଟା ନିର୍ଜନପରି ନିସ୍ତବ୍ଧ । ଲୋକ ଅଛନ୍ତି, ଅଥଚ ଭୟରେ ସମସ୍ତେ ଚୁପ୍ ହୋଇଯାଇଚନ୍ତି ।

 

ସୌରୀବାବୁଙ୍କର ଖାଲି ଖଟଆଡ଼େ ଚାହିଁ ମନଟା କେମିତି ଭାରି ଭାରି ଜଣାଗଲା । ଏଇତ ମଣିଷର ଜୀବନ ! ତୂଳିତଳ୍ପ କେଡ଼େ ଆଗ୍ରହରେ ସଜାଡ଼ି ଶୋଇଲାବେଳକୁ ହଠାତ୍ ବାଜିଉଠିଛି ମହାକାଳର ଘଣ୍ଟି ଢନ୍-ଢନ୍-ଢନ୍ !

 

ଅଳ୍ପ ସମୟ ପରେ ମି. ସିଂହ ଆସି ପହଞ୍ଚିଲେ ।

 

ହରେନ୍ଦ୍ର କହିଲା, ‘‘ଆସନ୍ତୁ ମି. ସିଂହ, ନମସ୍କାର । ଆଜି ପୁଣି ଆପଣଙ୍କୁ କଷ୍ଟ ଦେଲି ।’’

 

‘‘କଷ୍ଟ ? କିଛି ନୁହେଁ, ଆପଣଙ୍କୁ ସାହାଯ୍ୟ କରିବାକୁ ମୁଁ ସଦାବେଳେ ପ୍ରସ୍ତୁତ ଅଛି । କହନ୍ତୁ, ମତେ କ’ଣ କରିବାକୁ ହେବ ?’’

 

‘‘ଦୁଇଚାରିଟା କଥା ଜାଣିବାର ଅଛି । ନୂଆ ଖୁଣ୍‍ ହେଇଥିବା କଥାଟା ଶୁଣିଚନ୍ତି ତ ?’’

 

‘‘ଜୀବନବାବୁଙ୍କଠାରୁ ଶୁଣିଲି । କି ଭୀଷଣ ବ୍ୟାପାର ! ଭୟରେ ମୋର ଛାତିଟା ଥରୁଚି-।’’

 

‘‘ନିତ୍ୟାନନ୍ଦବାବୁ ପଳାତକ ।’’

 

‘‘ସବୁ ଶୁଣିଚି । ବିଶେଷ ସନ୍ଦେହଜନକ ।’’

 

‘‘କିନ୍ତୁ ଖୁଣୀକୁ ଆମେ ଗିରଫ୍ କରିବା ।’’

 

‘‘ନା, ହରେନ୍ଦ୍ରବାବୁ, ନିତ୍ୟାନନ୍ଦ ଯେ ଏମିତି ଭୟାନକ କାମ କରିପାରିଚି, ଏକଥା ମୁଁ ବିଶ୍ୱାସ କରିପାରୁନି ।’’

 

‘‘ମଣିଷ ଚିହ୍ନିବା ବଡ଼ କଷ୍ଟକର ମି. ସିଂହ, ବଡ଼ କଷ୍ଟକର । କିନ୍ତୁ ଖୁଣୀ ଦୁଇଦୁଇଟା ଖୁଣ୍‍ କରି ପଳେଇଯିବ କୁଆଡ଼େ ? ମୋର ବିଶ୍ୱାସ, ସେ ଏହିଠାରେହିଁ ଅଛି ।’’

 

ଆଶ୍ଚର୍ଯ୍ୟ ହୋଇ ମି. ସିଂହ କହିଲେ, ‘‘କେଉଁଠି ?’’

 

‘‘ଏଇ ଘର ଭିତରେ ! ମି. ସିଂହ, ଏ ଘରଟା ଯେମିତି ବଡ଼, ସେ, ସେମିତି ମଧ୍ୟ ଦୁର୍ଭେଦ୍ୟ । ଏଠିକି ଆପଣ ଅନେକ ସମୟ ଯିବାଆସିବା କରିଚନ୍ତି । ଆପଣ କ’ଣ କହିପାରିବେ, ଏ ଘରେ କୌଣସିଠାରେ କିଛି ଚୋରା କୋଠରୀ ଅଛି କି ନାହିଁ ? ଏମିତି ଦୁର୍ଭେଦ୍ୟ ଘରେ ପ୍ରାୟ ଚୋରା କୋଠରୀ ଥାଏ ।’’

 

‘‘ଆପଣ କ’ଣ ମନେକରୁଚନ୍ତି, ନିତ୍ୟାନନ୍ଦ ଏଇ ଘର ଭିତରେ ଲୁଚି ରହିଚି ? ତା’ କେମିତି ହେବ ? ଏ ଘରେ ସେମିତି କୌଣସି ଚୋରା କୋଠରୀ ଥିବାର ତ ମତେ ଜଣାନାହିଁ ।’’

 

‘‘ସୌରୀବାବୁଙ୍କ ମୁଁହରୁ କୌଣସି ଦିନ ଶୁଣିନାହାନ୍ତି ?’’

 

‘‘ନା ।’’

 

‘‘ଅଚ୍ଛା, ମତେ ଟିକିଏ ଏ ଘରର ବିବରଣୀଟା ଭଲକରି କହିଲେ ।’’

 

‘‘ନିଶ୍ଚୟ କହିବି । ଘରର ପ୍ରାୟ ସବୁ ବିଷୟ ମୁଁ ଜାଣେ ।’’

 

ତା’ପରେ ଅଧଘଣ୍ଟାଏ କାଳ ଦୁହିଁଙ୍କ ମଧ୍ୟରେ ଚାଲିଲା ପ୍ରଶ୍ନଉତ୍ତର ଲଢ଼େଇ । ଶୁଣି ଶୁଣି ବିରକ୍ତ ଲାଗିଲା । ମନେହେଲା, ସବୁ କଥାଗୁଡ଼ାକ ଯେମିତି ଅର୍ଥହୀନ । ନିତ୍ୟାନନ୍ଦ ମୋଟେ ଏ ଘରେ ଲୁଚିରହିନି । କାରଣ, ସେ ମୋଟେ କଞ୍ଚାବୁଦ୍ଧିଆ ଲୋକ ନୁହେଁ । ହରେନ୍ଦ୍ର ଧାରଣା ଭୁଲ୍ ।

 

ହଠାତ୍ ଜଣେ ଚୌକିଦାର ଆସି କହିଲା, ‘‘ଇନ୍‍ସପେକ୍ଟରବାବୁଙ୍କ ପାଖରୁ ଜଣେ ଲୋକ ହରେନ୍ଦ୍ରବାବୁଙ୍କୁ ଡାକିବାକୁ ଆସିଚି ।’’

 

‘‘ମତେ ? ମୋର ପୁଣି ଆଉ କ’ଣ ଶୁଣିବାକୁ ଅଛି ? ଯା କହିଦେ, ମୁଁ ବର୍ତ୍ତମାନ ଭାରି ବ୍ୟସ୍ତ ଅଛି । ଆଚ୍ଛା, ରହ, ମୁଁ ନିଜେ ଯାଉଚି । ଆସିଲୁ ପ୍ରତାପ, ଖବରଟା କ’ଣ ଶୁଣିଆସିବା ।’’

 

ଆମେ ବାହାରକୁ ଗଲୁଁ । କିନ୍ତୁ ବାହାରେ କାହାରି ଦେଖା ମିଳିଲାନି ।

 

ହରେନ୍ଦ୍ର କହିଲା, ‘‘କିଏ ଡାକିବାକୁ ଆସିଚି ? କୁଆଡ଼େ ଗଲା ?’’

 

ଛଅ ସାତ ମିନିଟ୍‍ ଅପେକ୍ଷା କରି ମଧ୍ୟ କାହାରି ଦେଖା ମିଳିଲାନି ।

 

ହରେନ୍ଦ୍ର ବିରକ୍ତ ହୋଇ କହିଲା, ‘‘ଇନ୍‍ସପେକ୍ଟରବାବୁଙ୍କ ଲୋକ ଚାଲିଗଲାଣି । ଆମର ବର୍ତ୍ତମାନ ବହୁତ କାମ ବାକି ଅଛି । ଚାଲ, ପୁଣି ଭିତରକୁ ଯିବା ।’’

 

ଘରଭିତରକୁ ଆସି ହରେନ୍ଦ୍ର ପୁଣି ଟେବୁଲ ପାଖରେ ଯାଇ ବସିପଡ଼ିଲା । ମି. ସିଂହ ପଚାରିଲେ, ‘‘କିଏ ଆସିଥିଲା ?’’

 

‘‘କେହି ନାହିଁ । କେବଳ ମିଛରେ ସମୟ ନଷ୍ଟ ହେଲା । ହଁ, କ’ଣ କହୁଥିଲେ ? ଏ ଘର ପାଖରେ ଚୋରା କୋଠରୀପରି ଗୋଟାଏ ଘର ଅଛି: କିନ୍ତୁ ସେ ଘରେ କାଠ ରହେ ?’’

 

‘‘ଆଜ୍ଞା, ହଁ ।’’

 

‘‘ତା’ହେଲେ ଆପଣଙ୍କର ମତ, ନିତ୍ୟାନନ୍ଦ ଏଠାରେ ନାହାନ୍ତି ?’’

 

‘‘ଠିକ୍ ସେୟା ।’’

 

ତା’ପରେ ପାଞ୍ଚ ମିନିଟ୍‍ କାଳ ଗମ୍ଭୀର ହୋଇ ହରେନ୍ଦ୍ର କ’ଣ ଭାବିଲା ।’’

 

ଘର ବାରଣ୍ଡାରେ ଭାରି ଜୋତାର ଶବ୍ଦ ଶୁଣାଗଲା ଏବଂ କବାଟ ଆଡ଼େଇ ସହାସ୍ୟ ବଦନରେ ଜୀବନବାବୁ ଘରଭିତରେ ପଶିଲେ ।

 

ହରେନ୍ଦ୍ର କହିଲା, ‘‘ଏଇଯେ, ଆସନ୍ତୁ । ଘଟଣା କ’ଣ ଜୀବନବାବୁ ? ବେଶ୍ ଖୁସି ଅଛନ୍ତି ଯେ ?’’

 

ମି. ସିଂହ ଆଗ୍ରହପୂର୍ଣ୍ଣ ସ୍ୱରରେ କହିଲେ, ‘‘ବୋଧହୁଏ ନିତ୍ୟାନନ୍ଦର କୌଣସି ଟେରଟାର ପାଇଚନ୍ତି ।’’

 

‘‘ନା, କେବଳ ପାଇଚି ଏଇ ଯୋଡ଼ାକ ।’’ ଏକଥା କହି ଜୀବନବାବୁ ପକେଟଭିତରୁ ଦୁଇଟା ସରୁ ପଶମର glove ବାହାର କଲେ ।

 

ହରେନ୍ଦ୍ର glove ଦୁଇଟାଯାକ ଜୀବନବାବୁଙ୍କ ହାତରୁ ନେଇ ପରୀକ୍ଷା କରୁ କରୁ କହିଲା, ‘‘ହୁଁ । ଏଥିରୁ ଗୋଟାଏ glove ମୁଁ ଚିହ୍ନିଚି । ରକ୍ତର ଦାଗ ନାହିଁ ସିନା, କିନ୍ତୁ କାଚ ଦେହରେ କଟିଯାଇଥିବା ଅଂଶଟା ବର୍ତ୍ତମାନ ସେହିପରି ଅଛି ।’’

 

ମି. ସିଂହ ଉତ୍ତେଜିତ ସ୍ୱରରେ କହିଲେ, ‘‘ସେଇୟା ନା କ’ଣ ? କାଇଁ ଦେଖି, ଦେଖି !’’

 

‘‘ଏଇ ନିଅନ୍ତୁ ।’’

 

ମି. ସିଂହ glove ନେବାପାଇଁ ବ୍ୟଗ୍ରଭାବେ ତାଙ୍କର ହାତଦୁଇଟି ବଢ଼େଇ ଦେଲେ । ସଙ୍ଗେ ସଙ୍ଗେ ହରେନ୍ଦ୍ର glove ଦୁଇଟାକୁ ଫୋପାଡ଼ି ଦେଇ ଜୋରରେ ତାଙ୍କର ହାତ ଦୁଇଟାକୁ ଧରିନେଲା ଏବଂ କାଳ ବିଳମ୍ବ ନ କରି ଜୀବନବାବୁ ସେ ହାତଦୁଇଟି ଉପରେ ପିନ୍ଧେଇ ଦେଲେ ହାତକଡ଼ି !

 

ବିସ୍ମୟ ଆଉ କ୍ରୋଧରେ ଅଭିଭୂତ ହୋଇ ମି. ସିଂହ କେତୋଟି ମୁହୂର୍ତ୍ତ ଏକାବେଳେ କଥା କହିପାରିଲେନି । ତା’ପରେ ଚିତ୍କାର କରି କହିଲେ, ‘‘ହରେନ୍ଦ୍ରବାବୁ ! ଏ କି ପ୍ରହସନ ?’’

 

ହରେନ୍ଦ୍ର କହିଲା, ‘‘ପ୍ରହସନ ନୁହେଁ, ସତ୍ୟବାଦୀ ! ବିୟୋଗାନ୍ତକ ନାଟକର ଶେଷ ଦୃଶ୍ୟ-।’’

 

‘‘ସତ୍ୟବାଦୀ ! କିଏ ସତ୍ୟବାଦୀ ?’’

 

‘‘ତୁମେ ସତ୍ୟବାଦୀ, ତୁମେ ଇନ୍ଦ୍ରବାହନ ସିଂହ–ଦସ୍ୟୁ ଐରାବତ । ତୁମର ପ୍ରକୃତ ନାଁ ଯେ କ’ଣ, ସେକଥା କେହି ଜାଣନ୍ତିନି ।’’

 

ଜୀବନବାବୁ କଠୋର ସ୍ୱରରେ କହିଲେ, ‘‘ମି. ସିଂହ, ସୌରୀବାବୁଙ୍କର ଖୁଣ୍‍ ଆଉ ପଚାଶ ହଜାର ଟଙ୍କା ଚୋରୀ ଅପରାଧରେ ମୁଁ ଆପଣଙ୍କୁ ଗିରଫ କଲି ।’’

 

‘‘କୋଉ ପ୍ରମାଣରେ ?’’

 

ହରେନ୍ଦ୍ର କହିଲା, ‘‘ମି. ସିଂହ, ପ୍ରମାଣ କ’ଣ ଗୋଟାଏ ଅଛି ? ଆଜି ତୁମେ ସୌରୀବାବୁଙ୍କ ଟେବୁଲ ପାଖର ଗୁପ୍ତ ଡ୍ର’ ଭିତରେ ଥିବା ଦୁଇଲକ୍ଷ ଟଙ୍କାର ଦାମୀ ଧାତୁ ପଦାର୍ଥର ଯଥେଷ୍ଟ ଅଂଶ, ସୌରୀବାବୁଙ୍କ ଚାବିଦ୍ୱାରା ଖୋଲି ଚୋରୀ କରିଚ, ସେ ବିଷୟରେ ମୋର ଟିକିଏ ହେଲେ ସନ୍ଦେହ ନାହିଁ । ଜୀବନବାବୁ, ମି. ସିଂହଙ୍କର ପକେଟ ସର୍ଚ୍ଚ କରି ଦେଖନ୍ତୁ ତ !’’

 

ମି. ସିଂହ ବାଧା ଦେବାର ଚେଷ୍ଟାକଲେ; ମାତ୍ର ଜୀବନବାବୁଙ୍କର ଗୋଟିଏ ବଜ୍ର ଚାପୁଡ଼ା ମି. ସିଂହଙ୍କ ଗଣ୍ଡରେ ବସିବାରୁ ସେ ଏକାଥରେ ଥଣ୍ଡା ହୋଇଗଲେ । ତାଙ୍କର ପକେଟରୁ ସତକୁ ସତ କେଇ ଖଣ୍ଡି ହୀରା ଓ ସୁନା ଖଣ୍ଡ ସହ ସୌରୀବାବୁଙ୍କର ଚାବିନେନ୍ଥାଟି ମିଳିଲା ।

 

ହରେନ୍ଦ୍ର କହିଲା, ‘‘ମି. ସିଂହ, ଏଥର ଅପରାଧ ସ୍ୱୀକାର କରିବେ ?’’

 

ମି. ସିଂହ ସ୍ତବ୍ଧ ହୋଇଯାଇଥିଲେ ।

 

ହରେନ୍ଦ୍ର କହିଲା, ‘‘ଏବେ ମୋ’ଠାରୁ ତୁମର କାହାଣୀ ଶୁଣ । ତୁମକୁ ସେଦିନ କହିଥିଲି, ବିଜ୍ଞାନର ଆଶ୍ରୟରେ ଆଜିର ପୋଲିସ୍‍ ଅପରାଧୀର ଅପରାଧ ଆବିଷ୍କାର କରିବା ସହଜସାଧ୍ୟ । ତୁମେ ଏମିତି ପଥରପରି ବୋକା ପାଲଟିଗଲେ ମଧ୍ୟ ଫାଶୀଖୁଣ୍ଟ ତୁମକୁ କ୍ଷମା କରିବନି ।’’

 

ହରେନ୍ଦ୍ର କହିଲା, ‘‘ଏ ଘଟଣାରେ ନିତ୍ୟାନନ୍ଦବାବୁଙ୍କ ଉପରେ ମୋର ଆଦୌ ସନ୍ଦେହ ହୋଇନି । କାରଣ, ମଦଖାଇବା, ଜୁଆଖେଳିବା ଆଉ ଖୁଣ୍‍କରିବା ଏକ୍‍ କଥା ନୁହେଁ । ଆଉ ଏକଥା ମଧ୍ୟ ଜଣାପଡ଼ିଚି, ଖୁଣ୍‍ ସମୟରେ ସେ ଘରେ ନ ଥିଲେ । ତାଙ୍କର ବାହାରେ ରହିଥିବାର ପ୍ରମାଣ ମୁଁ ନିଜେ ସଂଗ୍ରହ କରିଚି । ଫେରିଲାବେଳେ ସେ ପ୍ରଚଣ୍ଡ ମାତାଲ ଥିଲେ, ଯାହାଫଳରେ ମାଂସଝୋଳ ଆଉ ସିଗାରେଟ୍‍ ନିଆଁରେ ତାଙ୍କର ଦାମିକା ପୋଷାକ ଉପରେ ଚିହ୍ନ ଲାଗିଥିଲା । ଏପରି ଚୈତନ୍ୟହୀନ ଅବସ୍ଥାରେ କେହି କେବେ ଏତେ ସାବଧାନତା ସହିତ ଖୁଣ୍‍ କରିପାରେନା ।

 

‘‘ସେ ପଳେଇ ଯିବାର ଏକମାତ୍ର କାରଣ ହେଉଚି, ପୋଲିସ୍‍ ତାଙ୍କୁ ଗିରଫ୍‍ କରିବାକୁ ଭାବୁଚି ଏକଥା କୌଣସି ପ୍ରକାରେ ସେ ଜାଣିପାରିଥିଲେ ଏବଂ ପଳେଇବା ଆଗରୁ ବାଟଖର୍ଚ୍ଚ ପାଇଁ ନିଜର କେତୋଟି ଟଙ୍କା ବ୍ୟାଙ୍କରେ ଭଙ୍ଗେଇ ନେଇଥିବା କଥା ମୁଁ ଜାଣେ ।’’

 

‘‘ଆପଣମାନେ ଭାବୁଥିଲେ, ହତ୍ୟାକାରୀ ହେଉଚି ଘରର ଲୋକ । କାରଣ, ଘରର ପ୍ରତ୍ୟେକ ଦ୍ୱାର ଭିତରୁ ବନ୍ଦ ଥିଲା । କିନ୍ତୁ ମୋ ମୁଣ୍ଡରେ ପଶିଲା, ତା’ ଯଦି ହୁଏ, ତେବେ ବାହାରର କାଦୁଅ ଚିହ୍ନ ଆସିଲା କେମିତି ?’’

 

‘‘ପ୍ରଧାନ କଥା ହେଲା, ଖୁଣୀ ଏ ଘର ବିଷୟରେ ଅନେକ କଥା ଜାଣେ । ତେଣୁ ଯଥାର୍ଥ ସମୟରେ କାମ ଶେଷକରି ସେ ଚାଲିଯାଇଚି । କୁକୁର ସେ ଲୋକକୁ ପ୍ରତିଦିନ ଦେଖେ, ତେଣୁ ଭୁକାଭୁକି କରିନି । ଖୁଣ୍‍ କରିବା ରାତିରେ ଘଟଣା ଉପରେ ଡାଏରୀ ପଢ଼ି କାମ କରିବା ସମ୍ଭବ ମନେ ନ କରି ସେ ଛବି ଓ ଡାଏରୀ ଖଣ୍ଡିକ ସାଙ୍ଗରେ ନେଇଯାଇଥିଲା । ସୌହାର୍ଦ୍ଦ୍ୟ ବଳରେ ସେ ସୌରୀବାବୁଙ୍କଠାରୁ କିଛି କରଜ କରିବାର ସୁବିଧା ପାଇଥିଲା ଏବଂ ସେଥିପାଇଁ ସେ ନିଜର ହ୍ୟାଣ୍ଡନୋଟ୍‍ଗୁଡ଼ିକ ମଧ୍ୟ ନେଇଯାଇଚି । ଆପଣ କହିଥିଲେ ଜୀବନବାବୁ ଯେ, ସୌରୀବାବୁ ମି. ସିଂହଙ୍କ ବ୍ୟତୀତ ଅନ୍ୟ କାହାରିକୁ ସେତେ ବିଶ୍ୱାସ କରନ୍ତିନି । ତେବେ ସେଭଳି ଲୋକ ଅନ୍ୟକୁ କରଜ ଦେବା ଆଦୌ ସମ୍ଭବ ନୁହେଁ । ଅତଏବ ପ୍ରତ୍ୟେକ ହ୍ୟାଣ୍ଡନୋଟ୍ କେବଳ ମି. ସିଂହଙ୍କର, ଏ କଥାରେ ଅଣୁମାତ୍ର ସନ୍ଦେହ ନ ଥିଲା । ଘରଭିତର ଲୋକ ହ୍ୟାଣ୍ଡନୋଟ୍‍ ଚୋରୀ କରନ୍ତା କାହିଁକି-?’’

 

‘‘ଆପଣମାନେ କେହି ଲକ୍ଷ୍ୟ କରିନାହାନ୍ତି, ମାତ୍ର ପ୍ରଥମ ଦିନ ମୁଁ ମି. ସିଂହଙ୍କୁ ଲକ୍ଷ୍ୟ କରିଥିଲି, ତାଙ୍କ ଡାହାଣ ହାତର ଗୋଟାଏ ଆଙ୍ଗୁଠି ଉପରେ ଫ୍ଲେସ୍‍କଲରର ପ୍ଲାଷ୍ଟର ଲଗା ହୋଇଥିଲା । ଗୋଏନ୍ଦାର ପ୍ରଥମ କର୍ତ୍ତବ୍ୟ ସମସ୍ତଙ୍କୁ ସନ୍ଦେହ କରିବା । ଖୁଣୀର ହାତ ବା ଆଙ୍ଗୁଠି କଟିଚି, ତା’ର ପ୍ରମାଣ ହେଉଚି, ମି. ସିଂହଙ୍କର ହାତ କଟିବା । ମି. ସିଂହ ସୌରୀବାବୁଙ୍କର ବନ୍ଧୁ । ତାଙ୍କର ଏ ଘରକୁ ଅବାଧ ଗତି ଏବଂ ସେ ହେଉଚନ୍ତି ରାସାୟନିକ; ତାଙ୍କ ପକ୍ଷରେ କୌଣସି ଅଜଣା ବିଷର ଅସ୍ତିତ୍ୱ ଜାଣିବା ଅସମ୍ଭବ ନୁହେଁ । ଏସବୁ କେବଳ ମୋର ସନ୍ଦେହରେ ଥିଲା ।

 

‘‘ଘଟଣାସ୍ଥଳରୁ ମିଳିଥିବା ଏଇ gloveର ରହସ୍ୟ ନେଇ ଅନେକ ଭାବିଥିଲି । କାରଣ ଏଭଳି ପଶମ glove କେହି ହାତରେ ପିନ୍ଧନ୍ତି ନାହିଁ, ବିଶେଷତଃ ଓଡ଼ିଶାରେ ।’’

 

‘‘ପରେ ବୁଝିଲି, ଏ glove ଥିଲା ମି. ସିଂହଙ୍କର ସହଚର ହାତରେ । ସେ glove ପିନ୍ଧି ଗ୍ଲାସ୍‍ ଧରିଥିଲା । ସେଇ କାଚ ଗ୍ଲାସ୍‍ଟା ମି. ସିଂହ ସହଚର ହାତକୁ ଦେଇଥିଲେ । ଫଳରେ ଆଙ୍ଗୁଠିଛାପ ଗ୍ଲାସ୍‍ ଉପରେ ମିଳିପାରିଲା । ଗ୍ଲାସ୍‍ ଭାଙ୍ଗିବା ପରେ ମି. ସିଂହ ନିଜେ glove ଲଗେଇ ତା’ ଉପରେ କୌଣସି କାମ କରିଚନ୍ତି, ଯାହା ଫଳରେ ନିଜ ହାତ ଖଣ୍ଡିଆ ହୋଇପାରିଥିଲା ।

 

‘‘ରକ୍ତଲଗା glove ମୁଁ କାହିଁକି ନେବାକୁ ଚାହୁଁଚି, ସେକଥା ଜାଣିବାକୁ ମି. ସିଂହ ଆଗ୍ରହ ପ୍ରକାଶ କରିଥିଲେ । ତା’ପରେ ସେ ଚାଲିଗଲେ ଏବଂ ଆମେ ବାଟରେ ଆକ୍ରାନ୍ତ ହେଲୁ । କନେଷ୍ଟବଳଠାରୁ ଗ୍ଲାସ୍‍ କାଢ଼ିନେବାର ଚେଷ୍ଟା ମଧ୍ୟ ଚାଲିଥିଲା । ମୋ ପାଖରେ glove ଆଉ କନେଷ୍ଟବଳ ପାଖରେ ଗ୍ଲାସ୍‍ ଅଛି, ଏକଥା ବାହାରର ଲୋକ ଭିତରେ କେବଳ ମି. ସିଂହ ଜାଣନ୍ତି । ସେଥିପାଇଁ ମୁଁ ତାଙ୍କୁ ସନ୍ଦେହ କଲି । କେବଳ ସନ୍ଦେହରେ ତ ଚଳିବନି, ତା’ପାଇଁ ଦରକାର ପ୍ରମାଣ-

 

‘‘ଜୀବନବାବୁ, ମୁଁ ଯେଉଁ ଗୋଟିଏ ଦୁଇଟି ବିଷୟ ପ୍ରଥମେ ଆପଣଙ୍କ ପାଖେ ଲୁଚେଇ ରଖିଥିଲି, ପରେ ଆପଣଙ୍କ ଆଗେ ଆଜି ସକାଳେ କହିଚି । ଘଟଣାସ୍ଥଳର ମାଟିଖଣ୍ଡକ ପରୀକ୍ଷା କରି ଦେଖିଥିଲି । ସେଥିରେ ଥିଲା ଚୂନ, ବାଲି, ସିମେଣ୍ଟ ଆଉ ଇଟାଗୁଣ୍ଡ । ଯେଉଁଦିନ ମି. ସିଂହଙ୍କ ଘରକୁ ଚା’ ଖାଇବାକୁ ଯାଇଥିଲେଁ ସେଦିନ ସେ ବାଟରେ ଅର୍ଥାତ୍ ମି. ସିଂହଙ୍କ ଘର ନିକଟରେ ଗୋଟିଏ ନୂଆ କୋଠା ପ୍ରାୟ ଶେଷ ହୋଇଚି । ଫଳରେ ଏଠାରେ ଚୂନ, ବାଲି, ସିମେଣ୍ଟ ଆଉ ଇଟାଗୁଣ୍ଡ ଅନେକ ପଡ଼ିଥିଲା । ସନ୍ଦେହରେ ମୁଁ ସେଠାରୁ ମୁଠାଏ ମାଟି ସମସ୍ତଙ୍କ ଅଜାଣତରେ ନେଇଆସିଥିଲି । ପରେ ପରୀକ୍ଷା କରି ଦେଖିଲି ଯେ, ପୂର୍ବର ମାଟିଗୁଣ୍ଡ ଆଉ ଏ ମାଟିର ଉପାଦାନରେ କୌଣସି ପ୍ରଭେଦ ନାହିଁ । ସୌରୀବାବୁଙ୍କୁ ଯେ ଖୁଣ୍‍ କରିଚି, ଏଇ ନୂଆଘର ଆଗଦେଇ ସେ ନିଶ୍ଚୟ ଯାଇଚି । ସେଦିନ ବର୍ଷାହେତୁ କାଦୁଅ ହୋଇ ଜୋତା ସୋଲରେ ମାଟିଖଣ୍ଡିକ ଘଟଣାସ୍ଥଳଯାଏ ଯାଇପାରିଥିଲା ।

 

‘‘ତା’ପରେ ମି. ସିଂହଙ୍କ ରସାୟନାଗାରରେ ଆବିଷ୍କାର ହେଲା ଦ୍ରବୀଭୂତ ବାୟୁ । ମୁଁ ଜାଣେ, ଦ୍ରବୀଭୂତ ବାୟୁ କେଡ଼େ ମାରାତ୍ମକ, ଆଉ ବ୍ୟୟସାଧ୍ୟ । ଜାଣିଶୁଣି ମଧ୍ୟ କଥା ଆଦାୟ ପାଇଁ ଅଜ୍ଞ ଥିଲି । ଡାକ୍ତରଙ୍କର ରିପୋର୍ଟ ଦେଖି ମୋର ପ୍ରଗାଢ଼ ବିଶ୍ୱାସ ହେଲା ଯେ ଏଇ ଦ୍ରବୀଭୂତ ବାୟୁ ପ୍ରୟୋଗ ଫଳରେ ସୌରୀବାବୁ ଅଦ୍ଭୁତ ମୃତ୍ୟୁଲାଭ କରିଚନ୍ତି; ମାତ୍ର ସେସବୁର ଅସ୍ତିତ୍ୱ ବାୟୁ ସାଙ୍ଗେ ମିଶିଯାଇଚି । ସୌରୀବାବୁଙ୍କୁ ଏହା ପ୍ରୟୋଗ କଲାବେଳେ ଧସ୍ତାଧସ୍ତି ଲାଗିଚି ଏବଂ ତାଙ୍କୁ ଉପାୟଶୂନ୍ୟ କରି ପିଆଇ ଦିଆଯାଇଚି । ପିଇବା ପରେ ପରେ ଗଳାକୁ ଚିପି ଧରାଯାଇଚି । ଫଳରେ ବାୟୁର ଚାପ ବଢ଼ି ଜୀବନ ଉପରେ ଆଘାତ ଦେଇଚି ।

 

‘‘ତା’ପରେ ସତ୍ୟବାଦୀର ଆବିଷ୍କାର ! ଜୀବନବାବୁ ମୋତେ ଯେଉଁ ଫଟୋ ଦେଇଥିଲେ, ସେ ଫଟୋ ସହିତ ମୁଁ ମି. ସିଂହଙ୍କ ଚେହେରାର କେତେକ ସାମଞ୍ଜସ୍ୟ ଦେଖିଥିଲି । ତେଣୁ ଫଟୋ ଉପରେ ଏନାମେଲ୍ କଲରରେ ମି. ସିଂହଙ୍କ ନିଶ ପରି ନିଶଦାଢ଼ି ଲଗେଇ ଦେଇଥିଲି, ଯାହା ଦେଖି ଜୀବନବାବୁ କହିଲେ, ମି. ସିଂହଙ୍କର ଫଟୋ ।’’

 

‘‘ଦ୍ରବୀଭୂତ ବାୟୁଦେଇ ମି. ସିଂହ ତାଙ୍କର ସହଚରକୁ ମଧ୍ୟ ଖୁଣ୍‍ କରିଚନ୍ତି । ଏହା ସେ କରିଚନ୍ତି କେବଳ ନିଜର ରାସ୍ତା ସଫା କରିବାପାଇଁ । ମହାନଦୀ ବାଲିରୁ ମିଳିଥିଲେ କିଛି ସନ୍ଦେହ ନ ଥିଲା ଯେ ନିତ୍ୟାନନ୍ଦବାବୁଙ୍କ କାମ ବୋଲି; ମାତ୍ର ଦେଖାଗଲା କାଠଯୋଡ଼ି ବାଲିରେ, ଯାହାକି ମି. ସିଂହଙ୍କ ବସାକୁ ଅତି ନିକଟ ।’’

 

‘‘ମି. ସିଂହ ଯେତେବେଳେ glove ଛଡ଼େଇ ନେବାର ଉପକ୍ରମ କଲେ ମୁଁ ସେଇ ସୁଯୋଗରେ ତାଙ୍କ ପକେଟରୁ ସୌରୀବାବୁଙ୍କର ଡାଏରୀଖଣ୍ଡକ କାଢ଼ି ଆଣିଥିଲି । ଚାବି ଚୋରୀର କାରଣ ସେଥିରୁ ବେଶ୍ ଜାଣିପାରିଲି । ସୌରୀବାବୁଙ୍କ ଗୁପ୍ତ ‘ଡ୍ର’ ମଧ୍ୟରୁ ଗୁପ୍ତଧନ ଅପହରଣ କରିବା ଖୁଣୀର ପ୍ରଧାନ ମତଲବ୍‍ ଥିଲା ଏବଂ ସେଇ ସୁଯୋଗ ଅପେକ୍ଷାରେ ଥିଲା । ଆଜି ସେଥିପାଇଁ ଏଠିକି ଡକେଇ ଆଣିଥିଲି । ସେ ଆସିବା ଆଗରୁ ‘ଡ୍ର’ର ଗୋଟିଏ ପାଖରେ ଛୋଟ ପିନ୍‍ଟିଏ ଲଗେଇ ଦେଇଥିଲି । କାରଣ, କେହି ‘ଡ୍ର’ ଟାଣିଲେ ପିନ୍‍ଟି ଖସିପଡ଼ିବ । କିଛି ସମୟ ପରେ ମି. ସିଂହ ଆସିଲେ । ଜଣେ ପହରାବାଲାକୁ ଆଗରୁ ଶିଖାଯାଇଥିଲା । ତେଣୁ ସେ କିଛି ସମୟ ପାଇଁ ଆମକୁ ବାହାରକୁ ଡାକି ନେଇଯାଇଥିଲା । ଆମେ ଫେରିଆସିବା ପରେ ଦେଖିଲି, ‘ଡ୍ର’ ଫାଙ୍କରେ ପିନ୍‍ ନାହିଁ । ସେତେବେଳେ ଜଣାଗଲା, ମି. ସିଂହ ସୁଯୋଗର ଅପବ୍ୟବହାର କରିନାହାନ୍ତି ।

 

‘‘ଏଠାରେ ଆମେ କଥାବାର୍ତ୍ତା ହେଲାବେଳେ ଜୀବନବାବୁ ତେଣେ ମି. ସିଂହଙ୍କ ଘର ସର୍ଚ୍ଚ କରିବାପାଇଁ ଯାଇଥିଲେ । ତା’ରି ଫଳରେ glove ପୁଣି ଆବିଷ୍କାର ହୋଇପାରିଲା ।’’

 

‘‘ମୁଁ ତୁମର ପରିଚୟ ବିଷୟରେ ଏହାମଧ୍ୟରେ ନିଃସନ୍ଦେହ ହେଇସାରିଚି ମି. ସିଂହ । ତୁମର ପ୍ରକୃତ ନାଆଁ ହେଉଚି ପୁରୁଷୋତ୍ତମ ପରିଡ଼ା । ଆଗରୁ ମୁଁ ତୁମକୁ ଜାଣେ । ଯେତେବେଳେ ମୁଁ କଲେଜରେ ଥିଲି ସେତେବେଳ ତୁମେ ତିନିବର୍ଷ ସିନିୟର ଥିଲ । ଥରେ ଆମେରିକାର ଜଣେ ବିଶିଷ୍ଟ ରସାୟନତତ୍ତ୍ୱବିଦ୍ ଏଇ ଲିକୁଇଡ୍‍ ଏଆର ବିଷୟରେ ବୁଝେଇ ଦେଇଥିଲେ ଏବଂ ତୁମେ ସେ ତତ୍ତ୍ୱରେ ବିଶେଷ ଆଗ୍ରହୀ ଥିବାର ପଛ ବେଞ୍ଚରୁ ମୁଁ ଲକ୍ଷ୍ୟ କରିଥିଲି । କାରଣ, ତମର ପ୍ରଶ୍ନବାଣ ସେଦିନର ବକ୍ତାଙ୍କୁ ଜର୍ଜରିତ କରିଥିଲା ।

 

‘‘ତା’ପରର କଥା କହୁଚି । ଲିକୁଇଡ୍‍ ଏଆର ବା ଦ୍ରବୀଭୂତ ବାୟୁ ବ୍ୟୟବହୁଳ ଥିବା ଜାଣି ତୁମେ ଜାଲନୋଟ୍‍ ଚଳାଇବାର ଉଦ୍ୟମ କରିଥିଲ । ପୋଲିସ୍‍ ଯେତେବେଳେ ତୁମର କୁକର୍ମ ଧରିଲା ସେତେବେଳେ ତୁମେ ନିଜକୁ ଲୁଚାଇବାପାଇଁ ନିଜର ନାଆଁକୁ (...) କହିଲ ।

 

ସତ୍ୟବାଦୀ ଫେରାର ହୋଇ କିଛିଦିନ ଆତ୍ମଗୋପନ କରିବା ପରେ, କୌଣସି ଉପାୟରେ ଡକ୍ଟର ଇନ୍ଦ୍ରବାହନ ସିଂହ ନାମ ଧରି ସୌରୀବାବୁଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହୁଅନ୍ତି ଏବଂ ମୋଟା ଅଙ୍କର ଟଙ୍କା ତାଙ୍କଠାରୁ ହ୍ୟାଣ୍ଡନୋଟ୍‍ କରି ଏଇ ଦ୍ରବୀଭୂତ ବାୟୁ ଆବିଷ୍କାର କରନ୍ତି । ଶେଷରେ ତା’ରି ସାହାଯ୍ୟରେ ଋଣଦାତାଙ୍କୁ ଶେଷ କରିଦିଅନ୍ତି–ଠିକ୍ ଏମିତି ମୁହୂର୍ତ୍ତରେ, ଯେଉଁ ସମୟରେ କି ମାମୁ ଭଣଜାଙ୍କ ମଧ୍ୟରେ ମନୋମାଳିନ୍ୟ ହୁଏ ।

 

‘‘ବଡ଼ ସୁଯୋଗବାଦୀ ପ୍ରବୀଣ ରାସାୟନିକ ମି. ଇନ୍ଦ୍ରବାହନ ସିଂହ ! ଶକ୍ତି ଥିଲେ ମୋର ଏଇ ପ୍ରମାଣକୁ କାଟି କୋର୍ଟରେ ନିର୍ଦ୍ଦୋଷ ହୋଇ ଖସି ଆସିପାର । ଆଉ ମି. ଇନ୍ଦ୍ରବାହନ ବା ଦସ୍ୟୁ ଐରାବତଙ୍କୁ ନମସ୍କାର କରିପାରୁନି ।’’

 

‘‘ଅଳ୍ପଦିନ ମଧ୍ୟରେ ଆପଣଙ୍କ ବିଷୟରେ ସବିଶେଷ ବିବରଣୀ ସଜାଡ଼ି ମୁଁ ଜୀବନବାବୁଙ୍କ ହାତରେ ଦେଉଚି । ଆଉ ଜୀବନବାବୁ, ଆପଣ ନିତ୍ୟାନନ୍ଦଙ୍କୁ ଚାହୁଁଥିଲେ–ତେଣୁ ଏ କେସ୍‍ର ଫଳାଫଳ ସମ୍ବାଦପତ୍ରରେ ବାହାରିବାମାତ୍ରେ ସେ ଯଥାସମୟରେ ପହଞ୍ଚିବେ । ସେତେବେଳେ ସେ ଜୁଆଡ଼ି କିମ୍ବା ମଦୁଆ ନ ଥିବେ ।’’

 

‘‘ପ୍ରତାପ, ତୋର ସନ୍ଦେହ ନିତ୍ୟାନନ୍ଦବାବୁଙ୍କ ଉପରେ ?’’

 

‘‘ମାରାତ୍ମକ ବନ୍ଧୁବର ଖୁଣୀ ହେଇପାରନ୍ତି, ଏକଥା ବା କଳ୍ପନା କରନ୍ତା କିଏ ? ବଡ଼ ଚମତ୍କାର ମି. ଐରାବତଙ୍କର ଯୋଜନା ! ତୋ’ ଭଳି ଛୁଞ୍ଚି ନ ହେଲେ ଏତେ ସନ୍ଧିରେ ଗଳିବ କିଏ ? ଆଚ୍ଛା, ହରେନ୍ଦ୍ର, ଆଜି ସେକେଣ୍ଡ ସୋ (....) କଳିଙ୍ଗ ‘ଲକ୍ଷ୍ମୀ’ ହେଉ ?’’

 

ହରେନ୍ଦ୍ର ହସି ହସି କହିଲା–‘‘ତଥାସ୍ତୁ ।’’

Image